ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ତ୍ରିବେନ୍ଦ୍ର ସିଂହ ରାୱତଙ୍କ ଇସ୍ତଫା

ନୂଆଦିଲ୍ଲୀ – ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ତ୍ରିବେନ୍ଦ୍ର ସିଂହ ରାୱତ ଇସ୍ତଫା ଦେଇଛନ୍ତି । ରାଜ୍ୟରେ ବିଜେପି ଶାସିତ ସରକାରର ନେତୃତ୍ୱ ପରିବର୍ତ୍ତନ ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଜୋର୍ ଧରିଥିଲା । ଦିଲ୍ଲୀରେ ଦଳର କେନ୍ଦ୍ରୀୟ ନେତୃବର୍ଗଙ୍କୁ ଭେଟିବା ପରେ ରାୱତ ପଦ ଛାଡ଼ିବା ସ୍ପଷ୍ଟ ହୋଇଯାଇଥିଲା ।

ରାୱତ ଆଜି ଅପରାହ୍ନରେ ଦିଲ୍ଲୀରୁ ଫେରିବା ପରେ ରାଜଭବନ ଯାଇ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟଙ୍କୁ ଭେଟି ତାଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଥିଲେ ।

ରାୱତଙ୍କ ବିରୋଧରେ ଦଳରେ ବିଦ୍ରୋହ ସୃଷ୍ଟି ହୋଇଥିଲା । ତାଙ୍କ ଉପରେ ଅନେକ ଦଳୀୟ ବିଧାୟକ ଅସନ୍ତୁଷ୍ଟ ଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ, ଲୋକ ପ୍ରତିନିଧିଙ୍କ ପରିବର୍ତ୍ତେ ରାୱତ ଅଫିସରମାନଙ୍କୁ ଗୁରୁତ୍ୱ ଦେଉଛନ୍ତି । ରାୱତ ସେମାନଙ୍କ କଥା ଶୁଣୁ ନାହାନ୍ତି ବୋଲି ବିଦ୍ରୋହୀ ନେତା ଅଭିଯୋଗ କରିଥିଲେ । ମୁଖ୍ୟମନ୍ତ୍ରୀ ଭାବେ ରାୱତ ମାର୍ଚ୍ଚ ୧୭ରେ ନିଜ କାର୍ଯ୍ୟକାଳର ଚାରିବର୍ଷ ପୂରଣ କରିଥାନ୍ତେ ।

ଦଳୀୟ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଆଧାରରେ ରାୱତଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ବିଜେପି ନିଷ୍ପତ୍ତି ନେଇଥିଲା । ରାୱତଙ୍କ ସ୍ଥାନରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଖୁବଶୀଘ୍ର ବିଧାୟକ ଦଳର ବୈଠକ ଡକାଯାଇ ନିଷ୍ପତ୍ତି ନିଆଯିବ । ମୁଖ୍ୟମନ୍ତ୍ରୀ ଦୌଡ଼ରେ ରାଜ୍ୟସଭା ସାଂସଦ ଅନିଲ ବଲୁନି, ନୈନିତାଲରୁ ଲୋକସଭା ସାଂସଦ ହୋଇଥିବା ଅଜୟ ଭଟ୍ଟ ଓ ଧନ ସିଂହ ରାୱତ ସର୍ବାଗ୍ରେ ରହିଛନ୍ତି ।

Comments are closed.