୨୦୧୬ ରୁ ୨୦୨୦ ମଧ୍ୟରେ କଂଗ୍ରେସର ୧୭୦ ବିଧାୟକ ଦଳ ଛାଡ଼ିଛନ୍ତି

ନୂଆଦିଲ୍ଲୀ – ଭାରତର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ପ୍ରତି ବିମୁଖ ହେଉଛନ୍ତି ନେତା । ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ୍‌ସ (ଏଡିଆର) ନାମକ ଏକ ସଂସ୍ଥାର ଏକ ରିପୋର୍ଟ ଅନୁଯାୟୀ ୨୦୧୬ ରୁ ୨୦୨୦ ମଧ୍ୟରେ ହୋଇଥିବା 

ନିର୍ବାଚନ ବେଳେ ୧୭୦ ବିଧାୟକ କଂଗ୍ରେସ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇଛନ୍ତି । ଏହି ସମୟରେ ବିଜେପିର କେବଳ ୧୮ ବିଧାୟକ ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ ହୋଇଥିଲେ ।

ଏଡିଆର ରିପୋର୍ଟ ମୁତାବକ ୨୦୧୬ରୁ ୨୦୨୦ ମଧ୍ୟରେ ଦଳ ପରିବର୍ତ୍ତନ କରି ନିର୍ବାଚନ ଲଢ଼ିଥିବା ୪୦୫ ବିଧାୟକଙ୍କ ମଧ୍ୟରୁ ୧୮୨ ଜଣ ବିଜେପିରେ ଯୋଗ ଦେଇଥିଲେ । ଆଉ ୩୮ ଜଣ କଂଗ୍ରେସରେ ସାମିଲ ହୋଇଥିବା ବେଳେ ୨୫ ଜଣ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଏଆରଏସ୍‌)ରେ ମିଶିଥିଲେ ।

୨୦୧୯ରେ ଲୋକସଭା ନିର୍ବାଚନ ସମୟରେ ପାଞ୍ଚ ଲୋକସଭା ସାଂସଦ ବିଜେପି ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇଥିଲା ବେଳେ ସାତ ରାଜ୍ୟସଭା ସାଂସଦ କଂଗ୍ରେସ୍ ଛାଡ଼ିଥିଲେ । ୨୦୧୬ ରୁ ୨୦୧୯ ମଧ୍ୟରେ ବିଧାୟକଙ୍କ ଦଳବଦଳ ମଧ୍ୟ ପ୍ରଦେଶ, ମଣିପୁର, ଗୋଆ, ଅରୁଣାଚଳ ପ୍ରଦେଶ ଏବଂ କର୍ଣ୍ଣାଟକରେ ସରକାର ପତନର ମୁଖ୍ୟ କାରଣ ଥିଲା ବୋଲି ଏଡିଆର ରିପୋର୍ଟରେ କୁହାଯାଇଛି । ୪୩୩ ସାଂସଦ ଓ ବିଧାୟକଙ୍କ ଦ୍ୱାରା ଦାଖଲ ସତ୍ୟପାଠରୁ ଜଣାପଡିଛି ଯେ, ସେମାନେ ନିର୍ବାଚନ ଲଢ଼ିବା ପାଇଁ ଦଳ ପରିବର୍ତ୍ତନ କରିଥିଲେ ।

Comments are closed.