ହୋମଗାର୍ଡ ଗୌରୀ : ନିଃସ୍ୱାର୍ଥପର ସେବାର ଜ୍ୱଳନ୍ତ ଉଦାହରଣ

ପିପିଲି: କୋରୋନା ମହାମାରୀର ଦ୍ୱିତୀୟ ଲହର ସମସ୍ତଙ୍କୁ ଆତଙ୍କିତ କରିଛି । ବୃଦ୍ଧି ପାଉଛି ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା । ଏହି ମହାମାରୀ କେବେ ଯିବ,ତାହା ବର୍ତ୍ତମାନ ବଡ ପ୍ରଶ୍ନ । ମହାମାରୀ ସଂକଟ ମଧ୍ୟରେ ବି ଅନେକ ବ୍ୟକ୍ତି ଅଛନ୍ତି , ଯେଉଁମାନେ କି କୌଣସି ନା କୌଣସି ଉପାୟରେ ଜନତାଙ୍କ ସେବାରେ ନିଜକୁ ସମର୍ପଣ କରି ମାନବିକତାର ପରିଚୟ ଦେଇଛନ୍ତି । ଏପରିିକି ମହାମାରୀରେ ଆତ୍ମୀୟ ସ୍ୱଜନଙ୍କୁ ହରାଇବାର ଦୁଃଖକୁ ଭୁଲି ସେମାନେ ଲୋକଙ୍କ ସେବା କରୁଛନ୍ତି, ସହାୟତାର ହାତ ବଢାଉଛନ୍ତି, ସଚେତନ କରୁଛନ୍ତି । ଓଡିଶାରେ ବି ଏଭଳି ବଦାନ୍ୟ ଲୋକଙ୍କ ଅଭାବ ନାହିଁ ।

ମହାମାରୀ ପ୍ରକୋପ ମଧ୍ୟରେ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ପିପିଲି ପୋଲିସ୍‌ର ହୋମଗାର୍ଡ ଗୌରୀ ବେହେରା । ଜନସାଧାରଣଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ଗୌରୀ । ମହାମାରୀ ସଂପର୍କରେ ସେ ଲୋକଙ୍କୁ ସଚେତନ କରୁଛନ୍ତି । କିଏ ମାସ୍କ ପିନ୍ଧିନ ଥିଲେ , ତାଙ୍କୁ ମାସ୍କ ଦେଉଛନ୍ତି । ନିଜେ ବି ମାସ୍କ ପିନ୍ଧାଇ ଦେଉଛନ୍ତି । ମହାମାରୀ ସଂକଟରେ ଗରିବଗୁରୁବାଙ୍କୁ ସହାୟତା କରୁଛନ୍ତି ଗୌରୀ । ଲକଡାଉନ ଓ ସପ୍ତାହାନ୍ତ ସଟଡାଉନରେ ସାହାଯ୍ୟ ଦରକାର କରୁଥିବା ଲୋକଙ୍କ ପାଇଁ ସାହାରା ହୋଇଛନ୍ତି ହୋମଗାର୍ଡ ଗୌରୀ ବେହେରା । ଗୌରୀଙ୍କ ଏଭଳି ସେବା ମନୋବୃତ୍ତି ପାଇଁ ପିପିଲି ପୋଲିସ ଗର୍ବିତ ।

