ୟୁକ୍ରେନ ଯୁଦ୍ଧରେ ୧୦୩ ଶିଶୁଙ୍କ ମୃତ୍ୟୁ

କିଭ୍: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୨୧ ଦିନରେ ପହଞ୍ଚିଛି । କିନ୍ତୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଥମିବାର ନାଁ ନେଉନାହିଁ | ସେପଟେ କିଭ୍ ରେ ୨୪ ଘଣ୍ଟିଆ ଲକଡାଉନ୍ ଲଗାଯାଇଛି। କାହାକୁ ରାସ୍ତାରେ ଆସିବାକୁ ଅନୁମତି ନାହିଁ | ରାତିସାରା ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା । ବୁଧବାର ସକାଳେ ମଧ୍ୟ ସହରର ବିଭିନ୍ନ ସ୍ଥାନରୁ ଛୋଟବଡ଼ ଧମାକା ଶବ୍ଦ ଶୁଣାଯାଇଥିଲା ।

ଫେବୃଆରୀ ୨୪ରୁ ଆରମ୍ଭ ହୋଇଥିବା ରୁଷ ଆକ୍ରମଣରେ ଏଯାବତ୍ ୟୁକ୍ରେନରେ ୧୦୩ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ ରୁ ଅଧିକ ପିଲା ଆହତ ହୋଇଛନ୍ତି। ୟୁକ୍ରେନର ପ୍ରସିକ୍ୟୁଟର ଜେନେରାଲ ଇରିନା ଭେନେଡିକ୍ତୋଭା ଫେସବୁକରେ ଏହି ସୂଚନା ଦେଇଛନ୍ତି। ୟୁକ୍ରେନ ରାଜରାସ୍ତାରେ ରୁଷର ସେନାକୁ ଦେଖବାକୁ ମିଳୁଛି | ଅନ୍ୟପକ୍ଷରେ ରୁଷର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ରୁଷ ପ୍ରତି ବିପଦ ସାଜିବା ଭଳି ୟୁକ୍ରେନ ପାଖରେ ଏପରି କୌଣସି ଅସ୍ତ୍ରଶସ୍ତ୍ର ନାହିଁ। ସେ କହିଛନ୍ତି ଯେ ଆଲୋଚନା କଷ୍ଟସାଧ୍ୟ ଏବଂ ୟୁକ୍ରେନର ନିରପେକ୍ଷ ସ୍ଥିତିକୁ ମଧ୍ୟ ଗୁରୁତର ସହ ବିଚାର କରାଯାଉଛି। ସେପଟେ ବ୍ରିଟେନର ଡିଫେନ୍ସ ଇଣ୍ଟେଲିଜେନ୍ସ କହିଛି ଯେ ୟୁକ୍ରେନ ମାଟିରେ ରୁଷର ସେନାକୁ ଦୃଢ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡୁଛି ।

ତିନି ଦେଶର ପ୍ରଧାନମନ୍ତ୍ରୀ ପୋଲାଣ୍ଡ, ଚେକ ରିପବ୍ଲିକ୍ ଏବଂ ସ୍ଲୋଭେନିଆ ୟୁକ୍ରେନକୁ ସମର୍ଥନ ଜଣାଇବା ପାଇଁ ମଙ୍ଗଳବାର ୟୁକ୍ରେନର ରାଜଧାନୀରେ ପହଞ୍ଚିଛନ୍ତି। ଏହି ରାଜନେତାମାନେ କିଭ୍ ରେ ଥିବା ବେଳେ ମଧ୍ୟ ରୁଷ ସେନା ବୋମା ବର୍ଷା ଜାରି ରଖିଥିଲା।

ପ୍ରାପ୍ତ ସୂଚନା ଅନୁଯାୟୀ, ତିନିଜଣ ପ୍ରଧାନମନ୍ତ୍ରୀ କିଭରେ ପ୍ରାୟ ତିନି ଘଣ୍ଟା ବିତାଇଥିଲେ। ଏହି ପରିପ୍ରେକ୍ଷୀରେ ପୋଲାଣ୍ଡର ପ୍ରଧାନମନ୍ତ୍ରୀ ମାଟ୍ୟୁସଜ ମୋରାଓ୍ବିକି ଫେସବୁକ୍ ମାଧ୍ୟମରେ କହିଛନ୍ତି ଯେ ସେ ତିନି ଦେଶର ପ୍ରଧାନମନ୍ତ୍ରୀଙ୍କ ସହ କିଭରେ ଅଛନ୍ତି। ସେ କହିଛନ୍ତି ଯେ ରୁଷ ଲଗାତାର ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି। ଏହି କାରଣ ଯୋଗୁଁ ବିଶ୍ୱ ନିଜକୁ ଅସୁରକ୍ଷିତ ଅନୁଭବ କରୁଛି | ସେ କହିଛନ୍ତି ଯେ ଯୁଦ୍ଧରେ ଅନେକ ନିରୀହ ଲୋକଙ୍କୁ ଧନଜୀବନ ହରାଉଛନ୍ତି | ଏହି ଦୁଃଖଦ ଘଟଣାକୁ ରୋକିବା ପାଇଁ ଆମେ ଯଥାସମ୍ଭବ ଚେଷ୍ଟା କରୁଛୁ ଏବଂ ଏହି କ୍ରମରେ ଆମେ କିଭରେ ପହଞ୍ଚିଛୁ ବୋଲି ସେ କହିଛନ୍ତି |

Comments are closed.