ୟୁରୋପରେ ପୁଣି ଆରମ୍ଭ ହେଲା ଆଷ୍ଟ୍ରାଜେନେକା ଟିକାର ବ୍ୟବହାର

ନୂଆଦିଲ୍ଲୀ – ୟରୋପର ପ୍ରମୁଖ ଦେଶ ଗୁଡିକରେ ଆଷ୍ଟ୍ରାଜେନେକା ଟିକାର ବ୍ୟବହାର ପୁଣି ଆରମ୍ଭ ହୋଇଛି । ରକ୍ତ ଜମାଟ ବାନ୍ଧିବା ସମସ୍ୟା ନେଇ ଅଭିଯୋଗ ପରେ ଏହି ଟିକାର ବ୍ୟବହାର ଅନେକ ୟୁରୋପୀୟ ଦେଶ ବନ୍ଦ କରିଦେଇଥିଲେ । ତେବେ ୟୁରୋପୀୟ ଔଷଧ ନିୟାମକ ଏହି ଟିକାର ନିରାପଦ ଏବଂ ପ୍ରଭାବୀ ବୋଲି କ୍ଲିନ୍ ଚିଟ୍ ଦେବା ପରେ ଆଷ୍ଟ୍ରାଜେନେକା ଟିକାର ବ୍ୟବହାର ପୁଣି ଆରମ୍ଭ ହୋଇଛି ।

ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଳୁଏଚ୍‌ଓ) ଏବଂ ବ୍ରିଟେନର ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଆଷ୍ଟ୍ରାଜେନେକା ଟିକାକୁ ନେଇ ରହିଥିବା ସଂଶୟ ଦୂର କରିଥିଲେ ।

ଆଷ୍ଟ୍ରାଜେନେକା ଟିକାକୁ ନେଇ ୟୁରୋପୀୟ ଔଷଧ ନିୟାମକର ଘୋଷଣା ପରେ ଜର୍ମାନୀ, ଫ୍ରାନ୍ସ, ସ୍ପେନ୍‌, ଇଟାଲୀ, ନେଦରଲାଣ୍ଡ୍‌ସ, ପର୍ତ୍ତଗାଲ, ଲିଥୁଆନିଆ, ଲାଟ୍‌ଭିୟା, ସ୍ଲୋଭେନିଆ ଏବଂ ବୁଲ୍‌ଗେରିଆ ଭଳି ଦେଶରେ ଏହି କୋଭିଡ୍‌-୨୯ ଟିକାର ବ୍ୟବହାର ପୁଣି ଆରମ୍ଭ ହୋଇଛି ।

ତେବେ ଆଷ୍ଟ୍ରାଜେନେକା ଟିକାର ଏବେ ବ୍ୟବହାର କରାଯିବ ନାହିଁ ବୋଲି ନରୱେ ଓ ସ୍ୱିଡେନ୍ କହିଛନ୍ତି । ୟୁରୋପୀୟ ଔଷଧ ନିୟାମକର କ୍ଲିନ୍ ଚିଟ୍ ସତ୍ତ୍ୱେ ସେମାନ ଏହି ଟିକାର ନିରାପତ୍ତା ନେଇ ନିଜ ସ୍ୱାସ୍ଥ୍ୟ ସଂସ୍ଥାଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି ବୋଲି ନରୱେ ଓ ସ୍ୱିଡେନ୍ କହିଛନ୍ତି ।

ୟୁରୋପରେ ଟିକାକରଣ ଚାଲିଥିଲେ ମଧ୍ୟ ଅନେକ ଦେଶରେ ପୁଣି ନୂଆ ମାମଲା ବଢ଼ି ଚାଲିଛି । ଫ୍ରାନ୍ସ ଗୁରୁବାର ଠାରୁ ମାସେ ପର୍ଯ୍ୟନ୍ତ ପ୍ୟାରିସ୍ ସମେତ ଅନ୍ୟ ଅଞ୍ଚଳରେ ଲକ୍‌ଡାଉନ୍ ଘୋଷଣା କରିଛି ।

Comments are closed.