୨୮ ବର୍ଷ ପରେ ନନ୍ ଅଭୟାଙ୍କୁ ମିଳିଲା ନ୍ୟାୟ: ହତ୍ୟା ମାମଲାରେ ପାଦ୍ରୀ ଏବଂ ନନଙ୍କୁ ଆଜୀବନ କାରାଦଣ୍ଡ

ଥିରୁବନନ୍ତପୁରମ୍ – କେରଳର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ୨୮ ବର୍ଷ ତଳର ନନ ଅଭୟା ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପାଦ୍ରୀ ଏବଂ ନନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। କୋର୍ଟ ମଙ୍ଗଳବାର ଏହି ମାମଲାରେ ପାଦ୍ରୀ ଥୋମାସ କୋଟୁର ଏବଂ ନନ୍ ସେଫିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ୧୯୯୨ରେ କେରଳର କୋଟାୟାମରେ ଏକ କନଭେଣ୍ଟରେ ଏହି ଘଟଣା ଘଟିିିଥିଲା । ଦୀର୍ଘ ୨୮ ବର୍ଷ ପରେ ଏହି ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାର ରାୟ ଆସିଛି ।

ଏହି ହତ୍ୟାକାଣ୍ଡ ପାଇଁ ସିବିଆଇ କୋର୍ଟ କ୍ୟାଥୋଲିକ ପାଦ୍ରୀ ଥୋମାସ କୋଟୁର ଏବଂ ନନ୍ ସେଫିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଦଫା ୩୦୨ ଅନୁଯାୟୀ କୋଟୁରଙ୍କୁ ଆଜୀବନ କାରାଦଣ୍ଡ ସହ ପାଞ୍ଚ ଲକ୍ଷ ଜୋରିମାନା ହୋଇଛି। ଏଥି ସହିତ ପ୍ରମାଣ ନଷ୍ଟ କରିବା ପାଇଁ ୭ ବର୍ଷ ଜେଲ୍ ଏବଂ ଅନଧିକୃତ ଭାବେ କନଭେଣ୍ଟରେ ପ୍ରବେଶ କରିବା ପାଇଁ ମଧ୍ୟ କୋଟୁରଙ୍କୁ ଆଜୀବନ କାରାଦଣ୍ଡ ମିଳିଛି ।
ଅନ୍ୟପକ୍ଷେ ନନ୍ ସେଫିଙ୍କୁ ବି ଦଫା ୩୦୨ ଅନୁଯାୟୀ ହତ୍ୟା ମାମଲାରେ ୫ ଲକ୍ଷ ଜୋରିମାନା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହାଛଡା ପ୍ରମାଣ ନଷ୍ଟ ପାଇଁ ସାତ ବର୍ଷର ଦଣ୍ଡ ବିଧାନ କରାଯାଇଛି। ନନ୍ ଅଭୟା ରହୁଥିବା କନଭେଣ୍ଟର ଦେଖାଶୁଣା କରୁଥିଲେ ନନ୍ ସେଫି ।

୨୧ ବର୍ଷିୟା ନନ୍ ଅଭୟାଙ୍କୁ ୨୭ ମାର୍ଚ୍ଚ ୧୯୯୨ରେ କୋଟାୟାମର ଏକ କନଭେଣ୍ଟରେ ହତ୍ୟା କରାଯାଇଥିଲା । କାରଣ ସେ ଥୋମାସ କୋଟୁର, ଆଉ ଜଣେ ପାଦ୍ରୀ ଜୋସ୍ ଫୁଥ୍ରାକାୟାଲ ଏବଂ ସେଫିଙ୍କ ମଧ୍ୟରେ ଅନୈତିକ କାର୍ଯ୍ୟକଳାପ ଦେଖି ଦେଇଥିଲେ। ଏହି କଥା ବାହାରେ ପ୍ରଘଟ ହେଇଯିବା ଭୟରେ ଅଭୟାଙ୍କୁ କୁରାଢିରେ ହାଣି ହତ୍ୟା କରିଥିଲେ ଅଭିଯୁକ୍ତ । ସିବିଆଇ ରିପୋର୍ଟ ଅନୁଯାୟୀ, ଏହି ଘଟଣାକୁ ଆତ୍ମହତ୍ୟାର ରୂପ ଦେବାପାଇଁ ସେମାନେ ନନ୍ ଅଭୟାଙ୍କୁ ହତ୍ୟା କରି ମୃତଦେହକୁ ଏକ କୂଅରେ ଫିଙ୍ଗି ଦେଇଥିଲେ।

ପ୍ରାରମ୍ଭରେ ଏହି ଘଟଣାକୁ ଏକ ଆତ୍ମହତ୍ୟା ମାମଲା ବୋଲି କୁହାଯାଉଥିଲା । ପୋଲିସ ଏବଂ କ୍ରାଇମ ବ୍ରାଞ୍ଚର ତଦନ୍ତ ରିପୋର୍ଟରେ ବି ଏହା ଦର୍ଶାଯାଇଥିଲା । କିନ୍ତୁ ତଦନ୍ତରେ ଅନେକ ଦିଗ ସ୍ପଷ୍ଟ କରାଯାଇନଥିଲା। ବହୁ ବିରୋଧ ପରେ ଏହି ମାମଲା ସିବିଆଇକୁ ଦିଆଯାଇଥିଲା। କୌତୁହଳର ବିଷୟ ଯେ କୋର୍ଟରେ ସିବିଆଇ ତିନୋଟି ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲା, ଯାହାକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ। ତଦନ୍ତର ଅନେକ ଦିଗରେ କୋର୍ଟ ସନ୍ତୁଷ୍ଟ ନଥିଲେ। ଶେଷ ସିବିଆଇ ରିପୋର୍ଟ ଦେଖିବା ପରେ କୋର୍ଟ ଉଭୟ ଅଭିଯୁକ୍ତଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ମାମଲାରେ ଦ୍ୱିତୀୟ ଅଭିଯୁକ୍ତ ଫୁଥ୍ରାକାୟାଲ ପ୍ରମାଣ ଅଭାବରୁ ଗତ ବର୍ଷ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ।

Comments are closed.