ସହର ଛୋଟ, ବିକାଶରେ ଆଗ

ସେ ମହାନଗର ହେଉ କି ପୌରପାଳିକା ଅଥବା ଏନ୍‌ଏସି … ରାଜ୍ୟର ସମସ୍ତ ସହରାଞ୍ଚଳ ଯେପରି ବିକାଶର ଦୌଡ଼ରେ ନିଜକୁ ସାମିଲ କରିପାରିବେ ତାହା ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିପାଇଁ ତ ରାଜ୍ୟର ସମସ୍ତ ସହରାଞ୍ଚଳ ପାଇଁ ପାନୀୟ ଜଳ ପ୍ରକଳ୍ପରୁ ଆରମ୍ଭ କରି ଯୁବ ବର୍ଗ ପାଇଁ ଓପନ୍ ଜିମ୍, ଛୋଟ ପିଲାଙ୍କ ସମେତ ସବୁ ବୟସ ବର୍ଗର ଲୋକଙ୍କ ପାଇଁ ପାର୍କ, ବରିଷ୍ଠ ନାଗରିକଙ୍କ ଚିତ୍ତ ବିନୋଦନ କେନ୍ଦ୍ର, ଆଦର୍ଶ ଶ୍ମଶାନ ଭଳି ଅନେକ ଯୋଜନାକୁ ବାସ୍ତବ ରୂପ ଦେବାରେ ଲାଗିଛନ୍ତି ସେ । ଛୋଟ ସହର ହେଲେ ବି କିଭଳି ନିଜକୁ ବିକାଶର ଦୌଡ଼ରେ ଅଗ୍ରଣୀ କରିପାରିବ ତାହାର ଏକ ନଜୀର ପାଲଟିଛି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳି ସହର ।

ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର ଏକମାତ୍ର ପୌରପାଳିକା ହିଞ୍ଜିଳି । ୨୧ ୱାର୍ଡ, ଜନସଂଖ୍ୟା ପ୍ରାୟ ୩୦ ହଜାର । ସହର ଦେଇ ଯାଇଛି ରାଜପଥ , ଗୋଟିଏ ପାର୍ଶ୍ଵରେ ରଷିକୁଲ୍ୟା ନଦୀ ପ୍ରବାହିତ । ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯୋଡୁଥିବା ଏକ ପେଣ୍ଠସ୍ଥଳ । କିଛି ବର୍ଷ ତଳେ ହିଞ୍ଜିଳି କହିଲେ ଲୋକେ ଗ୍ରାମାଞ୍ଚଳକୁ ହିଁ ବୁଝୁଥିଲେ । ତେବେ ଗତ ଦୁଇ ଦଶନ୍ଧି ମଧ୍ୟରେ ଧିରେ ଧିରେ ଏହାର କାୟା ପରିବର୍ତ୍ତନ କରିବାରେ ସକ୍ଷମ ହୋଇଛନ୍ତି ଏଠାରୁ ବିଧାୟକ ନିର୍ବାଚିତ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ଆଦର୍ଶ ପୌରାଞ୍ଚଳ ଭାବେ ଜିଲ୍ଲା ତଥା ରାଜ୍ୟରେ ଧିରେ ଧିରେ ପରିଚିତ ହେବାରେ ଲାଗିଛି ହିଞ୍ଜିଳି । ଆଉ ଏହାର ନଜୀର ହେଉଛି ଧିରେ ଧିରେ ଏଠି ଗଢ଼ି ଉଠୁଥିବା ବା ନିର୍ମାଣ ହୋଇ ଜନସାଧାରଣଙ୍କ ସେବାରେ ଲୋକାର୍ପିତ ହେଉଥିବା ଉନ୍ନତ ଭିତ୍ତିଭୂମି। ନବୀନ ପଟ୍ଟନାୟକ ଏଠାରୁ ପ୍ରତିନିଧିତ୍ବ କରିବା ପୂର୍ବରୁ ନାହିଁ ନାହିଁର ଅଞ୍ଚଳ କୁହାଯାଉଥିବା ହିଞ୍ଜିଳିରେ ଏବେ ଜାତୀୟସ୍ତରର ତଥା ଆଧୁନିକମାନର ସୁବିଧା ସୁଯୋଗ ସହରବାସୀଙ୍କୁ ନିଜ ପାଇଁ ଗର୍ବିତ ଅନୁଭବ କରିବାର ସୁଯୋଗ ଆଣି ଦେଉଛି ।

ଏଥିରେ ଗୁରୁବାର ଆଉ ଏକ ଅଧ୍ୟାୟ ଯୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍‌ଲାଇନ୍ ଜରିଆରେ ପ୍ରାୟ ୨୮ କୋଟି ୫୭ ହଜାର ଟଙ୍କା ଖର୍ଚ୍ଚରେ ନିର୍ମିତ ୧୪ଟି ପ୍ରକଳ୍ପ ସାଧାରଣ ଜନତାଙ୍କ ନିମନ୍ତେ ଉଦ୍‌ଘାଟନ କରିଛନ୍ତି । ଗୃହ ଓ ନଗର ଉନ୍ନୟନ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସମବାୟ ବିଭାଗ ଜରିଆରେ ନିର୍ମିତ ଏସବୁ ଭିତ୍ତିଭୂମି କେବଳ ହିଞ୍ଜିଳିକାଟୁ ସହରର ବିକାଶକୁ ତ୍ବରାନ୍ବିତ କରିବ ତାହା ନୁହେଁ, ଏଥିସହ ସହରବାସୀଙ୍କୁ ଏକ ଉନ୍ନତ ଜୀବନଶୈଳୀ ଭେଟିଦେବ ସେଥିରେ କୌଣସି ଦ୍ଵିମତ ନାହିଁ ।

