ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା; ସୂର୍ଯ୍ୟକୁମାର, କୃନାଳ ପାଣ୍ଡ୍ୟା ଓ ପ୍ରସିଦ୍ଧ କ୍ରିଷ୍ଣା ସାମିଲ

ନୂଆଦିଲ୍ଲୀ – ଇଂଲଣ୍ଡ ବିପକ୍ଷ ଆଗାମୀ ଦିନିକିଆ ସିରିଜ୍ ପାଇଁ ଶୁକ୍ରବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । କର୍ଣ୍ଣାଟକ ପେସର ପ୍ରସିଦ୍ଧ କ୍ରିଷ୍ଣାଙ୍କ ସମେତ ମୁମ୍ବାଇ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଓ ବରୋଦା ଅଲରାଉଣ୍ଡର କୃନାଳ ପାଣ୍ଡ୍ୟାଙ୍କୁ ଦିନିକିଆ ଦଳରେ ସୁଯୋଗ ଦିଆଯାଇଛି ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ମାର୍ଚ୍ଚ ୨୩ରୁ ଆରମ୍ଭ ହେବ । ତିନୋଟି ଯାକ ମ୍ୟାଚ୍ ପୁଣେରେ ବିନା ଦର୍ଶକରେ ଖେଳାଯିବ ।

ଫିଟ୍‌ନେସ୍ ଟେଷ୍ଟରେ ଉତ୍ତୀର୍ଣ୍ଣ ହେବା ପରେ ଭାରତର ନୂଆ ୟର୍କର ସେନ୍‌ସେସନ୍ ଟି.ନଟରାଜନ ମଧ୍ୟ ଦଳକୁ ଫେରିଛନ୍ତି । ସେ ଗତକାଲି ଚତୁର୍ଥ ଟି୨୦ ବେଳେ ଭାରତୀୟ ଦଳ ସହ ଯୋଗ ଦେଇଥିଲେ । ଅଷ୍ଟ୍ରେଲିଆ ଗସ୍ତରେ ତିନୋଟି ଯାକ ଫର୍ମାଟରେ ଡେବ୍ୟୁ କରିବାକୁ ସୁଯୋଗ ପାଇଥିଲେ ନଟରାଜନ । ସେ ସେହି ଗସ୍ତରେ ଚମତ୍କାର ପ୍ରଦର୍ଶନ ବି କରିଥିଲେ ।
ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି୨୦ରେ ନିଜ ଡେବ୍ୟୁ ଇନିଂସରେ ସୂର୍ଯ୍ୟକୁମାର ଏକ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିଲେ । ଭାରତ ସେହି ମ୍ୟାଚକୁ ୮ ରନରେ ଜିତି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୨ ସ୍ଥିତିକୁ ଆଣିଥିଲା । ଚତୁର୍ଥ ଟି୨୦ରେ ଚମତ୍କାର ପ୍ରଦର୍ଶନ ଯୋଗୁଁ ସୂର୍ଯ୍ୟକୁମାର ଦିନିକିଆ ଦଳରେ ବି ସୁଯୋଗ ପାଇଛନ୍ତି ।

ଦିନିକିଆ ଦଳରେ ପ୍ରଥମ ଥର ସାମିଲ ହୋଇଥିବା କୃନାଳ ପାଣ୍ଡ୍ୟା ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ଭାଇ । କୃନାଳ ପୂର୍ବରୁ ଭାରତ ପାଇଁ ୧୮ ଟି୨୦ ଖେଳିଛନ୍ତି । ଏହି ଫର୍ମାଟରେ ସେ ୧୨୧ ରନ୍ ସହ ୧୪ଟି ୱିକେଟ୍ ନେଇଛନ୍ତି । ବିଜୟ ହଜାରେ ଟ୍ରଫି ଓ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପ୍ରଦର୍ଶନ ବଳରେ କର୍ଣ୍ଣାଟକ ପେସର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ମଧ୍ୟ ଦିନିକିଆ ଦଳରେ ସୁଯୋଗ ମିଳିଛି ।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଶିଖର ଧାୱନ, ଶୁବମନ ଗିଲ୍‌, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ (ୱିକେଟକିପର), ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, କୃନାଳ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ଟି.ନଟରାଜନ, ଭୁବନେଶ୍ୱର କୁମାର, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଶାର୍ଦ୍ଦୁଲ ଠାକୁର ।

Comments are closed.