ସୁଶୀଲ କୁମାରଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଜଣେ ଯୁବ ରେସଲରଙ୍କ ହତ୍ୟା ଘଟଣାରେ ଦୁଇ ଥରର ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାରଙ୍କ ବିରୋଧରେ ଦିଲ୍ଲୀ ପୋଲିସ୍ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି । ଛତ୍ରାଶଲ ଷ୍ଟାଡିୟମରେ ଗତ ସପ୍ତାହରେ ଏକ ଗଣ୍ଡଗୋଳ ମାମଲାରେ ୨୩ ବର୍ଷୀୟ ରେସଲର ସାଗର ରାଣାଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରଠୁ ସୁଶୀଲ ଫେରାର ଅଛନ୍ତି ।

ଏହି ଘଟଣାରେ ସୁଶୀଲଙ୍କ ବିରୋଧରେ ଦିଲ୍ଲୀ ପୋଲିସ୍ ହତ୍ୟା ମାମଲା ସହ ଅପହରଣ ଏବଂ ଆପରାଧୀକ ଷଡ଼ଯନ୍ତ୍ର ମାମଲା ରୁଜୁ କରିଥିଲା । ସୁଶୀଲଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଥିବା ନେଇ ଉତ୍ତର-ପଶ୍ଚିମ ଜିଲ୍ଲାର ଅତିରିକ୍ତ ଡିସିପି ଡକ୍ଟର ଗୁରଇକବାଲ ସିଂ ସୂଚନା ଦେଇଛନ୍ତି । ମୃତ ସାଗରଙ୍କ ସାଙ୍ଗମାନଙ୍କ ବୟାନ ଭିତ୍ତିରେ ସୁଶୀଲଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଛି ବୋଲି ସେ କହିଛନ୍ତି । ଛତ୍ରାଶଲ ଷ୍ଟାଡିୟମରେ ଘଟିଥିବା ଗଣ୍ଡଗୋଳ ସୁଶୀଲଙ୍କ ଇଙ୍ଗିତରେ ହୋଇଥିଲା ବୋଲି ସେମାନେ କହିଛନ୍ତି । ଏହାଛଡ଼ା ଉକ୍ତ ଘଟଣାରେ ଏକ ଭିଡିଓ ଫୁଟେଜ୍ ସାମ୍ନାକୁ ଆସିଛି ଯେଉଁଥିରେ ସୁଶୀଲ ନିଜ ସମର୍ଥକଙ୍କ ସହ ମିଶି ସାଗର ଓ ତାଙ୍କ ବନ୍ଧୁଙ୍କ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ଏହି ଘଟଣାରେ ଗିରଫ ହୋଇଥିବା ସୁଶୀଲଙ୍କ ସହଯୋଗୀ ପ୍ରିନ୍ସ ଦଲାଲର ମୋବାଇଲ ଫୋନରେ ଉକ୍ତ ଗଣ୍ଡଗୋଳ ସମୟର ଭିଡିଓ ରେକର୍ଡିଂ କରାଯାଇଥିଲା ବୋଲି ପୋଲିସ୍ କହିଛି ।

ସମ୍ପତ୍ତି ବିବାଦକୁ ନେଇ ଏହି ଗଣ୍ଡଗୋଳ ଘଟିଥିବା କୁହାଯାଇଛି । ସୁଶୀଲଙ୍କ ଘରେ ସାଗର ଓ ତାଙ୍କର କିଛି ସାଙ୍ଗ ବହୁଦିନ ହେଲା ଭଡ଼ାରେ ରହୁଥିଲେ । ସେମାନଙ୍କୁ ସେହି ଘର ଖାଲି କରିବାକୁ ସୁଶୀଲ କହିଆସୁଥିଲେ ।

ମୃତ ସାଗରଙ୍କ ସାଙ୍ଗମାନେ ପୋଲିସକୁ ଦେଇଥିବା ବୟାନରେ କହିଛନ୍ତି ଯେ, ସାଗର କୁଆଡେ ସୁଶୀଲଙ୍କୁ ସମସ୍ତଙ୍କ ସାମ୍ନାରେ ଅପମାନିତ କରିଥିଲେ । ସୁଶୀଲ ଏହି ଅପମାନର ଜବାବ ଦେବାକୁ ଚାହିଁଥିଲେ । ସେ ଓ ତାଙ୍କର କିଛି ସହଯୋଗୀ ସାଗରଙ୍କୁ ତାଙ୍କ ମଡେଲ ଟାଉନ ସ୍ଥିତ ଘରୁ ଘଟଣାଦିନ ଜୋର ଜବରଦସ୍ତ ଉଠାଇ ନେଇଥିଲେ ।

Comments are closed.