ଶିଳ୍ପ ତାଲିମ- ନିଆରା କୌଶଳ ପ୍ରୟୋଗ ବ୍ରହ୍ମପୁର ସରକାରୀ ଆଇଟିଆଇ

ବ୍ରହ୍ମପୁର:  ଦଶମ ଅଥବା ଯୁକ୍ତ ଦୁଇ ପାସ୍ କରି ମଧ୍ୟ ଜଣେ ବୈଷୟିକ ଶିକ୍ଷା ସହଜ, ସୁବିଧାରେ ପାଇପାରିବ। ଦକ୍ଷ ମାନବ ସମ୍ବଳ ଭାବେ ତାଲିମପ୍ରାପ୍ତ ହୋଇ ସ୍ବନିୟୋଜିତ ହୋଇପାରିବ। ଆତ୍ମନିର୍ଭରଶୀଳ ହୋଇ ନିଜେ ରୋଜଗାର କରିବା ସହ ଅନ୍ୟକୁ ମଧ୍ୟ ଆୟ ଉପାର୍ଜନର ସୁବିଧା ଦେଇପାରିବ। ଏହି ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ବୈଷୟିକ ଶିକ୍ଷା ତଥା ଶିଳ୍ପ ତାଲିମ ପ୍ରଶିକ୍ଷଣକୁ ଗୁରୁତ୍ବ ଦେଇ ଆସିଛନ୍ତି । ଫଳସ୍ବରୂପ ପ୍ରତି ବର୍ଷ ଲକ୍ଷ ଲକ୍ଷ ଯୁବଗୋଷ୍ଠୀ ଆତ୍ମନିଯୁକ୍ତ ହୋଇ ରୋଜଗାର ଅର୍ଜନ କରିବା ସାଙ୍ଗକୁ ରାଜ୍ୟର ଆର୍ଥିକ ପ୍ରଗତିକୁ ଆଗେଇ ନେଇ ଚାଲିଛନ୍ତି । ରାଜ୍ୟର ଉତ୍ତମ ଓ ଯୁଗପଯୋଗୀ ଶିଳ୍ପ ତାଲିମର ଉଦାହରଣ ସାଜିଛନ୍ତି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସରକାରୀ ଆଇଟିଆଇ।

କିଛି ମାସ ତଳେ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟୋଗୀ ମନ୍ତ୍ରଣାଳୟ ଦ୍ବାରା ଘୋଷିତ ହୋଇଥିଲା ଦେଶର ମୋଟ ୧୦,୬୭୫ରୁ ସର୍ବଶ୍ରେଷ୍ଠ ୧୦୦ ଆଇଟିଆଇ (ଶିଳ୍ପ ତାଲିମ କେନ୍ଦ୍ର) ର ତାଲିକା। ଉଲ୍ଲେଖନୀୟ ଭାବେ ଓଡ଼ିଶାର ୧୧ଟି ଆଇଟିଆଇ ଏଥିରେ ସ୍ଥାନ ପାଇଥିଲା । ସେଥିରୁ ୭ଟି ଥିଲା ରାଜ୍ୟ ସରକାରଙ୍କ ପରିଚାଳନାଧୀନ। ବ୍ରହ୍ମପୁର ସରକାରୀ ଆଇଟିଆଇ ସର୍ବଭାରତୀୟସ୍ତରରେ ୧୧ ରାଙ୍କ୍ ପାଇଥିଲା । ସେହିପରି ହିଞ୍ଜିଳିକାଟୁ ୧୫, ଯାଜପୁର ୨୪, ଝାରସୁଗୁଡା ୪୫, ପୁରୀ ୬୧, ତାକତପୁର ୭୩ , ଭୁବନେଶ୍ୱର ୮୮ ରାଙ୍କ୍ ହାସଲ କରିଥିଲା । ରାଜ୍ୟର ୪ଟି ଘରୋଇ ଆଇଟିଆଇ ଜାତୀୟସ୍ତରରେ ୫୫, ୬୪, ୬୫ ଓ ୬୬ତମ ସ୍ଥାନ ପାଇଥିଲା।

