ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକରେ କହିଲେ ପ୍ରଧାନମନ୍ତ୍ରୀ, ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଉପରେ ଧ୍ୟାନ ଦିଅ, ଅଧିକ ଟେଷ୍ଟ କର

ନୂଆଦିଲ୍ଲୀ – ଦେଶରେ କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପୁଣି ଥରେ ସମୀକ୍ଷା ବୈଠକ କରିଛନ୍ତି । ଦେଶରେ କୋଭିଡ୍ ସଂକ୍ରମଣର ତୀବ୍ରତା ନେଇ ମୋଦି ଚିନ୍ତା ବ୍ୟକ୍ତ କରିଛନ୍ତି । ଲକଡାଉନ୍ ଅପେକ୍ଷା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଉପରେ ଧ୍ୟାନ ଦେବାକୁ ସେ ରାଜ୍ୟ ମାନଙ୍କୁ କହିଛନ୍ତି । ଏହାଛଡ଼ା ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟ୍ ଉପରେ ବି ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।

ମୋଦି କହିଛନ୍ତି ଯେ, ଲୋକମାନେ ବେପରୁଆ ହୋଇଯାଇଛନ୍ତି । ସଂକ୍ରମଣ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ନାଇଟ୍ କର୍ଫ୍ୟୁ ଜରୁରୀ । ନାଇଟ୍ କର୍ଫ୍ୟୁ ବଦଳରେ ଏହାକୁ ‘କରୋନା କର୍ଫ୍ୟୁ’ କୁହାଯିବା ଠିକ ହେବ । ଯଦ୍ୱାରା ଲୋକଙ୍କୁ ସଠିକ୍ ବାର୍ତ୍ତା ଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍ ଉପରେ ମଧ୍ୟ ଆମକୁ ଧ୍ୟାନ ଦେବାକୁ ପଡିବ । ଏଥିପାଇଁ ସରକାରଙ୍କୁ ବେଶ୍ ପରିଶ୍ରମ କରିବାକୁ ପଡିବ । କିନ୍ତୁ ଏହି ପରିଶ୍ରମର ଫଳ ମିିଳିବ । ଆମେ ଗତବର୍ଷ ୧୦ ଲକ୍ଷ ସକ୍ରିୟ ମାମଲା ଦେଖିଥିଲୁ । ତଥାପି ସଂକ୍ରମଣ ହ୍ରାସ କରିବାରେ ଆମେ ସଫଳ ହୋଇଥିଲୁ । ସେହି ଅଭିଜ୍ଞତା ଆଧାରରେ ଆମେ ସଂକ୍ରମଣର ଦ୍ୱିତୀୟ ଲହରୀକୁ ବି ରୋକିପାରିବା ।

ମୋଦି ରାଜ୍ୟମାନଙ୍କୁ ଅଧିକ ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି । ଟେଷ୍ଟିଂ ଅଧିକ ହେଲେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ସହଜ ହେବ ଏବଂ ଆମେ ପରିବାରର ଅନ୍ୟ ସଦସ୍ୟଙ୍କୁ ସଂକ୍ରମଣରୁ ବଞ୍ଚାଇ ପାରିବା । ଟିକା ତୁଳନାରେ ଆମକୁ ଅଧିକ ଟେଷ୍ଟିଂ କରିବାକୁ ହେବ । ଏଥିପାଇଁ ରାଜ୍ୟ ସରକାର ନିଜ ଆଡୁ ପଦକ୍ଷେପ ନେବାକୁ ପଡିବ ବୋଲି ମୋଦି କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୭୦% ଆରଟି-ପିସିଆର ଟେଷ୍ଟ ହେବା ଉଚିତ । କେତେ ରାଜ୍ୟରେ ଟେଷ୍ଟିଂରେ ଅବହେଳା କରାଯାଉଥିବା ଅଭିଯୋଗ ଆସିଛି ବୋଲି ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏପ୍ରିଲ ୧୧ରୁ ୧୪ ଯାଏଁ ଟିକା ଉତ୍ସବ ପାଳନ କରିବାକୁ ରାଜ୍ୟ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଟିକା ଉତ୍ସବ ସମୟରେ ଆମେ ଅଧିକରୁ ଅଧିକ ଯୋଗ୍ୟ ଲୋକଙ୍କ ଟିକାକରଣ ପାଇଁ ପ୍ରୟାସ କରିବା ଉଚିତ ବୋଲି ସେ କହିଛନ୍ତି । ଟିକାକରଣରେ ଯୁବକମାନେ ସକ୍ରିୟ ଭୂମିକା ତୁଲାଇବା ଉଚିତ ବୋଲି ମୋଦି କହିଛନ୍ତି । ନିଜ ଆଖପାଖରେ ଥିବା ଲୋକଙ୍କୁ ଟିକା ଲଗାଇବାରେ ଯୁବକମାନେ ସାହାଯ୍ୟ କରନ୍ତୁ ବୋଲି ସେ ଆହ୍ୱାନ କରିଛନ୍ତି ।
ଟିକା ନେବା ପରେ ମଧ୍ୟ ଲୋକଙ୍କୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ।

କିଛି ରାଜ୍ୟରେ ଟିକାର ଅଭାବ ନେଇ ଅଭିଯୋଗ ସମ୍ପର୍କରେ ମୋଦି କହିଛନ୍ତି ଯେ, ସବୁ ରାଜ୍ୟକୁ ସମାନ ପରିମାଣର ଟିକା ଆବଣ୍ଟନ ହେଉଛି । କୌଣସି ଗୋଟିଏ ରାଜ୍ୟକୁ ସବୁ ଟିକା ଦିଆଗଲେ କରୋନାର ଅନ୍ତ ହୋଇଯିବ ନାହିଁ । ସବୁ ରାଜ୍ୟକୁ ସମାନ ମାତ୍ରାରେ ଟିକା ଦେବାକୁ ପଡିବ ବୋଲି ମୋଦି କହିଛନ୍ତି ।

Comments are closed.