କୋଭିଡ୍ ନିୟମ ନ ମାନିଲେ ଯାତ୍ରୀଙ୍କୁ ‘ନୋ ଫ୍ଲାଏ’ ଲିଷ୍ଟରେ ରଖିବାକୁ ଡିଜିସିଏର ନିର୍ଦ୍ଦେଶ

ନୂଆଦିଲ୍ଲୀ – ଦେଶରେ ପୁଣି କରୋନା ସଂକ୍ରମଣର ଲେଉଟାଣି ହୋଇଥିବା ବେଳେ କୋଭିଡ୍ ଗାଇଡ୍‌ଲାଇନ୍ କଡ଼ାକଡ଼ି ଭାବେ ପାଳନ କରିବାକୁ ସରକାର ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଭାରତୀୟ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ମଧ୍ୟ ଯାତ୍ରୀମାନଙ୍କ ପାଇଁ କୋଭିଡ୍ ପ୍ରୋଟୋକଲ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛି । ବିମାନ ଯାତ୍ରା ବେଳେ ଯଦି କୌଣସି ଯାତ୍ରୀ କୋଭିଡ୍ ନିୟମ ନ ପାଳନ କରନ୍ତି, ତେବେ ସେମାନଙ୍କ ଉପରେ କଟକଣା ଲଗାଯିବ । ଦୋଷୀ ଯାତ୍ରୀଙ୍କୁ ଦୁଇରୁ ତିନି ମାସ ପର୍ଯ୍ୟନ୍ତ ‘ନୋ ଫ୍ଲାଏ’ ଲିଷ୍ଟରେ ରଖିବାକୁ ଡିଜିସିଏ ତରଫରୁ ସବୁ ବିମାନ ସେବା ପ୍ରଦାନକାରୀ କମ୍ପାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଯାତ୍ରା ପୂର୍ବରୁ ଯଦି କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ ହୁଏ, ତେବେ ସମ୍ପୃକ୍ତ୍ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯିବ ବୋଲି ଡିଜିସିଏ ତରଫରୁ ଜାରି ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ।

ବିମାନରେ ବିଶୃଙ୍ଖଳା କରୁଥିବା ଯାତ୍ରୀଙ୍କୁ ସାଧାରଣତଃ ‘ନୋ ଫ୍ଲାଏ’ ଲିଷ୍ଟରେ ରଖାଯାଏ । ଏଭଳି ଯାତ୍ରୀଙ୍କ ଉପରେ ତିନିରୁ ୬ ମାସ ଯାଏଁ କଟକଣା ଲଗାଯାଏ । ଏବେ ଏହି ତାଲିକାରେ କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କୁ ବି ସାମିଲ କରାଯିବ ବୋଲି ଡିଜିସିଏ କହିଛି ।

ନିକଟରେ ଦିଲ୍ଲୀ ହାଇକୋର୍ଟ କୋଭିଡ୍ ନିୟମ ପାଳନ କରୁନଥିବା ଯାତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିସିଏକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ଦେଇଥିବା ବିଚାରପତି ଏକ ଏୟାର ଇଣ୍ଡିଆ ଫ୍ଲାଇଟରେ କୋଲକାତାରୁ ଦିଲ୍ଲୀ ଆସିବା ସମୟରେ କରୋନା ନେଇ ଦର୍ଶକଙ୍କ ଖାମଖିଆଲ ଆଭିମୁଖ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ବୋଲି କହିଥିଲେ ।

Comments are closed.