ସେତେବେଳେ ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରିଥିଲେ ଯେ “ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ), ବୈଷୟିକ ଶିକ୍ଷା ଓ ତାଲିମ ମନ୍ତ୍ରଣାଳୟକୁ ଏଥିପାଇଁ ଅଭିନନ୍ଦନ ଜଣାଉଛି । ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷାକୁ ମଜବୁତ କରି ଓଡ଼ିଶାରେ ଦକ୍ଷତାସମ୍ପନ୍ନ ପରିବେଶ ସୃଷ୍ଟି କରିବା ପାଇଁ ଆମର କେନ୍ଦ୍ରୀଭୂତ ଧ୍ୟାନ (ଫୋକସଡ୍ ଆଟେନସନ୍)କୁ ସ୍ୱୀକୃତି ମିଳିପାରିଥିବା ଦେଖି ଖୁସି ଲାଗୁଛି। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ ଅଧ୍ୟକ୍ଷ ସୁବ୍ରତୋ ବାଗଚି ମଧ୍ୟ ଏ ନେଇ ଅତ୍ୟନ୍ତ ଆନନ୍ଦବ୍ୟକ୍ତ କରିବା ସହ ସମସ୍ତଙ୍କ ମିଳିତ ପରିଶ୍ରମ ଓ ନିଷ୍ଠାକୁ ସାବାସୀ ଜଣାଇଥିଲେ।

ରାଜ୍ୟରେ ଶିଳ୍ପ ତାଲିମ ଅନୁଷ୍ଠାନର ବିକାଶର ଧାରା ଯଦି ବୁଝିବାକୁ ହୁଏ ତେବେ ଥରେ ବ୍ରହ୍ମପୁର ଆଇଟିଆଇ କ୍ୟାମ୍ପସକୁ ବୁଲି ଆସିବା ଯଥାର୍ଥ ମନେହୁଏ। ଏସିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଥିବା ଏଠିକାର ଓପନ୍ ଏୟାର ସ୍କ୍ରାପ୍ ମ୍ୟୁଜିୟମ୍ ସାରା ଏସିଆ ମହାଦେଶରେ ଅଦ୍ବିତୀୟ ଅଟେ। ଏଠି ସ୍ଥାନ ପାଇଛି ୭୦ ଫୁଟ ଉଚ୍ଚର ଗୀଟାର, ୩୨ ଫୁଟ ଜିରାଫ୍, ୩୦ ଫୁଟ ତ୍ରିରଙ୍ଗା ଚିହ୍ନିତ ଭାରତୀୟ ମାନଚିତ୍ର, ୨୮ ଫୁଟ ପ୍ରେଡିଏଟର୍, ୨୫ ଫୁଟ ଆଇରନ୍ ମ୍ୟାନ୍, ୨୫ ଫୁଟର ଓଡ଼ିଶା ମାନଚିତ୍ର, ୨୨ ଫୁଟ ଝିଟିପିଟି, ୧୮ ଫୁଟ ଉଚ୍ଚର କିଙ୍ଗକଙ୍ଗ୍ ଓ ମାଛ, ୧୬ ଫୁଟ ଉଚ୍ଚର ହରିଣ ଓ ଡଲଫିନ୍, ୧୦ ଫୁଟର ମୟୁର ସମେତ ହେଲିକପ୍ଟର, ଟ୍ୟାଙ୍କ୍, କଇଁଛ ଆଦି ଅନେକ କଳାକୃତି। ଉଲ୍ଲେଖନୀୟ କଥା ହେଉଛି ଏସବୁ ବ୍ରହ୍ମପୁର ସରକାରୀ ଆଇଟିଆଇର ବିଭିନ୍ନ ଟ୍ରେଡ୍ ପ୍ରଶିକ୍ଷାର୍ଥୀଙ୍କ ଦ୍ବାରା ବର୍ଜ୍ୟବସ୍ତୁରୁ ନିର୍ମିତ।

