ଦଶନ୍ଧିରେ ପାଦ ଦେଲା ଭିମସାର ସୁପର ସ୍ପେସାଲିଟି ହୃଦ୍‌ରୋଗ ବିଭାଗ

୨୨୩୪ ଜଣଙ୍କ ସଫଳ ଅସ୍ତ୍ରୋପଚାରର ରେକର୍ଡ, ସାକାର ହେଲା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ

ସମ୍ବଲପୁର : ଦୀର୍ଘ ୧୦ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ୱପ୍ନ ଆଜି ପୂରଣ ହୋଇଛି । ପଶ୍ଚିମ ଓଡିଶା ଭଳି ଉପାନ୍ତ ଇଲାକାରେ ଦେଶର ନାଁକରା ଅନୁଷ୍ଠାନ ଭଳି ସାସ୍ଥ୍ୟସେବା ଯୋଗାଇବାରେ ସଫଳ ହୋଇଛି ବୁର୍ଲା ଭିମସାର । ଭିମସାରର ସୁପର ସେଶ୍ପାଲିଟି ହୃଦରୋଗ ବିଭାଗ ଆଜି ଦଶମ ବର୍ଷରେ ପଦାର୍ପଣ କରିଥିବା ବେଳେ ସଫଳତାର ଏକ ନୂଆଁ ଅଧ୍ୟାୟ ଲେଖିଛି । ଆଜି ଦଶମ ବର୍ଷ ପୂର୍ତ୍ତି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ସଫଳତାର ତାଲିକା ରଖିଛନ୍ତି କର୍ତ୍ତୁପକ୍ଷ । ଇତିମଧ୍ୟରେ ଏହି କେନ୍ଦ୍ର ୨୨୩୪ ଜଣଙ୍କ ସଫଳ ତଥା ଜଟିଳ ହୃଦରୋଗ ଅସ୍ତ୍ରୋପଚାର କରି ଏକ ରେକର୍ଡ ସୃଷ୍ଟି କରିଛି । ହୃଦରୋଗର ଜଟିଳ ଚିକିତ୍ସାକୁ ହଜାର ହଜାର ରୋଗୀଙ୍କୁ ମାଗଣାରେ ଯୋଗାଇ ବିଭାଗ ସ୍ବାସ୍ଥ୍ୟସେବାରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ।

ପଶ୍ଚିମ ଓଡିଶାରେ ହୃଦରୋଗର ଚିକିତ୍ସା ପାଇଁ ଆଦୌ ଭିତ୍ତିଭୂମି ନଥିଲା । ଏହାକୁ ଦେଖି ଗତ ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁର୍ଲା ଭିମସାରରେ ଉଦଘାଟନ କରିଥିଲେ ସୁପର ସ୍ପେସାଲିଟି ହୃଦରୋଗ ବିଭାଗ । ସେହିଦିନ ଠାରୁ ଏହାର ସଫଳ ଯାତ୍ରା ଆଜି ଯାଏ ଜାରି ରହିଛି । ଇତିମଧ୍ୟରେ ଏହି ବିଭାଗରେ ମୋଟ୍ ୩୧୬ ଜଣଙ୍କର ସଫଳ ଭାବରେ ପେସମେକର ସଂଯୋଗୀକରଣ କରାଯାଇଥିବା ବେଳେ ୧୭୮୦ ଜଣଙ୍କର ଏନଜିଓଗ୍ରାଫି ଏବଂ ୧୮୮ ଜଣଙ୍କର ଏନଜିଓପ୍ଲାଷ୍ଟିକୁ ମିଶାଇ ମୋଟ୍ ୨୨୩୪ ଜଣଙ୍କର ସଫଳ ହୃଦ୍‌ରୋଗ ଅସ୍ତ୍ରୋପଚାର ହୋଇପାରିଥିବା ନେଇ ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର ସୂଚନା ଦେଇଥିଲେ ।

