‘ରାଜ୍ୟ କଥା ଦେଖିବାକୁ ନବୀନ ଅଛନ୍ତି ଆମେ ଆମ ଘରକୁ ଜଗିବା’: କୋଭିଡ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ କିଛି ପ୍ରତିକ୍ରିୟା

ପଡ଼ୋଶୀ ରାଜ୍ୟରୁ ମାଡ଼ି ଆସୁଛି ମହାମାରୀର ଦ୍ବିତୀୟ ଲହରୀ । ସେ ଛତିଶଗଡ଼ କୁହନ୍ତୁ କି ଆନ୍ଧ୍ରପ୍ରଦେଶ ଅଥବା ନିର୍ବାଚନୀ ମାହୋଲରେ କମ୍ପି ଉଠୁଥିବା ପଶ୍ଚିମବଙ୍ଗ । ଦେଶର କରୋନା ହଟ୍ କୁହାଯାଉଥିବା ମହାରାଷ୍ଟ୍ରର ମୁମ୍ବାଇ ଅଥବା ଗୁଜରାଟର ସୁରଟ … କଳକାରଖାନା ଗୋଟିଏ ପରେ ଗୋଟିଏ ବନ୍ଦ ହେଉଥିବାରୁ ସେଠାରୁ ପ୍ରବାସୀଙ୍କ ଲେଉଟାଣୀ ପୁଣି ଆରମ୍ଭ ହେଲାଣି । ଫଳରେ ଓଡ଼ିଶାରେ ଦିନକୁ ଦିନ କୋଭିଡ୍- ୧୯ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ବାହାର ରାଜ୍ୟ ତଥା ବିଦେଶରୁ ଆସୁଥିବା ପ୍ରବାସୀଙ୍କ ଜରିଆରେ ଓଡ଼ିଶାରେ ପହଞ୍ଚୁଛି ଘାତକ କରୋନାର ନୂଆ ଷ୍ଟ୍ରେନ୍ । ତେବେ ନିଜ ପ୍ରିୟ ରାଜ୍ୟବାସୀଙ୍କୁ ମହାମାରୀରୁ ଯଥାସମ୍ଭବ ସର୍ବାଧିକ ସୁରକ୍ଷିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ କଟକଣାକୁ କାର୍ଯ୍ୟକାରୀ କରୁଛନ୍ତି । ଜୀବନ ଜୀବିକା ବନାମ ମହାମାରୀ ବିରୋଧରେ ଲଢ଼େଇ ମଧ୍ୟରେ ସନ୍ତୁଳନ ରକ୍ଷା ସାଙ୍ଗକୁ ଓଡ଼ିଶାବାସୀ ଯେପରି ଅଧିକ ଅସୁବିଧାର ସମ୍ମୁଖୀନ ନହୁଅନ୍ତି , ବରଂ ଅଧିକ ସଚେତନ ଓ ସଜାଗ ହୋଇ ମହାମାରୀ ବିରୋଧରେ ଲଢ଼େଇରେ ସମ୍ମିଳିତ ଭାବେ ସାମିଲ ହେବେ ସେଥିପାଇଁ ଗୁରୁବାର କିଛି ନୂଆ ଘୋଷଣା କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ।

ସରକାରଙ୍କ ନିଷ୍ପତ୍ତିକ୍ରମେ ରାଜ୍ୟର ସମସ୍ତ ସହରାଞ୍ଚଳରେ ଶୁକ୍ରବାରରୁ ରାତ୍ର କର୍ଫ୍ୟୁ ଜାରି ହେବ । ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ । ତେବେ ଛତିଶଗଡ଼ ସୀମାବର୍ତ୍ତୀ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଏଣିକି ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ । ଗ୍ରାମାଞ୍ଚଳରେ ରାତି ୧୦ଟାରୁ ସକାଳ ୬ଟା ଯାଏଁ କାର୍ଯ୍ୟକାରୀ ହେବ ଏହି କଟକଣା । ଏହି ୧୦ଟି ଜିଲ୍ଲାରେ ଏଣିକି ଶନିବାର ଓ ରବିବାର ସପ୍ତାହନ୍ତ ସଟ୍‌ଡାଉନ୍ ଲାଗୁ ହେବ । ରାତ୍ର କର୍ଫ୍ୟୁ ବେଳେ ସମସ୍ତ ଜରୁରୀ ସେବା ଜାରି ରହିବ । ବିବାହ ଉତ୍ସବରେ ସର୍ବାଧିକ ୫୦ ଓ ଶୁଦ୍ଧିକ୍ରିୟାରେ ୨୦ ଜଣ ସାମିଲ ହୋଇପାରିବେ । କୌଣସି ସାମାଜିକ , ରାଜନୈତିକ , ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବନି । ସୋମବାରରୁ ଅନ୍ୟ ରାଜ୍ୟକୁ ବସ୍ ଚଳାଚଳ ବନ୍ଦ କରାଯିବ । କିନ୍ତୁ ରାଜ୍ୟ ମଧ୍ୟରେ ବସ୍‌ର ସିଟ୍ ସଂଖ୍ୟା ଅନୁସାରେ ଯାତ୍ରୀ ବସିବେ ।