ଏଠି ୨୬ଟି ଟ୍ରେଡରେ ପ୍ରାୟ ୩୫୦୦ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ଗ୍ରହଣ କରୁଥିବା ବେଳେ ପ୍ରାୟ ପ୍ରତିବର୍ଷ ରାଜ୍ୟ ଓ ଜାତୀୟସ୍ତରର ବହୁ ନାମୀଦାମୀ କମ୍ପାନୀ ଆସି ଏଠିକାର ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଶିଳ୍ପ କାରଖାନା ପାଇଁ ବାଛି ନେଉଛନ୍ତି। ସର୍ବାଧିକ କ୍ୟାମ୍ପସ୍ ସିଲେକ୍ସନ୍ ପାଇଁ ଏହି ଆଇଟିଆଇ ଥରେ ସ୍କଚ ଆୱାର୍ଡ ସାଙ୍ଗକୁ ଅଲ ଓଡ଼ିଶା ଜବ୍ ଫେୟାରରେ ଶ୍ରେଷ୍ଠ ପୁରସ୍କାର ହାସଲ କରିଥିଲା।

ସେହିପରି ସ୍କ୍ରାପ ମ୍ୟୁଜିୟମ୍ ପାଇଁ ଥରେ ଏବଂ ନିକଟରେ କୋଭିତ୍ – ୧୯ ମୁକାବିଲା ନିମନ୍ତେ ନିଜ ସାଧନ ଉପଯୋଗ କରି ନିଆରା ବୈଷୟିକ କୌଶଳର ପ୍ରୟୋଗରେ ନିର୍ମିତ ବିଭିନ୍ନ ଉପକରଣ ସକାଶେ ଆଉ ଏକ ସ୍କଚ ପୁରସ୍କାର ପାଇଛି ବ୍ରହ୍ମପୁର ଆଇଟିଆଇ। ଯେତେବେଳେ ସାରା ବିଶ୍ୱ କରୋନା ସହ ସଂଘର୍ଷ କରୁଥିଲା ସେତେବେଳେ ଏହି ମହାମାରୀରୁ ସୁରକ୍ଷିତ ରହିବା ପାଇଁ ବ୍ରହ୍ମପୁର ଆଇଟିଆଇ ଦ୍ବାରା ପ୍ରସ୍ତୁତ ହୋଇଥିଲା ସ୍ମାର୍ଟ ସ୍ବାବ ସଂଗ୍ରହ କିଓସ୍କ, ସ୍ମାର୍ଟ ୟୁଭିସି ସୋଲ୍ ସାନିଟାଇଜର, ୟୁଭିସି ରୋବୋ ୱାରିଅର, ୟୁଭିସି ସାନିଟାଇଜର, ଏରୋସୋଲ୍ ବକ୍ସ, ଅଟୋମେଟିକ୍ ସାନିଟାଇଜର୍ ଡିସପେନ୍ସର ଆଦି ଅନେକ ସାମଗ୍ରୀ । ଏସବୁ ମଧ୍ୟରୁ ୪ଟି ଉପକରଣକୁ ପେଟେଣ୍ଟ ପାଇଁ ଆବେଦନ କରାଯାଇଛି, ଯାହା କୌଣସି ଆଇଟିଆଇ ନିମନ୍ତେ ପ୍ରଥମ ଏଭଳି ପଦକ୍ଷେପ ଅଟେ । ସେଥିପାଇଁ ତ ବ୍ରହ୍ମପୁର ଆଇଟିଆଇକୁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ଶସ୍ତା, ପ୍ରଭାବୀ ଏସବୁ ଉତ୍ପାଦ ଅନେକ କୋଭିଡ୍ ହସ୍‌ପିଟାଲରେ ବ୍ୟବହୃତ ହୋଇଥିଲା।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ଏଠିକାର ଛାତ୍ରମାନେ ପ୍ରଥମ କରି ଥ୍ରୀଡି- ଗ୍ରାଫିକ୍ସ ଆର୍ଟ ପ୍ରସ୍ତୁତ କରି ନିଜ ପ୍ରତିଭାର ଆଉ ଏକ ଜ୍ଵଳନ୍ତ ଉଦାହରଣ ପ୍ରସ୍ତୁତ କରିଥିଲେ। କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହିଳା ସଶକ୍ତୀକରଣ ସ୍ଵପ୍ନକୁ ବାସ୍ତବ ରୂପ ଦେବାରେ ଲାଗିଛି ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ। ଗତ ଦଶନ୍ଧିରେ ଏଠାରେ ଛାତ୍ରୀ ସଂଖ୍ୟା ଉଲ୍ଲେଖନୀୟ ବୃଦ୍ଧି ପାଇଛି। ତା ସହ ନିଯୁକ୍ତି କ୍ଷେତ୍ରରେ ଏଠିକାର ଛାତ୍ରୀମାନେ ମଧ୍ୟ ଦେଶର ଯେକୌଣସି ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତୁଲ୍ୟ ଉତ୍ତମ ପ୍ରଦର୍ଶନ କରି ଆସୁଛନ୍ତି। ରାଜ୍ୟର ଆଇଟିଆଇ ଗୁଡିକୁ ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟକୁ ବାସ୍ତବରେ ପୂରଣ କରିପାରିଛି ବ୍ରହ୍ମପୁର ଆଇଟିଆଇ। ନବୀନଙ୍କ ପ୍ରଯୁକ୍ତି ଜ୍ଞାନ କୌଶଳରେ ଦକ୍ଷ ଓ ବିକଶିତ ଓଡିଶାର ଲକ୍ଷ୍ୟ ନିମନ୍ତେ ନଜିର ସୃଷ୍ଟି କରିପାରିଛି ବ୍ରହ୍ମପୁର ସରକାରୀ ଆଇଟିଆଇ ।

