ଜଙ୍ଗଲ ନିଆଁ ଆୟତ୍ତ ପାଇଁ ସହଯୋଗ ଲୋଡା, ଆର୍ମଚେୟାର ସମାଲୋଚନା ନୁହେଁ

ଜଙ୍ଗଲରେ ନିଆଁ ଲାଗିବା ଓଡିଶା ପାଇଁ ନୂଆ ଘଟଣା ନୁହେଁ । କିନ୍ତୁ ଚଳିତବର୍ଷ ଗ୍ରୀଷ୍ମ ଋତୁ ପ୍ରାରମ୍ଭରୁ ହିଁ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ବିଶେଷ କରି ଶିମିଳପାଳ ଭଳି ଜୈବ ବିବିଧତାପୂର୍ଣ୍ଣ ଅଭୟାରଣ୍ୟରେ ଅଂଚଳରେ ନିଆଁର ପ୍ରକୋପ ଆମ ସମସ୍ତଙ୍କ ପାଇଁ ଉଦବେଗର ବିଷୟ ନିଶ୍ଚିତ । ଶିମିଳିପାଳର ବନାଗ୍ନି ଲିଭାଇବା ପାଇଁ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର ସମୀକ୍ଷା କରିବା ସହ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି । ଓଡ୍ରାଫ ଟିମ୍‌କୁ ଶିିମିଳିପାଳ ପଠାଯାଇଛି । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

ଜଙ୍ଗଲ ନିଆଁକୁ କାବୁ କରିବା ଏତେ ସହଜ ନୁହେଁ । ଅଗ୍ନିକାଣ୍ଡରେ ବ୍ୟାପକତା ଓ ବନାଂଚଳର ଦୁର୍ଗମ ରାସ୍ତା ଜଙ୍ଗଲ ବିଭାଗ ପାଇଁ ଏକାଧିକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିଥାଏ । ମନେ ରଖିବାକୁ ହେବ ଯେ, ଜଙ୍ଗଲରେ ଥରେ ନିଆଁ ଲାଗିଲେ, ତାହା ନିୟନ୍ତ୍ରଣ କରିବା ମୁସ୍କିଲ । ତେଣୁ ସୁଚିନ୍ତିତ ଯୋଜନା ପୂୂର୍ବକ ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଯାଇଥାଏ । ଏଥିପାଇଁ ବହୁ କସରତ କରିବାକୁ ପଡିଥାଏ । ବିଗତ ବର୍ଷ ଅଷ୍ଟ୍ରେଲିଆରେ ଜଙ୍ଗଲ ନିଆଁ ତାଣ୍ଡବ ସୃଷ୍ଟି କରିଥିଲା । ମାସ ମାସ ଧରି ନିଆଁକୁ ଆୟତ୍ତ କରାଯାଇପାରି ନ ଥିଲା । ଅନେକ ଜୀବଜନ୍ତୁ ସର୍ବଗିଳା ଅଗ୍ନିଗର୍ଭକୁ ଚାଲିଯାଇଥିଲେ । ଅଷ୍ଟ୍ରେଲିଆ ଭଳି ଉନ୍ନତ ଦେଶକୁ ମଧ୍ୟ ଜଙ୍ଗଲ ନିଆଁ ଆୟତ୍ତ କରିବାରେ ନାକେଦମ ହେବାକୁ ପଡିଥିଲା ।

ସେ ଯାହାହେଉ ଶିମିଳିପାଳ ଓ ରାଜ୍ୟର ଅନ୍ୟ କିଛି ଜଙ୍ଗଲରେ ନିଆଁ ଆତ୍ତ ପାଇଁ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ନେଇଛନ୍ତି । ଏଥିପାଇଁ ସମସ୍ତଙ୍କ ସହଯୋଗ ଓ ସମର୍ଥନ ଦରକାର । କେବଳ ଆର୍ମଚେୟାର ସମାଲୋଚକଙ୍କ ଭଳି ମତ ଦେଲେ ଚଳିବ ନାହିଁ ।

ସୀମିତ ସମ୍ବଳ ମଧ୍ୟରେ ଜଙ୍ଗଲ ବିଭାଗକୁ କାମ କରିବାକୁ ପଡିଥାଏ । ତେଣୁ ନିଆଁ ପାଇଁ କେବଳ ଜଙ୍ଗଲ ବିଭାଗକୁ ଦାୟୀ କଲେ ଚଳିବ ନାହିଁ । ଜଙ୍ଗଲ ନିଆଁ ଭଭୟ ପ୍ରାକୃତିକ ଓ ମନୁଷ୍ୟକୃତ । କିଛି ଖଳ ଲୋକଙ୍କ ପାଇଁ ବି ଜଙ୍ଗଲରେ ନିଆଁ ଲାଗେ । କିନ୍ତୁ ଏମାନଙ୍କ ସଂଖ୍ୟା କମ୍ । ଏହି ଧରଣର ଲୋକଙ୍କ ଉପରେ ବନ ବିଭାଗର କଡା ନଜର ରହିବା ଜରୁରୀ ।