ଉଦ୍‌ଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଉଦ୍‌ବୋଧନରେ ଶିକ୍ଷାକୁ ଗୁରୁତ୍ବ ଦେଇଥିଲେ । ପିଲାମାନେ ହେଉଛନ୍ତି ଏ ଜାତିର ତଥା ଏ ଦେଶର ଭବିଷ୍ୟତ । ଶିକ୍ଷା ହେଉଛି ପରିବର୍ତ୍ତନର ଚାବିକାଠି ତଥା ପ୍ରକୃତ ସଶକ୍ତୀକରଣ । ତେଣୁ ହିଞ୍ଜିଳିରେ ଶିକ୍ଷାର ବିକାଶ ପ୍ରତି ଗୁରୁତ୍ୱ ଦିଆଯାଉଛି । ହିଞ୍ଜିଳିକୁ ଶିକ୍ଷା କ୍ଷେତ୍ରରେ ଏକ ଆଗୁଆ ଅଞ୍ଚଳ ଭାବେ ବିକଶିତ କରିବା ତାଙ୍କର ଲକ୍ଷ୍ୟ । ହିଞ୍ଜିଳିର ଜନସାଧାରଣଙ୍କ ସୁଖଦୁଃଖ , ସବୁଥିରେ ସେ ସେମାନଙ୍କ ସହିତ ରହିଛନ୍ତି ଓ ରହିବେ । ରାଜ୍ୟର ଛୋଟ ଛୋଟ ସହରର ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ସାରା ଓଡ଼ିଶା ସହିତ ହିଞ୍ଜିଳି ଅଞ୍ଚଳର ବିକାଶ ଉପରେ ସେ ନଜର ରଖୁଛନ୍ତି। ଆଧୁନିକ ସହରମାନଙ୍କରେ ଯାହା ସୁବିଧା ସୁଯୋଗ ମିଳୁଛି, ହିଞ୍ଜିଳିବାସୀ ମଧ୍ୟ ତାହା ପାଇପାରିବେ, ସେଥିପାଇଁ ସେ ପ୍ରୟାସ କରୁଥିବା ଦର୍ଶାଇଥିଲେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟିତ ପ୍ରକଳ୍ପମାନଙ୍କ ମଧ୍ୟରେ ରହିଛି ଉପଖଣ୍ଡ ଡାକ୍ତରଖାନାର ନୂତନ କୋଠା ( ୧୬.୭୭ କୋଟି ଟଙ୍କା), ନବନିର୍ମିତ ବସ୍ ଟର୍ମିନାଲ ( ୩.୨୧ କୋଟି ଟଙ୍କା ), ନେତାଜୀ ପାର୍କ ( ୧.୬୨ କୋଟି ), ଆମିଷ ବଜାର ( ୧.୧୩ କୋଟି ଟଙ୍କା ), ପୌର କାର୍ଯ୍ୟାଳୟର ନୂଆ କୋଠା ( ୧.୦୨ କୋଟି ), ଭେଣ୍ଡିଂ ଜୋନ୍ ( ୯୫ ଲକ୍ଷ ଟଙ୍କା ), ଆରଏମସି ବଜାର ଗୃହ ( ୮୫ ଲକ୍ଷ ଟଙ୍କା ), ଆରଏମସି ଇ – ନାମ ଓ ଲାବ୍ ( ୫୫ ଲକ୍ଷ ଟଙ୍କା ), ପୌର ବଜାର ଗୃହ ( ୪୧ ଲକ୍ଷ ଟଙ୍କା ), ବୟୋଜ୍ୟେଷ୍ଠଙ୍କ ପାଇଁ ଚିତ୍ତ ବିନୋଦନ କେନ୍ଦ୍ର ( ୪୦ ଲକ୍ଷ ଟଙ୍କା ), ପୌର ଅତିଥି ଭବନ ( ୩୨ ଲକ୍ଷ ଟଙ୍କା ), ଶୀତଳ ଭଣ୍ଡାର ( ୩୩ ଲକ୍ଷଟଙ୍କା), ଦୁଇଟି ମିନି କଲ୍ୟାଣ ମଣ୍ଡପ ( ୪୦ ଲକ୍ଷ ଟଙ୍କା) ଆଦି । ଏସବୁ ପ୍ରକଳ୍ପ ହିଁ ଦର୍ଶାଉଛି ଯେ ଏବେ ହିଞ୍ଜିଳିଟଙ୍କା ସ୍ବାସ୍ଥ୍ୟ, ଯୋଗାଯୋଗ, ବାଣିଜ୍ୟ ବ୍ୟବସାୟ, ସହରୀ ଜୀବନଶୈଳୀ ଆଦି କ୍ଷେତ୍ରରେ ଅନ୍ୟ ସହର ପାଇଁ ମାର୍ଗଦର୍ଶକ ସାଜିଛି ।

ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ତଳେ ଏଠାରେ ଅନ୍ତର୍ଜାତୀୟମାନର ଇନ୍‌ଡୋର ଷ୍ଟାଡିୟମ୍ ( ପ୍ରାୟ ୧୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ) ସହରବାସୀଙ୍କୁ ଭେଟି ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆଗାମୀ ଦିନରେ ହେବାକୁ ଥିବା ସ୍ବଚ୍ଛ ସର୍ବେକ୍ଷଣ ପ୍ରତିଯୋଗିତାରେ ହିଞ୍ଜିଳି ଯେଭଳି ଜାତୀୟସ୍ତରରେ ଶୀର୍ଷ ସ୍ଥାନ ହାସଲ କରିବ ସେଥିପାଇଁ ମଧ୍ୟ ଖୋଦ୍ ନବୀନଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଓ ମ୍ୟୁନିସିପାଲିଟି ପ୍ରଶାସନ ବେଶ୍ ତତ୍ପରତାର ସହ କାର୍ଯ୍ୟ କରୁଛି । ନିଶ୍ଚିତ ଭାବେ ହିଞ୍ଜିଳି ଏବେ କେବଳ ଆମ ରାଜ୍ୟ ନୁହେଁ , ସାରା ଦେଶରେ ବିକାଶର ଏକ ମଡେଲ୍ ହେବାକୁ ଯାଉଛି ବୋଲି କହିହେବ ।

ମୁଖ୍ୟମନ୍ତ୍ରୀଙ୍କ ବିକାଶ ଯୋଜନା ସମ୍ବନ୍ଧିତ ଦୂରଦୃଷ୍ଟି ଏଥିରେ ସ୍ପଷ୍ଟ ପ୍ରତିଫଳିତ। ଇସ୍ରାଏଲ ଭଳି ଅନେକ ଦେଶରେ ପରିଲକ୍ଷିତ ହୁଏ ଯେ ସେଠାରେ କେବଳ ବଡ଼ ବଡ଼ ସହରର ବିକାଶକୁ ଗୁରୁତ୍ୱ ଦିଆଯାଏନି। ବରଂ ଏଥିସହ ଛୋଟ ସହରଗୁଡିକର ଉନ୍ନୟନ ପ୍ରତି ମଧ୍ୟ ସମାନ ମହତ୍ତ୍ବ ଦିଆଯାଏ। ଏହାଦ୍ବାରା ଆଞ୍ଚଳିକ ବୈଷମ୍ୟ ଠାରୁ ଦୂରରେ ରହି ସମଗ୍ର ଅଞ୍ଚଳର ପ୍ରଗତି ଲୋକଙ୍କ ଜୀବନଧାରାକୁ ଅଧିକ ଉନ୍ନତ କରିଥାଏ। ତିନି ଦଶନ୍ଧି ତଳର କଥା କହିବାକୁ ଗଲେ, ବ୍ରହ୍ମପୁର ପରେ ଲୋକେ ଆସିକା କିମ୍ବା ଭଞ୍ଜନଗରକୁ ବୁଝୁଥିଲେ। ଏବେ ତାରାତାରିଣୀ ପୀଠର ବିକାଶ ସହ ପୁରୁଷୋତ୍ତମପୁର ଏନଏସି ଉନ୍ନତି କରୁଛି। କ୍ରୀଡ଼ା ପାଇଁ କେବଳ ବ୍ରହ୍ମପୁର ଏକମାତ୍ର ପସନ୍ଦର ସ୍ଥାନ ନ ହୋଇ ହିଞ୍ଜିଳି, ଛତ୍ରପୁର ମଧ୍ୟ ଦାବିଦାର ହେଲେଣି। ଏଣିକି ଛୋଟ ସହରର ବିକାଶ ଦ୍ବାରା ଗ୍ରାମାଞ୍ଚଳର ଲୋକେ ଆଉ କଥା କଥାରେ ବଡ଼ ସହରକୁ ଦୌଡ଼ିବେନି। ନିକଟସ୍ଥ ଛୋଟ ଅଥଚ ବିକଶିତ ସହରରେ ଜୀବନଯାପନ ଅଥବା ଆମୋଦପ୍ରମୋଦର ଅବସର ପାଇପାରିବେ। ମୋଟାମୋଟି ଭାବେ ଓଡ଼ିଶାର ସାମଗ୍ରିକ ବିକାଶ ତ୍ବରାନ୍ବିତ ହେବ। ସେଇ ମହତ ଉଦ୍ଦେଶ୍ୟକୁ ନିଜ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଓ କାର୍ଯ୍ୟ ଜରିଆରେ ବାସ୍ତବ ରୂପ ଦେବାକୁ ନିଷ୍ଠାପର ଭାବେ ଲାଗିପଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Comments are closed.