ସେଣ୍ଟ୍ରାଲ ଭିସ୍ତା ପ୍ରୋଜେକ୍ଟ ଉପରେ ଆସନ୍ତାକାଲି ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଭୟାବହ ଦ୍ବିତୀୟ ଲହରୀ ମଧ୍ୟରେ ସେଣ୍ଟ୍ରାଲ ଭିସ୍ତା ପ୍ରୋଜେକ୍ଟ ଅଧୀନରେ ଚାଲିଥିବା ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଦାବି ଜୋର୍ ଧରିଛି । ଏନେଇ ସୋମବାର ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାୟର କରାଯାଇଛି। ଏହି ମାମଲାର ଶୁଣାଣି ପାଇଁ ହାଇକୋର୍ଟ ମଙ୍ଗଳବାର ସମୟ ଦେଇଛନ୍ତି।

ଏହାପୂର୍ବରୁ ଏଭଳି ଏକ ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି । ହାଇକୋର୍ଟଙ୍କଠାରୁ ଶୀଘ୍ର ଶୁଣାଣି ପାଇଁ ଅନୁରୋଧ କରିବାକୁ କୋର୍ଟ ଆବେଦନକାରୀଙ୍କୁ କହିଥିଲେ। ସୁପ୍ରିମକୋର୍ଟ କହିଥିଲେ ଯେ ଆମେ ଆଶା କରୁଛୁ ଖୁବ ଶୀଘ୍ର ହାଇକୋର୍ଟ ଏନେଇ ଶୁଣାଣି କରିବେ।

ସେଣ୍ଟ୍ରାଲ ଭିସ୍ତା ପ୍ରୋଜେକ୍ଟ ଅଧୀନରେ ଏକ ନୂଆ ସଂସଦ ଭବନ ସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଏବଂ ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିର୍ମାଣ ହେବ । ଏହାକୁ ବିରୋଧୀ ଦଳ ମଧ୍ୟ ବିରୋଧ କରୁଛନ୍ତି। ମହାମାରୀ ସମୟରେ ଏହି ପ୍ରକଳ୍ପ ଅଧୀନରେ ଚାଲିଥିବା ନିର୍ମାଣ କାର୍ଯ୍ୟ ବନ୍ଦ କରାଯିବା ଉଚିତ ବୋଲି ସୋସିଆଲ ମିଡିଆରେ ଲୋକମାନେ ମଧ୍ୟ ମତବ୍ୟକ୍ତ କରିଛନ୍ତି । କିଛି ଲୋକ କୁହନ୍ତି ଯେ ସାମ୍ପ୍ରତିକ ସମୟରେ ହସ୍ପିଟାଲର ସମସ୍ୟା ଅଛି । ଅକ୍ସିଜେନ, ଟିକା ଏବଂ ଔଷଧର ଅଭାବ ରହିଛି | ଏହିସବୁ ସମସ୍ୟାର ସମାଧାନ ଉପରେ ସରକାର ଧ୍ୟାନ ଦେବା ଉଚିତ।

ସେଣ୍ଟ୍ରାଲ ଭିସ୍ତା ପ୍ରୋଜେକ୍ଟ ଯୋଜନା ଅନୁଯାୟୀ, ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ବିଭିନ୍ନ ସରକାରୀ କୋଠା ଏବଂ କିଛି ବାସଭବନ ନିର୍ମାଣ କରାଯିବ। ଏଥିପାଇଁ ରାଷ୍ଟ୍ରିପତି ଭବନ ଠାରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ଚାରି କିଲୋମିଟର ଅଞ୍ଚଳ ଚିହ୍ନଟ କରାଯାଇଛି। ନିକଟରେ ରାହୁଲ ଗାନ୍ଧୀ ସେଣ୍ଟ୍ରାଲ ଭିସ୍ତା ପ୍ରୋଜେକ୍ଟକୁ ଅନାବଶ୍ୟକ ବୋଲି କହିଥିଲେ। କେନ୍ଦ୍ର ଦ୍ବାରା ଏହା କରଦାତାଙ୍କ ଅର୍ଥର ଆପରାଧିକ ଅପଚୟ ବୋଲି ସେ କହିଥିଲେ ।

Comments are closed.