ବୋଲେରୋ-ଟ୍ରକ୍ ମୁହାଁମୁହିଁ ଧକ୍କା, ଦୁଇ ପିଲାଙ୍କ ସହ ୧୧ ମୃତ

ବାଲୋଦ: ଛତିଶଗଡର ବାଲୋଦ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଦୁଇ ଛୋଟ ପିଲାଙ୍କ ସହ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ମହିଳା ଅଛନ୍ତି । ବୋଲେରୋ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ବୁଧବାର ରାତିରେ ପୁରୁର ଥାନା ଅନ୍ତର୍ଗତ ଜଗତାରା ଗ୍ରାମ ନିକଟ ଜାତୀୟ ରାଜପଥ-୩୦ରେ ଏହି ଦୁର୍ଘଟଣା ଘଟିଥିଲା । ପୋଲିସ କହିଛି ଯେ ପୀଡିତାମାନେ ଧମତରୀ ଜିଲ୍ଲାର ସୋରାମ-ଭଟଗାଓଁ ଗାଁର ବାସିନ୍ଦା । ସେମାନେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିଲେ ।

ପୁରୁର ପୋଲିସ ଷ୍ଟେସନ ହାଉସ ଅଧିକାରୀ ଅରୁଣ କୁମାର ସାହୁଙ୍କ ସୂଚନା ଅନୁଯାୟୀ ମୃତକ କାନକର ଜିଲ୍ଲାର ମାର୍କାଟୋଲା ଗ୍ରାମରେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିବାବେଳେ ସେମାନଙ୍କ ଗାଡ଼ି ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ମହିନ୍ଦ୍ରା ବୋଲେରୋରେ ଯାତ୍ରା କରୁଥିବା ୧୦ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାକୁ ନେବା ବାଟରେ ଜଣେ ପିଲାର ମୃତ୍ୟୁ ହୋଇଥିଲା ।

ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଗାଡି ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଟ୍ରକ ଡ୍ରାଇଭରକୁ ଖୋଜା ଚାଲିଛି । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।

Comments are closed.