ହନୁମା ବିହାରୀ ଚତୁର୍ଥ ଟେଷ୍ଟରୁ ବାଦ୍‌

ନୂଆଦିଲ୍ଲୀ: ଭାରତୀୟ ଦଳରେ ଆଘାତ ସମସ୍ୟା ବଢି ଚାଲିଛି । ରବୀନ୍ଦ୍ର ଜାଡେଜାଙ୍କ ପରେ ଏବେ ସିଡନୀ ଟେଷ୍ଟର ହିରୋ ହନୁମା ବିହାରୀ ମଧ୍ୟ ଆଘାତ କାରଣରୁ ଚତୁର୍ଥ ଟେଷ୍ଟରୁ ବାଦ୍ ପଡିଛନ୍ତି । ହାମଷ୍ଟ୍ରିଂ ସମସ୍ୟା ଯୋଗୁଁ ସେ ଜାନୁୟାରୀ ୧୫ରୁ ବ୍ରିସବେନରେ ଆରମ୍ଭ ହେଉଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟରୁ ବଞ୍ଚିତ ହୋଇଛନ୍ତି । ସେ ଆଗାମୀ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରୁ ବି ବାଦ୍ ପଡିଛନ୍ତି । ମାଂସପେଶୀ ଟାଣି ହୋଇଯିବା ସତ୍ତ୍ୱେ ବିହାରୀ ତୃତୀୟ ଟେଷ୍ଟର ପଞ୍ଚମ ଦିବସରେ ସାଥୀ ଖେଳାଳି ଅଶ୍ୱିନଙ୍କ ସହ ମିଶି ପ୍ରାୟ ୪୩ ଓଭର କାଳ ବ୍ୟାଟିଂ କରି ଭାରତକୁ ପରାଜୟରୁ ରକ୍ଷା କରିଥିଲେ । ବିହାରୀ ୧୬୧ ବଲ୍ ଖେଳି ଅପରାଜିତ ୨୩ ରନ୍ କରିଥିଲେ । ମ୍ୟାଚ୍ ପରେ ତାଙ୍କୁ ସ୍କାନ୍ ପାଇଁ ହସ୍ପିଟାଲ ନିଆଯାଇଥିଲା । ସ୍କାନ୍ ରିପୋର୍ଟ ମିଳିନଥିଲେ ମଧ୍ୟ ସେ ଚତୁର୍ଥ ଟେଷ୍ଟ ଖେଳିପାରିବେ ନାହିଁ ବୋଲି ବିିସିସିଆଇର ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି ।

ବିହାରୀଙ୍କ ଆଘାତ କେତେ ଗୁରୁତର ତାହା ତାଙ୍କର ସ୍କାନ୍ ରିପୋର୍ଟ ମିଳିଲେ ହିଁ ଜଣାପଡିବ । ଗ୍ରେଡ୍‌-୧ ହାମଷ୍ଟ୍ରିଂ ଟିୟର ହୋଇଥିଲେ ବି ତାଙ୍କୁ ଅତିକମରେ ଚାରି ସପ୍ତାହ ବିଶ୍ରାମ ନେବାକୁ ପଡିବ । ତେଣୁ ସେ କେବଳ ଚତୁର୍ଥ ଟେଷ୍ଟ ନୁହେଁ ଇଂଲଣ୍ଡ ବିପକ୍ଷ ଆଗାମୀ ସିରିଜରୁ ବି ବଞ୍ଚିତହେବେ ବୋଲି ବିସିିସିଆ ଅଧିକାରୀ ଜଣକ କହିଛନ୍ତି ।

ବିହାରୀଙ୍କ ସ୍ଥାନରେ ଚତୁର୍ଥ ଟେଷ୍ଟରେ ଭାରତ ରିଦ୍ଧିମାନ ଶାହାଙ୍କୁ ଖେଳାଇପାରେ । ଶାହା ଯଦି ସୁଯୋଗ ପାଆନ୍ତି, ତେବେ ସେ ୱିକେଟକିପର ଭାବେ ଖେଳିବେ ଏବଂ ରିଷଭ ପନ୍ତ କେବଳ ଜଣେ ବ୍ୟାଟ୍ସମ୍ୟାନ୍ ଭାବେ ସ୍ଥାନ ବଜାୟ ରଖିବେ । ବିହାରୀଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲଙ୍କ ରୂପରେ ମଧ୍ୟ ଭାରତ ପାଖରେ ଏକ ବିକଳ୍ପ ରହିଛି । ଉଭୟ ପନ୍ତ ଓ ବିହାରୀଙ୍କୁ ବ୍ୟାଟିଂ ପୂର୍ବରୁ ଯନ୍ତ୍ରଣା କମାଇବା ପାଇଁ ପେନ୍ କିଲର ଦିଆଯାଇଥିଲା ବୋଲି ଦଳୀୟ ସୂତ୍ରରୁ ଜଣାପଡିଛି । ପ୍ରଥମ ଇନିଂସରେ ପ୍ୟାଟ କମିନ୍ସଙ୍କ ବାଉନ୍ସର ପନ୍ତ ଆହତ ହୋଇଥିଲେ । ତାଙ୍କ ବାମ କହୁଣୀରେ ଆଘାତ ଲାଗିଥିଲା, ଯଦିଓ ଏହା ସେତେ ଗୁରୁତର ନଥିଲା ।
ଜାଡେଜାଙ୍କ ସ୍ଥାନରେ ଚତୁର୍ଥ ଟେଷ୍ଟରେ ଶାର୍ଦ୍ଦୁଲ ଠାକୁର ଖେଳିପାରନ୍ତି । ଟି.ନଟରାଜନ ମଧ୍ୟ ଏକ ବିକଳ୍ପ ରହିଛି । ତେବେ ପ୍ରଥମ ଶ୍ରେଣୀ ଅଭିଜ୍ଞତା ଦୃଷ୍ଟିରୁ ଠାକୁରଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯିବା ସମ୍ଭାବନା ରହିଛି ।

Comments are closed.