ସୁନ୍ଦରଗଡ ଜିଲ୍ଲା ପ୍ରଶାସନର ଅଭିନବ ପଦକ୍ଷେପ : କୃଷକଙ୍କ ମୁହଁରେ ହସ ଫୁଟାଉଛି ସବ୍‌ଜି କୁଲର୍

ସୁନ୍ଦରଗଡ—ସୁନ୍ଦରଗଡ ଜିଲ୍ଲାରେ ସବଜି କୁଲର ବା ଜିରୋ କୁଲିଂ ଚାମ୍ବର କୃଷକମାନଙ୍କ ମୁହଁରେ ହସ ଫୁଟାଇଛି । କୃଷକମାନେ ଏହି ଅଭିନବ ପଦ୍ଧତି ଦ୍ୱାରା ବେଶ୍ ଉପକୃତ ହେଉଛନ୍ତି । ସବଜି କୁଲର ବ୍ୟବହାର କରି କୃଷକମାନେ ସେମାନଙ୍କ ପନିପରିବାକୁ ବଜାରରେ ବିକ୍ରି କରିବା ପୂର୍ବରୁ ଭଲ ଭାବେ ସଂରକ୍ଷଣ କରି ରଖିପାରୁଛନ୍ତି । ଦେଶୀୟ ଜ୍ଞାନ କୌଶଳରେ ନିର୍ମିତ ଏହି ସବଜି କୁଲର ବିନା ବିଦ୍ୟୁତ ବା ସୌର ଶକ୍ତି ଦ୍ୱାରା ଚାଲିପାରୁଛି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ବାଲିଶଙ୍କର, କୁଆଁରମୁଣ୍ଡା ଓ ଟାଙ୍ଗରାପାଲି ବ୍ଲକ୍‌ର କୃଷକମାନଙ୍କ ଦ୍ୱାରା ୫୦ରୁ ଅଧିକ ସବଜି କୁଲର ନିର୍ମାଣ କରାଯାଇଛି । ଆହୁରି ୫୦ଟି କୁଲର ନିର୍ମାଣ ପାଇଁ ଯୋଜନା ରହିଛି । ମୁମ୍ବାଇର ରୁକାର୍ଟ ଟେକନୋଲୋଜିସ୍ ଉପକରଣ ଓ ବୈଷୟିକ ସହାୟତା ଯୋଗାଇ ଦେଉଛି ।

ସବଜି କୁଲର ନିର୍ମାଣ ପାଇଁ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ଏନଜିଓ ଏବଂ ରୁକାର୍ଟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ସବଜି କୁଲରରେ ୧୦୦ କିଲୋ ପନିପରିବା ଏକ ସପ୍ତାହ ଧରି ସତେଜ ରହିପାରିବ । ଏଭଳି ପଦକ୍ଷେପ ପାଇଁ ପେରିଫେରି ଡେଭଲପମେଂଟ୍ ଫଣ୍ଡରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । କୃଷକମାନଙ୍କ ପାଇଁ ଜିଲ୍ଲା ପ୍ରଶାସନର ଏଭଳି ପ୍ରୟାସ ଉଚ୍ଚ ପ୍ରଶଂସିତ ହୋଇଛି ।

Comments are closed.