୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ପାଇଁ ଆରମ୍ଭ ହେଲା ପଞ୍ଜିକରଣ, କୋ-ୱିନ୍ ପୋର୍ଟାଲ ଏବଂ ‘ଆରୋଗ୍ୟ ସେତୁ’ ଆପ୍‌ରେ କରିବାକୁ ହେବ ପଞ୍ଜିକରଣ

ନୂଆଦିଲ୍ଲୀ – ଭାରତରେ ମେ ୧ରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ । ଏହି ପର୍ଯ୍ୟାୟରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ସବୁ ଲୋକଙ୍କ ଟିକାକରଣ କରାଯିବ । ଏଥିପାଇଁ ଆଜି ଅପରାହ୍ନ ୪ଟାରୁ କେନ୍ଦ୍ର ସରକାରଙ୍କ ‘କୋ-ୱିନ୍‌’ ୱେବ ପୋର୍ଟଲ୍ ଏବଂ ‘ଆରୋଗ୍ୟ ସେତୁ’ ଆପ୍‌ରେ ପଞ୍ଜିକରଣ ଆରମ୍ଭ ହୋଇଛି । ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଯୋଗ୍ୟ ବ୍ୟକ୍ତି ପ୍ରଥମେ ‘କୋ-ୱିନ୍‌’ ୱେବ ପୋର୍ଟଲ୍ ଏବଂ ‘ଆରୋଗ୍ୟ ସେତୁ’ ଆପ୍‌ରେ ନିଜର ପଞ୍ଜିକରଣ କରିବେ । ପଞ୍ଜିକରଣ ପାଇଁ କୌଣସି ଶୁଳ୍କ ଲାଗିବ ନାହିଁ । ଏହାପରେ ସେମାନେ କେବେ ଟିକା ନେବେ ସେନେଇ ତାରିଖ ଓ ସମୟ ସ୍ଲଟ୍ ଅନଲାଇନ୍‌ରେ ବୁକ୍ କରିବାକୁ ପଡିବ । ଏହି ପ୍ରକ୍ରିୟା ମେ ୧ରୁ ଆରମ୍ଭ ହେବ । ତେବେ ଅଧିକାଂଶ ରାଜ୍ୟ ବୟସ୍କ ଏବଂ ହାଇରିସ୍କ ବ୍ୟକ୍ତିଙ୍କ ଟିକାକରଣ ଉପରେ ପ୍ରାଧାନ୍ୟ ଦେଉଥିବାରୁ ଟିକା ନେବା ପାଇଁ ସ୍ଲଟ୍ ମିଳିବାରେ ବିଳମ୍ବ ହୋଇପାରେ ।

କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍ ଅନୁଯାୟୀ, ଟିକା ନେବା ପୂର୍ବରୁ ୧୮-୪୪ ବୟସବର୍ଗର ଲୋକ ନିଜର ପଞ୍ଜିକରଣ କରିବା ବାଧ୍ୟତାମୂଳକ । ଭିଡ଼କୁ କମାଇବା ପାଇଁ ବର୍ତ୍ତମାନ ଏହି ବୟସବର୍ଗର ଲୋକଙ୍କ ପାଇଁ ଘରୋଇ ହସ୍ପିଟାଲ ଗୁଡିକରେ ପଞ୍ଜିକରଣ କିମ୍ବା ୱାକ୍‌-ଇନ୍ ସୁବିଧା ଉପଲବ୍ଧ ହେବ ନାହିଁ । ସେମାନଙ୍କୁ କେବଳ ‘କୋ-ୱିନ୍‌’ ୱେବ୍ ପୋର୍ଟାଲ ଏବଂ ‘ଆରୋଗ୍ୟ ସେତୁ’ ଆପ୍‌ରେ ହିଁ ନିଜର ପଞ୍ଜିକରଣ କରିବାକୁ ପଡିବ । ତେବେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ପୂର୍ବଭଳି ଟିକାକରଣ କେନ୍ଦ୍ରରେ ନିଜର ପଞ୍ଜିକରଣ କରି ଟିକା ନେଇପାରିବେ ।

ବର୍ତ୍ତମାନ ସରକାରୀ ହସ୍ପିଟାଲ ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକା ମାଗଣା ଦିଆଯାଉଥିବା ବେଳେ ଘରୋଇ ହସ୍ପିଟାଲରେ ଡୋଜ୍ ପିଛା ୨୫୦ ଟଙ୍କା ଦର ଧାର୍ଯ୍ୟ କରାଯାଇଛି । ତେବେ ମେ ୧ରୁ ଘରୋଇ ହସ୍ପିଟାଲରେ ଟିକା ପାଇଁ ନୂଆ ଦର ଲାଗୁ ହେବ । ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ପୂର୍ବଭଳି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ହସ୍ପିଟାଲରେ ମାଗଣା ଟିକା ଦିଆଯିବ । କିନ୍ତୁ ୧୮-୪୪ ବର୍ଷର ଲୋକଙ୍କ ଟିକାକରଣ ମାଗଣା ହେବ ନାହିଁ । କିଛି ରାଜ୍ୟ କିନ୍ତୁ ଏହି ବୟସବର୍ଗର ଲୋକଙ୍କୁ ମାଗଣାରେ ଟିକା ଦିଆଯିବ ବୋଲି ଘୋଷଣା କରିଛନ୍ତି । ଘରୋଇ ହସ୍ପିଟାଲରେ ନୂଆ ଦର ଅନୁସାରେ ଟିକା ଲଗାଯିବ ।

Comments are closed.