ଗତବର୍ଷ ଏପ୍ରିଲ ୨୪ ତାରିଖରେ ପିପିଲିରେ ଡ୍ୟୁଟି କରୁଥିବା ବେଳେ ଏକ ଅଶୁଭ ଖବର ପାଇଥିଲେ ଗୌରୀ । ତାଙ୍କର ୧୩ ବର୍ଷର ଝିଅ ଲୋପାମୁଦ୍ରାଙ୍କ ମୃତ୍ୟୁ ଖବର ତାଙ୍କୁ ମିଳିଥିଲା । ଲିଭର କ୍ୟାନସର ସହ ଲଢେଇରେ ହାରି ଯାଇଥିଲେ ଗୌରୀଙ୍କ ଝିଅ । ଝିଅର ମୃତ୍ୟୁ ଖବର ଶୁଣିଲା ପରେ ସତେ ଯେପରି ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ସାଇକେଲରେ ତୁରନ୍ତ କିଛି କିଲୋମିଟର ଦୂରରେ ଥିବା ନିଜ ଗାଁ ସୋମପୁରକୁ ଯାଇଥିଲେ । ନିଜ ୧୩ ବର୍ଷିୟା ଝିଅର ମୃତଦେହ ଦେଖି କେଉଁ ମାଆର ବା ହୃଦୟ ତରଳିବ ନାହିଁ । ଭୋ ଭୋ ହୋଇ କାନ୍ଦି ଉଠିଥିଲେ ଗୌରୀ । କିଛି ବର୍ଷ ପୂର୍ବେ ସ୍ୱାମୀଙ୍କୁ ହରାଇଥିଲେ । ଆଉ ଏବେ ଝିଅ ଲୋପାମୁଦ୍ରା ତାଙ୍କୁ ପର କରି ଚାଲି ଗଲା । ଦୁଃଖର ପାହାଡ ଖସିପଡିଥିଲା ଗୌରୀଙ୍କ ଉପରେ । କିନ୍ତୁ ଏହି ବିରାଟ ବ୍ୟକ୍ତିଗତ ପାରିବାରିକ ବିପର୍ଯ୍ୟୟ ସତ୍ତ୍ୱେ ଦୁଇ ଦିନ ପରେ ପୁଣି ଡ୍ୟୁଟିରେ ଯୋଗ ଦେଇଥିଲେ ଗୌରୀ ।

ଗତବର୍ଷ ମାର୍ଚ୍ଚ ମାସରେ ଗୌରୀଙ୍କୁ କୋଭିଡ ଦାୟିତ୍ୱ ଦିଆଯାଇଥିଲା । ଡ୍ୟୁଟି ଯୋଗୁଁ ସେ ହସପିଟାଲରେ ଚିକିତ୍ସାଧୀନ ଝିଅ ସହ ରହିପାରିବେ ନାହିଁ ବୋଲି ତାକୁ ଘରକୁ ନେଇଆସିଥିଲେ । ତେବେ, ଝିଅର ମୃତ୍ୟୁର ଦୁଇ ଦିନ ପରେ ଅସୀମ ଧୈର୍ଯ୍ୟର ପରିଚୟ ଦେଇ ପୁଣି ଡ୍ୟୁଟିରେ ଯୋଗ ଦେଇଥିଲେ ଗୌରୀ । କର୍ତ୍ତବ୍ୟ ଆଗରେ ପାରିବାରିବ ଦୁଃଖଦୁର୍ଦ୍ଦଶା ଯେ ତୁଚ୍ଛ, ତାହା ପ୍ରମାଣ କରିଥିଲେ ଗୌରୀ ।
ଗୌରୀଙ୍କ ଏଭଳି ନିଃସ୍ୱାର୍ଥପର ସେବା ଭାବନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବେଶ୍ ପ୍ରଭାବିତ କରିଥିଲା । ନିଜ ୧୩ ବର୍ଷିୟା ଝିଅର ମୃତ୍ୟୁର ଶୋକ ସତ୍ତତ୍ତ୍ୱ ଗୌରୀ ନିଜ କର୍ତ୍ତବ୍ୟରେ ଅବହେଳା କରି ନ ଥିଲେ । ଏଭଳି ମନୋଭାବ ବେଶ୍ ପ୍ରଶଂସନୀୟ ବୋଲି ଟ୍ୱିଟ୍ କରିଥିଲେ ମୁଖ୍ୟମନ୍ତ୍ରୀ ।

ବର୍ଷକ ପରେ ବି ପିପିଲି ପୋଲିସ ଷ୍ଟେସନରେ ହୋମଗାର୍ଡ ଭାବେ ନିଜର କର୍ତ୍ତବ୍ୟ କରିଚାଲିଛନ୍ତି ଗୌରୀ । କୋଭିଡ ନିୟମର ସଫଳ ପ୍ରବର୍ତ୍ତନରେ ସହଯୋଗ କରିବା ସହ ଲୋକଙ୍କୁ ସଚେତନ କରୁଛନ୍ତି । ମାସ୍କ ବାଂଟୁଛନ୍ତି । ଝିଅର ମୃତ୍ୟୁର ଦୁଃଖ ଏବେ ବି ରହିଛି । କିନ୍ତୁ ସମାଜର ଲୋକଙ୍କ ସେବା ଦ୍ୱାରା ସେ ଆତ୍ମତୃପ୍ତି ଲାଭ କରୁଛନ୍ତି ।

ଆମ ସମାଜ ପାଇଁ ଏଭଳି ଅନେକ ଗୌରୀଙ୍କ ଆବଶ୍ୟକତା ରହିଛି ।

 

Comments are closed.