ଗାନ୍ଧୀ ଶିଳ୍ପ ବଜାରରେ ଆକର୍ଷଣୀୟ ହସ୍ତଶିଳ୍ପ ସାମଗ୍ରୀ

ଭୁବନେଶ୍ୱର: ସ୍ଥାନୀୟ ୟୁନିଟ ୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ମାର୍ଚ୍ଚ ୧୫ ତାରିଖଠାରୁ ଆରମ୍ଭ ହୋଇଥିବା ‘ ଗାନ୍ଧୀ ଶିଳ୍ପ ବଜାର’ରେ ଆଉ ଦୁଇଟି ରାଜ୍ୟ ଅଂଶ ଗ୍ରହଣ କରିବା ପରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି । ଏଥିରେ ୬୦ଟି ହସ୍ତଶିଳ୍ପ ସାମଗ୍ରୀ ରହିଛି । ଓଡ଼ିଶାର ୩୨ଟି ହସ୍ତଶିଳ୍ପ ସ୍ଥାନିତ ହୋଇଥିବାବେଳେ ବାହାର ରାଜ୍ୟର ୨୮ଟି ରହିଛି ।

ଓଡ଼ିଶାର ଯେଉଁ ହସ୍ତଶିଳ୍ପଗୁଡ଼ିକ ‘ ଗାନ୍ଧୀ ଶିଳ୍ପ ବଜାର’ରେ ରହିଛି ସେଗୁଡ଼ିକ ହେଲା , କାଠରେ ତିଆରି ସାମଗ୍ରୀ , ପିପିଲି ଚାନ୍ଦୁଆ , କାଗଜରେ ପ୍ରସ୍ତୁତ ସାମଗ୍ରୀ , ଧାତବଶିଳ୍ପ , କାଠ ଖୋଦେଇ , ରୂପା ତାରକସି କାମ , ଚିତ୍ରକଳା , ଶିଙ୍ଗକାମ , ଚମଡ଼ା , ଝୋଟ , ମେଟାଲ କ୍ରାଫ୍ , ହାତପ୍ରିଣ୍ଟ ଟେକ୍ସଟାଇଲ୍ , ତାଳପତ୍ର , ଅଳଙ୍କାର , ହାତର ଏନ୍ବ୍ରଡରି , ଜନଜାତି ଅଳଙ୍କାର , ଗୋଲଡେନ୍ ଗ୍ରାସ୍ , କତାଶିଳ୍ପର ସାମଗ୍ରୀ , ଇମିଟେସନ୍ ଜୁଏଲାରୀ , ଶାମୁକା ତିଆରି ସାମଗ୍ରୀ , କାଠ କଣ୍ଢେଇ ଓ ଖେଳଣା , ଟେରାକୋଟା , ଧୂପକାଠି , ଲାଖଚୂଡ଼ି , ସବାଇଘାସରେ ତିଆରି ସାମଗ୍ରୀ , ମ୍ୟାଟ୍ ଉଇଭିଙ୍ଗ୍ , ପେଣ୍ଟି , ଡୋକ୍ରା , ଟେକ୍ସଟାଇଲ୍ , ଟାଏ ଆଣ୍ଡ ଡାଏ , ଜରିରେ ତିଆରି ସାମଗ୍ରୀ ଭଳି ୩୨ଟି ହସ୍ତଶିଳ୍ପ ପ୍ରଦର୍ଶନ ଓ ବିକ୍ରୟ ହେଉଛି ।

‘ ଉତ୍କଳିକା’ର ଆକର୍ଷଣୀୟ ଷ୍ଟଲରେ ଶାଢ଼ି , ବେଡ଼ସିଟ୍ , ଡ୍ରେସମ୍ୟାଟେରିଆଲ୍ ଭଳି ହସ୍ତତନ୍ତ ସାମଗ୍ରୀଠାରୁ ଆରମ୍ଭ କରି ବୟନ ଓ ହସ୍ତଶିଳ୍ପ ଦର୍ଶକମାନଙ୍କୁ ବେଶ୍ ଆକୃଷ୍ଟ କରୁଛି । ଗାନ୍ଧୀ ଶିଳ୍ପ ବଜାରରେ କୋହ୍ଲାପୁରୀ ଚପଲ ଓ ଜୋତାର କାରିଗରୀ କଳା ପ୍ରତି ଟିକିଏ ଦୃଷ୍ଟିପାତ କଲେ କାରିଗର ହାତର କଳା ଯେ କେତେ ମହନୀୟ ଓ ଉତ୍କର୍ଷ ତାହାର ଏକ ସ୍ପଷ୍ଟ ଚିତ୍ର ସ୍ଵତଃ ଉଦ୍ଭାସିତ ହୋଇଉଠେ ମାନସପଟରେ । ମହାରାଷ୍ଟ୍ରର କୋହ୍ଲାପୁରରୁ ଆସିଥିବା ମହିଳା ଚମଡ଼ାଶିଳ୍ପୀ ସୀମା ରେବିରାଜ କାଲେ ଯେ କି , ମାସକୁ ଚମଡା ଚପଲ ତିଆରି କରି ଅନ୍ୟୁନ ୩୦ ହଜାର ଟଙ୍କା ଆୟ କରି ତାଙ୍କ ପରିବାର ଚଳାଇଥାନ୍ତି । ଆଉ ବିହାରରୁ ଆସିଥିବା ମଧୁବନୀ କଳାଚାତୁରୀ କେତେ ଯେ ସୁନ୍ଦର ତାହା ବାସ୍ତବିକ ଅପୂର୍ବ ଓ ଅତୁଳନୀୟ । ଛତିଶଗଡ଼ର ଲୌହ କଳାଶିଳ୍ପ ବେଶ୍ ଆକର୍ଷଣୀୟ । ପୁରୀର ପିତ୍ତଳ ଶିଳ୍ପକଳାର ନିର୍ମାଣ ଶୈଳୀ ଯେତିକି ସୁନ୍ଦର କାଠଶିଳ୍ପ ତତୋଧୂକ ମନୋରମ ।

ଓଡ଼ିଶା ରାଜ୍ୟ ସରକାରଙ୍କର ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲି ( ଉତ୍କଳିକା ) ଦ୍ଵାରା ଏହି ‘ ଗାନ୍ଧୀ ଶିଳ୍ପ ବଜାର – ୨୦୨୧ ’ ଆୟୋଜନ କରାଯାଇଛି । ଭାରତ ସରକାରଙ୍କ ବିକାଶ ଆୟୁକ୍ତ ( ହସ୍ତଶିଳ୍ପ ) ନୂଆଦିଲ୍ଲୀର ଆର୍ଥିକ ସହାୟତା ଏହି ଗାନ୍ଧୀ ଶିଳ୍ପ ବଜାର ଅନୁଷ୍ଠିତ ହେଉଛି । ଗାନ୍ଧୀ ଶିଳ୍ପ ବଜାର – ୨୦୧ ପ୍ରତ୍ୟହ ଦିବା ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହୁଛି । ମାର୍ଚ୍ଚ ୨୪ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ ।

Comments are closed.