ସିଆରପିଏଫ୍ ଡିଜିଙ୍କ ସୂଚନା, ଛତିଶଗଡ଼ ଏନକାଉଣ୍ଟରରେ ୨୮ରୁ ଊର୍ଦ୍ଧ୍ୱ ନକ୍ସଲଙ୍କ ମୃତ୍ୟୁ ହୋଇଛି

ନୂଆଦିଲ୍ଲୀ – ଛତିଶଗଡ଼ ବିଜାପୁରରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ୨୮ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି । ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସିଆରପିଏଫ୍ ଡିଜି କୁଲଦୀପ ସିଂହ କହିଛନ୍ତି ।

ନକ୍ସଲଙ୍କ ସହ ସଂଘର୍ଷରେ ୨୨ ଯବାନ ସହିଦ୍ ହୋଇଥିଲେ । କୁଲଦୀପ କହିଛନ୍ତି ଯେ, ଏବେ ବି ଜଣେ ଯବାନ ନିଖୋଜ ଅଛନ୍ତି ।

କୁଲଦୀପ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସୁରକ୍ଷା ବାହିନୀଙ୍କ ସହ ସଂଘର୍ଷରେ ନକ୍ସଲଙ୍କ ପକ୍ଷରୁ ୨୮ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି । ନକ୍ସଲମାନେ କେବେ ବି ନିଜ ଲୋକଙ୍କ ମୃତ୍ୟୁ ସଂଖ୍ୟା ସ୍ୱୀକାର କରିବେ ନାହିଁ । କିନ୍ତୁ ସେମାନଙ୍କ ମୃତ୍ୟୁସଂଖ୍ୟା ନିଶ୍ଚିତ ଭାବେ ୨୮ରୁ ଊର୍ଦ୍ଧ୍ୱ ହେବ । ଆହତ ନକ୍ସଲଙ୍କ ସଂଖ୍ୟା ବି ଆହୁରି ଅଧିକ ହେବ ।

ସୁରକ୍ଷାକର୍ମୀ ବିଜାପୁର ଜଙ୍ଗଲରୁ ସର୍ଚ୍ଚ ଅପରେସନ ସାରି ଫେରୁଥିବା ବେଳେ ଟେକଲାଗୁଡମ ନିକଟରେ ନକ୍ସଲଙ୍କ ଦ୍ୱାରା ଆମ୍ବୁସର ଶିକାର ହୋଇଥିଲେ । ନକ୍ସଲମାନେ ଅଚାନକ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିବର୍ଷା କରିଥିଲେ । ସୁରକ୍ଷାକର୍ମୀ ମନେ ମଧ୍ୟ ଏହାର ଦୃଢ଼ ଜବାବ ଦେଇଥିଲେ । ସୁରକ୍ଷାକର୍ମୀଙ୍କ ତୁଳନାରେ ନକ୍ସଲଙ୍କ ସଂଖ୍ୟା ଅଧିକ ଥିଲା ବୋଲି ସିଆରପିଏଫ୍ ଡିଜି କୁଲଦୀପ ସିଂହ କହିଛନ୍ତି । ନିଖୋଜ ଥିବା ଜଣେ ଯବାନଙ୍କୁ ନକ୍ସଲ ଅପହରଣ କରିନେଇଥିବା ଖବର ଆସୁଛି । ତେବେ ଏଯାବତ ଏନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ବୋଲି କୁଲଦୀପ କହିଛନ୍ତି ।

Comments are closed.