ବ୍ରହ୍ମପୁର ସରକାରୀ ଆଇଟିଆଇ ଅଧ୍ୟକ୍ଷ ଡ. ରଜତ ପାଣିଗ୍ରାହୀ କହିଛନ୍ତି ଯେ- ରାଜ୍ୟ ସରକାର ଯୁବକ ଯୁବତୀଙ୍କୁ ଏଭଳି ପ୍ରଶିକ୍ଷଣ ପ୍ରଦାନ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି ଯାହା ଦ୍ବାରା ସେମାନେ କେବଳ ଚାକିରୀ ଖୋଜିବା ବଦଳରେ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରିବ। ବ୍ରହ୍ମପୁର ଆଇଟିଆଇ ନିଜକୁ କେବଳ ତାଲିମ ପ୍ରଦାନରେ ସୀମିତ ରଖିନି। ବରଂ ପ୍ରଶିକ୍ଷାର୍ଥୀ ଯେପରି ନିଜେ ଶିଖିଥିବା ଜ୍ଞାନକୌଶଳର ଉପଯୁକ୍ତ ବିନିଯୋଗ କରି ସମାଜ ତଥା ଜନସାଧାରଣଙ୍କ ବ୍ୟାପକ ହିତସାଧନ କରିପାରିବେ ତାହା ଉପରେ ବି ଗୁରୁତ୍ୱ ଦିଆଯାଉଛି। ପୁରୀ-ଭୁବନେଶ୍ୱର ମହାବାତ୍ୟା ପରେ ଆଇଟିଆଇ ପ୍ରଶିକ୍ଷାର୍ଥୀମାନେ ଘରେ ଘରେ ଲୋକଙ୍କୁ ସେବା ଯୋଗାଇ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ ପ୍ରକାରେ ଆଇଟିଆଇରେ ପ୍ରଶିକ୍ଷିତ ଛାତ୍ରଛାତ୍ରୀ ଏବେ କେବଳ ଆମ ରାଜ୍ୟରେ ନୁହେଁ ବରଂ ଅନ୍ୟ ରାଜ୍ୟ ଏପରିକି ବିଦେଶରେ ମଧ୍ୟ ନିୟୋଜିତ ହୋଇ ସ୍କିଲ୍ ଓଡ଼ିଶାର ବ୍ରାଣ୍ଡ୍ ଆମ୍ବାସାଡାର୍ ପାଲଟିଲେଣି। ଦେଶବିଦେଶରେ ଆମ ରାଜ୍ୟର ଗୌରବକୁ ବୃଦ୍ଧି କରିବାରେ ଲାଗିଛନ୍ତି।

Comments are closed.