ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ ବିକାଶ ପର୍ବ ଆଜି

ଲୋକାର୍ପିତ ହେବ ୨୩୩୩ କୋଟିର ପ୍ରକଳ୍ପ

ନୂଆପଡ଼ା : କଳାହାଣ୍ଡି , ସୁଦରଗଡ ପରେ ନୂଆପଡା । ନୂଆପଡା ଆସନ୍ତାକାଲି ଠାରୁ ବିକାଶର ନୂଆ ଅଧ୍ୟାୟ ଦେଖିବାକୁ ଯାଉଛି । ଦୂରେଇବାକୁ ଯାଉଛି ଅତୀତର ସବୁ ଅପବାଦ । ଏବେ ନୂଆଁ ଓଡିଶା ବିକାଶ ଧାରାରେ ନୂଆପଡା ସାମିଲ ହେବାକୁ ଯାଉଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡା ଗସ୍ତରେ ଆସୁଛନ୍ତି । ଆଉ ଜିଲ୍ଲା ଇତିହାସରେ ପ୍ରଥମ କରି ଏକା ସାଙ୍ଗେ ୪ ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଏହି ବିକାଶ ପର୍ବ ପାଇଁ ନୂଆପଡ଼ା ଚଳଚଞ୍ଚଳ ହୋଇଉଠିଛି । ଜିଲ୍ଲାରେ ବିଜେଡିର ବହୁ ଛାମୁଆ ନେତା ଓ ମନ୍ତ୍ରୀ ଡେରା ପକାଇଛନ୍ତି । ଜିଲ୍ଲାବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖୁବାକୁ ମିଳିଛି ।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସମଗ୍ର ନୂଆପଡ଼ାରେ ପ୍ରଶାସନ ପକ୍ଷରୁ ନାହିଁ ନଥିବା ପ୍ରସ୍ତୁତି ହୋଇଛି । ରାଜ୍ୟ ବିଜେଡି ସଂଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଗତକାଲି ଠାରୁ ଶ୍ରୀ ଦାସ ନୂଆପଡାରେ ପହଞ୍ଚି ପ୍ରସ୍ତୁତିର ତଦାରଖ କରୁଛନ୍ତି । ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡ଼ିଆରେ ମୁଖ୍ୟମନ୍ତ୍ରୀ ଜନ ସାଧାରଣଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ନୂଆପଡ଼ା ବିଧାନ ସଭା ମଣ୍ଡଳୀରେ ନୂଆପଡ଼ା , ଖରିଆରରୋଡ , ପରକୋଡ , ସାରାବଙ୍ଗ , କୋମନା ବ୍ଲକର କୋମନା , ତରବୋଡ , ଝଗ୍ରାହୀ ଓ ଖଡ଼ିଆଳ ବିଧାନ ସଭା ମଣ୍ଡଳୀରେ ସିନାପାଲି , ରାଣିମୁଣ୍ଡା , କେନ୍ଦୁମୁଣ୍ଡା ଓ ବୋଡେନ ଠାରେ କୃଷ୍ଟରରେ ୧୨ ଟି ସର୍କଲରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସ ଜରିଆରେ ସିଧାପ୍ରସାରଣ କରିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ କର୍ଯ୍ୟକ୍ରମ ଭିସି ମାଧ୍ୟମରେ ଶୁଣାଇବାର ବ୍ୟବସ୍ଥା ହୋଇଛି । ଏଥିପାଇଁ ବିଭିନ୍ନ ବ୍ଳକ ଦାୟିତ୍ବରେ ବିଭିନ୍ନ ମନ୍ତ୍ରୀ ଓ ବିଧାୟକଙ୍କୁ ରଖାଯାଇଛି । ନୂଆପଡ଼ାରେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ , କୋମନାରେ ପଞ୍ଚାୟତିରାଜ ଓ ସହର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା , ସିନାପାଲିରେ ଗୃହ ଓ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର , ବୋଡେନରେ ଯୋଜନା ଓ ସମନ୍ବୟ , ଅଞ୍ଚଳିକ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା , ଖଡ଼ିଆଳରେ ଅବକାରୀ ମନ୍ତ୍ରୀ ନିରଂଜନ ପୂଝାରୀ ଓ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଭିଡିଓ କନଫରେନ୍ସ କାର୍ଯ୍ୟକ୍ରମକୁ ତଦାରଖ କରୁଛନ୍ତି । ସେହିପରି ୬ ଜଣ ମନ୍ତ୍ରୀ ଓ ୩୦ ଜଣ ବିଧାୟକ ନିୟୋଜିତ ହୋଇଛନ୍ତି । ରାଜ୍ୟ ସଭା ସଂସଦ ସୁଜିତ କୁମାର , ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ , କାଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଧେନ୍ଦ୍ର ସିଂଦେଓ , ଜିଲ୍ଲା ବିଜେଡି ସଭାପତି ମନୋଜ ମିଶ୍ର , ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ , ଜିଲ୍ଲା ଯୁବ ବିଜେଡି ସଭାପତି ହରିଶ୍ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମକୁ ତଦାରଖ କରୁଛନ୍ତି ।

ଆସନ୍ତାକାଲି ଜଳ ସମ୍ପଦ , ପଞ୍ଚାୟତିରାଜ , ରାସ୍ତା ଓ ବ୍ରିଜ ନିର୍ମାଣ , ସହର ଉନ୍ନୟନ , ଶିକ୍ଷା ଏବଂ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ , ଜଙ୍ଗଲ ଓ ପରିବେଶ ବିଭାଗର ୪ ହଜାର କୋଟି ଅଟକଳ ବ୍ୟୟର ୩୬ ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ , ନୂଆପଡ଼ା ଏକ ମାଓପ୍ରବଣ ଜିଲ୍ଲା ହୋଇଥିବାରୁ ପୁଲିସ ପ୍ରଶାସନ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା ରହିଛି ।

Comments are closed.