ଆଜି ଭିମସାର ପରିସରରେ ଆୟୋଜିତ ଏକ ସମ୍ମିଳନୀରେ ଭିମସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର , ଅଧିକ୍ଷା ଡା . ଜୟଶ୍ରୀ ଦୋରା , ମେଡିକାଲ ଅଧ୍ୟକ୍ଷକ ଡା , ଲାଲମୋହନ ନାୟକ , ମେଡିକାଲ ପ୍ରଶାସନିକ ଅଧିକାରୀ ସୁବ୍ରତ କୁମାର ନାଏକ , ହୃଦ୍‌ରୋଗ ବିଭାଗ ମୁଖ୍ୟ ପ୍ରଫେସର ସୁନୀଲ ଶର୍ମା ଓ ଭିମସାର ମୁଖପାତ୍ର ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗର ବିଶେଷଜ୍ଞ ଡା . ବେଣୁଧର ପାଣ୍ଡେଙ୍କ ସମେତ ଅନ୍ୟାନ୍ୟ ବିଭାଗ ବରିଷ୍ଠ ଡାକ୍ତର ମାନେ ଉପସ୍ଥିତ ଥିଲେ । ବିଭାଗର ସଫଳତାର ତାଲିକାକୁ ହୃଦ୍‌ରୋଗ ବିଭାଗ ମୁଖ୍ୟ ଡା . ଶର୍ମା ଡିଜିଟାଲ ସ୍କ୍ରିନରେ ସମସ୍ତ ତଥ୍ୟ ଉପସ୍ଥାପନା କରିଥିଲେ । ଡା . ଶର୍ମା କହିଲେ ଯେ , ୨୦୧୧ରେ ଏହି ବିଭାଗ ଆରମ୍ଭ ହେବା ବେଳକୁ ରୋଗୀ ଆସିବାକୁ ଭରସା କରୁନଥିଲେ । ହେଲେ ଅନେକ ବୁଝାସୁଝା ପରେ ଜଣେ ରୋଗୀ ସେହିବର୍ଷ ମାର୍ଚ୍ଚ ୨୯ ତାରିଖରେ ଏନଜିଓଗ୍ରାଫି କରାଇବାକୁ ରାଜି ହୋଇଥିଲେ । ଆଉ ତାଙ୍କର ସଫଳ ଅସ୍ତ୍ରୋପଚାର ହୋଇଥିଲା । ଏହାର ୬ ମାସ ପରେ ଆଉ ଏକ ସଫଳ ଅସ୍ତ୍ରୋପଚାର ହୋଇଥିଲା । ପରେ ଧୀରେ ଧୀରେ ରୋଗୀଙ୍କ ଭରସା ବଢ଼ିଥିବା ବେଳେ ଅଗଣିତ ରୋଗୀ ଏହି ବିଭାଗକୁ ସେବା ପାଇପାରିଛନ୍ତି ।

୨୦୧୨ ମସିହାରେ ନଭେମ୍ବର ୧୨ ତାରିଖରେ ଭିମସାର ହୃଦ୍‌ରୋଗ ବିଭାଗ ନୂଆଁ କୋଠାକୁ ସ୍ଥାନାନ୍ତରିତ ହେଲା । ଆଉ ସେଠାରେ ୫ଟି ସି.ସି.ୟୁ ଶଯ୍ୟା ସହ କ୍ୟାଥ ଲ୍ୟାବ୍ ବି ଆରମ୍ଭ ହେଲା । ଏହି ବିଭାଗର ଅନେକ ପୂର୍ବତନ ଡାକ୍ତର ଅତୀତରେ ଅନେକ ଜଟିଳ ଅସ୍ତ୍ରୋପଚାର କରି ବିରଳ ରେକର୍ଡର ଅଧିକାରୀ ହୋଇପାରିଛନ୍ତି । ୨୦୧୩ ମସିହା ଡିସେମ୍ବର ୧୪ ତାରିଖରେ ଡା. ପ୍ରଶାନ୍ତ କୁମାର ସାହୁଙ୍କ ସହଯୋଗରେ ଭିମସାରରେ ଦୀର୍ଘ ୧୨ ଘଣ୍ଟାର ଲଗାତାର ଅସ୍ତ୍ରୋପଚାର ହୋଇଥିଲା । ଏଥିରେ ୯ ଜଣ ରୋଗୀଙ୍କ ଛାତିରେ ୧୪ଟି ଷ୍ଟେନ୍ ସଫଳ ଭାବରେ ଲଗାଯାଇ ପାରିଥିଲା । ରାଜ୍ୟ ହୃଦରୋଗ ଚିକିତ୍ସାରେ ଏହା ଏକ ବିରଳ ରେକର୍ଡ ଭାବେ ଆଜି ବି ରହି ଆସିଛି ବୋଲି ଡା . ଶର୍ମା ପ୍ରକାଶ କରିଥିଲେ ।

ସେପଟେ , ଇତିମଧ୍ୟରେ ମୋଟ୍ ୨୨୩୪ଟି ଅସ୍ତ୍ରୋପଚାର ହୋଇଥିବା ବେଳେ ସେଥିରେ ୧୭୩୦ଟି ସଫଳ ଏନଜିଓଗ୍ରାଫି , ୧୮୮ ଟି ଏନଜିଓପ୍ଲାଷ୍ଟି , ୧୮୪ଟି ଅସ୍ଥାୟୀ ପେସମେକର ଓ ୧୩୨ ଟି ସ୍ଥାୟୀ ପେସମେକର୍ ଲାଗିଛି । ଏପରିକି ଜଣେ ୯୨ ବର୍ଷିୟା ବୃଦ୍ଧାଙ୍କ ହୃଦପିଣ୍ଡରେ ପେସମେକର୍ ଲଗାଇବା ଭଳି ଜଟିଳ ଅସ୍ତ୍ରୋପଚାର ଏହି ବିଭାଗର ଅନ୍ୟତମ ସଫଳତା ବୋଲି ଡା . ଶର୍ମା ପ୍ରକାଶ କରିଛନ୍ତି ।

Comments are closed.