ଜଙ୍ଗଲ ନିଆଁ ରୋକିବା ଲାଗି ତୃଣମୂଳ ସ୍ତରରେ ସମ୍ମିଳିତ ଉଦ୍ୟମ ଜରୁରୀ । ବିସ୍ତୀର୍ଣ୍ଣ ଜଙ୍ଗଲ ନିକଟବର୍ତ୍ତୀ ଗାଁ ଲୋକଙ୍କୁ ବନାଗ୍ନି ବାବଦରେ ସଚେତନ କରିବା ସହ ନିଆଁ ଲଗାଉଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ବି ନିତାନ୍ତ ଆବଶ୍ୟକ । ଗାଁ ଲୋକଙ୍କୁ ଏକାଠି କରି ଜଙ୍ଗଲ ନିଆଁ ପ୍ରସଙ୍ଗରେ ସଚେତନତା ଓ ସତର୍କତାର ବାର୍ତ୍ତା ଦେବା ଜରୁରୀ । ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ସେମାନଙ୍କ ସହଯୋଗ ଓ ମତାମତ ବି ଅତି ଗୁରୁତ୍ୱପୂର୍ଣ୍ଣ । ତେଣୁ ଜଙ୍ଗଲ ନିଆଁ ଲିଭାଇଲା ବେଳେ ସ୍ଥାନୀୟ ଲୋକଙ୍କୁ କେବେ ବି ଉପେକ୍ଷା କରାଯାିପାରିବ ନାହିଁ । ସୁଖର କଥା ଯେ, ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିଲା ପରେ ସ୍ଥାନୀୟ ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ସୀମିତ ସମୟ ମଧ୍ୟରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ନିଆଁ ନ ଲଗାଇବା ପାଇଁ ଲୋକଙ୍କୁ ତାଗିଦ କରାଯାଉଛି । ଜଙ୍ଗଲ ନିକଟବର୍ତ୍ତୀ ଗାଁ ଗୁଡିକରେ ସଭାସମିତି କରାଯାଇ ଲୋକଙ୍କୁ ସଚେତନ କରାଯାଉଛି । ନିଆଁ ଲାଗିଲେ ପ୍ରାରମ୍ଭିକ ସତର୍କତା କିଭଳି ଅବଲମ୍ବନ କରାଯିବ, ସେ ନେଇ ଲୋକଙ୍କୁ ସୂଚନା ଦିଆଯାଉଛି । ଉଭୟ ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ଅଧିକରୁ ଅଧିକ ଗୋଷ୍ଠୀଭିତ୍ତିକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ସୂଚନା ମିଳିଛି । ଶିମଳପାଳ ଜଙ୍ଗଲ ନିକଟବର୍ତ୍ତୀ ଥିବା ଅନେକ ଗାଁରେ ସଚେତନତାର ବାର୍ତ୍ତା ପ୍ରଚାର କରୁଛି ପ୍ରଶାସନ । ଜଙ୍ଗଲ ନିଆଁର ମୁକାବିଲା ଓ ନିୟନ୍ତ୍ରଣ କିଭଳି କରିହେବ, ସେ ବାବଦର ସଚେତନ କରାଯିବା ସହ ସ୍ଥାନୀୟ ଲୋକଙ୍କଠାରୁ ମତାମତ ବି ଲୋଡାଯାଉଛି । ଗ୍ରାମସ୍ତରରେ ଗୋଷ୍ଠୀ ସଭାସମିତି କରାଯାଇ ଗାଁ ଲୋକଙ୍କୁ ସଚେତନ କରାଯାଇଛି । ଲୋକେ ବି ପ୍ରଶାସନକୁ ସହ ଯୋଗ କରିବାକୁ ଆଗେଇ ଆସୁଛନ୍ତି ।

ଶିମିଳିପାଳ ଜଙ୍ଗଲରେ ନିଆଁ ସମସ୍ତଙ୍କୁ ବ୍ୟସ୍ତବିବ୍ରତ କରିଛି । ସାଧାରଣ ଲୋକ,ପରିବେଶପ୍ରେମୀ ସମସ୍ତଙ୍କୁ ବ୍ୟଥିତ କରିଛି ଜଙ୍ଗଲ ନିଆଁ । ନିଆଁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଜାରି ରହିଥିବା ବେଳେ ସରକାରଙ୍କୁ ଏ ଦିଗରେ ପୂର୍ଣ୍ଣ ସମର୍ଥନ ଓ ସହଯୋଗ ଦରକାର । ଚିରାଚରିତ ଭାବେ କେବଳ ସରକାରଙ୍କୁ ଦାୟୀ କରି ବସିଗଲେ ଚଳିବ ନାହିଁ ।

Comments are closed.