ସିବିଆଇ ଦ୍ୱାରା ଜବତ ହୋଇଥିବା ୧୦୩ କେଜି ସୁନା ଗାଏବ୍

‌ଚେନ୍ନାଇ – ଆଠ ବର୍ଷ ତଳେ ସିବିଆଇ ଦ୍ୱାରା ଜବତ ହୋଇଥିବା ୧୦୩ କେଜି ସୁନା ଆଶ୍ଚର୍ଯ୍ୟଜନକ ଭାବେ ଗାଏବ୍ ହୋଇଯାଇଛି । ଗାଏବ୍ ସୁନାର ମୂଲ୍ୟ ୪୫ କୋଟି ହେବ । ଏହି ମାମଲା ଏବେ କୋର୍ଟରେ ପହଞ୍ଚିଛି । ମାଡ୍ରାସ୍ ହାଇକୋର୍ଟ ତାମିଲନାଡୁ କ୍ରାଇମବ୍ରାଞ୍ଚ -ସିଆଇଡିକୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏନେଇ ସିବିଆଇ ଆପତ୍ତି ପ୍ରକାଶ କରିଛି ଏବଂ ନିଜ ଆଡୁ ତଦନ୍ତ ପାଇଁ ଏକ ଆଭ୍ୟନ୍ତରୀଣ କମିଟି ଗଠନ କରିଥିବା ଜଣେ ଅଧିକାରୀ କହିଛନ୍ତି।

ସୁନା ଓ ରୁପା ଆମଦାନୀରେ ମିନେରାଲ୍ସ ଆଣ୍ଡ ଟ୍ରେଡିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏମଏମଟିସି)ର ଅଧିକାରୀମାନେ ଚେନ୍ନାଇର ସୁରାନା କର୍ପୋରେସନ୍ ଲିମିଟେଡ ନାମକ ଏକ ସଂସ୍ଥାକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବା ଅଭିଯୋଗ ପରେ ୨୦୧୨ରେ ସିବିଆଇ ତରଫରୁ ଏନେଇ ତଦନ୍ତ ଆରମ୍ଭ ହୋଇଥିଲା । ଏହି ମାମଲାରେ ସିବିଆଇ ସୁରାନା କର୍ପୋରେସନ୍ ଲିମିଟେଡ୍ କାର୍ଯ୍ୟାଳୟ ଉପରେ ଚଢାଉ କରି ୪୦୦.୭ କେଜି ସୁନା ଜବତ କରିଥିଲା । ଏବେ ଏହି ଜବତ ସୁନାରୁ ୧୦୩ କେଜି ସୁନା ଗାଏବ୍ ହୋଇଯାଇଛି । ଜବତ ସୁନା ଦ୍ୱିତୀୟଥର ଓଜନ କଲାବେଳେ ଏଥିରୁ ୧୦୩ କେଜି କମ୍ ଥିବା ଜଣାପଡିଥିଲା ।

ସିବିଆଇ ହେପାଜତରୁ ଜବତ ସୁନା କିିପରି ଗାଏବ ହେଲା ତାହା ସମସ୍ତଙ୍କୁ ଚକିତ କରିଛି । ଏହାର ଲକର୍ ର ୭୨ଟି ଚାବି ପ୍ରିନ୍ସିପାଲ ସ୍ପେଶାଲ କୋର୍ଟକୁ ଦିଆଯାଇଥିଲା କହି ସିବିଆଇ ନିଜ ଉପରୁ ଦୋଷ ଛଡ଼ାଇବାକୁ ଚେଷ୍ଟା କରିଥିଲା । ତେବେ ମାଡ୍ରାସ୍ ହାଇକୋର୍ଟ ସିବିଆଇର ଏହି ଯୁକ୍ତିକୁ ଖାରଜ କରି ତାମିଲନାଡୁ କ୍ରାଇମବ୍ରାଞ୍ଚ-ସିଆଇଡିକୁ ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ୬ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି ।

Comments are closed.