ଠିକଣା ସମୟରେ ଉଚିତ ପଦକ୍ଷେପ ବୋଲି ଏହାକୁ ଦର୍ଶାଇଛନ୍ତି ରାଜ୍ୟର ବୁଦ୍ଧିଜୀବୀ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ର କହିଛନ୍ତି ଯେ ଏହା ଉଚିତ୍ ସମୟରେ ଉପଯୁକ୍ତ ନିଷ୍ପତ୍ତି । କରୋନାର ଦ୍ବିତୀୟ ଲହରୀ କ୍ଷୀପ୍ର ଗତିରେ ଆଗେଇ ଚାଲିଛି । କିଛି ଦିନ ହେଲା ଓଡ଼ିଶାରେମଧ୍ୟ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ବହୁତ ଭାବିଚିନ୍ତି ପଦକ୍ଷେପ ନେଉଛନ୍ତି । ଟିକାକରଣ ସମୟସାପେକ୍ଷ । ଏଥିପାଇଁ ସମସ୍ତେ ମହାମାରୀରୁ ଦୂରେଇ ରହିବା ପାଇଁ ରାଜ୍ୟ ସରକାର ଜାରି କରୁଥିବା ଗାଇଡ୍‌ଲାଇନ୍‌ ମାନିବା ଉଚିତ । ଏହାଦ୍ଵାରା କରୋନା ଚେନକୁ ରୋକିହେବ ।

ସେହିପରି ଗଞ୍ଜାମରେ ପ୍ରଥମ କୋଭିତ୍ – ୧୯ ପ୍ରତିଷେଧକ ଟିକା ଗ୍ରହଣ କରିଥିବା ଡାକ୍ତର ସୁନାଲ୍ କୋଟାଙ୍କ ମତରେ ଦ୍ବିତୀୟ ଲହରୀ ଭାଇରସ୍ ଅଧିକ ସଂକ୍ରମଣ କରିବା କ୍ଷମତା ରଖିଛି । ବିଦେଶର ବିଭିନ୍ନ ଷ୍ଟ୍ରେନ୍ ଅଥବା ଭାରତର ଡବଲ୍ ମ୍ୟୁଟାଣ୍ଟ୍ ଷ୍ଟ୍ରେନ୍ ଅଧିକ ମାରାତ୍ମକ ଯେଉଁଥିରେ ସଂକ୍ରମଣ ୫୦ରୁ ୭୦ ଶତକଡା ବୃଦ୍ଧି ପାଉଛି । ବର୍ତ୍ତମାନ ଲିକଡାଉନ୍ ବା ସଟଡାଉନ୍ ଏକ ଉତ୍ତମ ପନ୍ଥା ନଥିବା ବେଳେ ଲୋକଙ୍କ ମଧ୍ୟରେ ସଂକ୍ରମଣ ବ୍ୟାପିବା ରୋକିବା ପାଇଁ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ଲୋକଙ୍କୁ ସଜାଗ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । ଅନ୍ୟ ରାଜ୍ୟରେ ହସପିଟାଲ ବେଡ୍ , ଔଷଧ ଆଦି ମିଳୁନି । ଏପରିକି ଟେଷ୍ଟିଂ ମଧ୍ୟ ଠିକ୍ ଭାବରେ ହୋଇପାରୁନି । ଓଡ଼ିଶାରେ ସେମିତି ନହେଉ ସେଥିପାଇଁ ସମସ୍ତେ ସରକାରୀ କଟକଣା ମାନିବା ସହ ବ୍ୟକ୍ତିଗତ ସଜାଗ ରହିବାକୁ ହେବ ।

ବ୍ରହ୍ମପୁରର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଛାତ୍ର ଆନନ୍ଦ ମିଶ୍ର କହିଛନ୍ତି ଯେ- ଲୋକେ ସଠିକ ଭାବେ ଗାଇଡ୍‌ଲାଇନ୍ ମାନୁନାହାନ୍ତି । ଫଳରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ ସଂକ୍ରମଣକୁ ରୋକିବା ସମ୍ଭାବନା କମ୍ । ରାଜ୍ୟବାସୀଙ୍କୁ ସତର୍କ କରାଇଦେବା ସହ ସେମାନଙ୍କୁ ମହାମାରୀ କବଳରୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପଭି ସମୟୋଚିତ ଓ ଏହାକୁ ସମସ୍ତେ ସଠିକ୍ ଭାବେ ମାନିଲେ ମହାମାରୀରୁ ସୁରକ୍ଷିତ ରହିପାରିବେ ।

ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଛାତ୍ର ସତ୍ୟମ ପୃଷ୍ଟିଙ୍କ ମୁତାବକ ଗଲା ବଛର ଭିଲ୍ ସାରା ଦେଶେଁ ଉଡ଼ିଶା କୋଭିଡ୍ ମୁକାବିଲା ଥି ଏଜ୍ ନମ୍ବର ଥିଲା । ଆର ଏସୁର ଭିଲ ଏକ୍ ନମ୍ବର ହେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଠିକ୍ ସମିଆଁ ଥି ଠିକ୍ ପଦକ୍ଷେପ ନେସନ୍ ଆର ଇହାଦେ ଭି ନେଇଛନ୍ତି । ପଛିମ୍ ଉଡ଼ିଶା ଥି ଇହାଦେ ଜହ କରି ଇଟା ପଲେଇଥିବାର୍ ଲାଗି ଇନର୍ ୧୦ଟା
ଜିଲ୍ଲାନେ ନାଇଟ୍ କର୍ଫ୍ୟୁ ସମିଆ ବଦଲେଇଛନ୍ । ଇଟା ଇହାଦେ ଜରୁରୀ ଥିଲା । କରୋନ ଯେନ୍ କିସମେ ବଢିଛେ , ଇତାକେ ଦେଖିକରି ସଠିକ୍ ସମିଆଁ ଥିଁ ସରକାର ସଠିକ୍ ପଦକ୍ଷେପ ନେଇଛନ୍ ! ଇଥି ସଭେ ସହଯୋଗ କରବାର କଥା । ଆର ସରକାର ଯେନ୍ ଭିଲ ନିୟମ କରୁଛନ୍ ଆମର ଲାଗି କରୁଛନ୍! ହେଥିର ଲାଗି ସରକାରର ସବୁ ନିୟମ କେ ମାନିକରି ଚଲବାର୍ କଥା ।

ଝାରସୁଗୁଡ଼ା ଜିଲ୍ଲା ଲଖନପୁରର ବ୍ୟବସାୟୀ ଘନଶ୍ୟାମ ମେହେର କହିଛନ୍ତି- କରୋନା କେ ମୁକାବିଲା କରବାର ଲାଗି ଇହାଦେ ରାଏଜ୍ ସରକାର ଯେନ୍ କଟକଣା ଲାଗୁ କରିଛନ୍ ସେଟା କେ ନେ ମାନଲେ ବଢ଼େ ବିପଦ୍ ହେବା । ବେଲ୍ ଥାଉ ଥାଉ ସରକାର ଜାନିଶୁନି ଇ ନିୟମ୍ କରି ଉଚିତ୍ କାମ୍ କରିଛନ୍ । ଗଲା ବଛରେ କରୋନା ମୁକାବିଲା ଲାଗିଁ ରାଏଜ୍‌ ସରକାରର କାମ୍ କେ ସାରା ଦୁନିଆଁ ପରଶଂସା କରିଛେ । ଡବ୍ଲ୍ୟୁଏଚ୍ଓ ବି ସାବାସୀ ଦେଇଛେ । ଆର୍ ଇହାଦେ ଭିଲ ଓଡ଼ିଶା ଫେର ଘାଏ କରୋନା ନୁ ଜିତବା । ସରେ ସରକାରର ନିୟମ ମାନିକରି ଚଲମା !

ବରଗଡ଼ ଜିଲ୍ଲା ତୁଙ୍ଗୁରୀର ଯୁବ ସମାଜସେବୀ ଅଭିଷେକ ପ୍ରଧାନ ମତବ୍ୟକ୍ତ କରିଛନ୍ତି ଯେ ଆମର ବୋର୍ଡର ଇଲାକା ମାନକେ ଇହାଦେ ଜହ କରି କରୋନା ଫଏଲିବାର କେ ବସଲାନ । ହେଥିର ଲାଗି ଇହାଦେ ସରକାର ପଛିମ୍ ଉଡ଼ିଶା ଥିଁ ଯେନ୍ ନାଇଟ୍ କର୍ଫ୍ୟୁ ଆର ଶନିବାର ରବିବାର ସଡାଉନ୍ ଲାଗୁ କରିଛନ୍ ହେଟା କେତେନି କେତେ ଜରୁରୀ ଥିଲା । ଠିକ୍ ସମିଆ ଥି ଠିକ୍ କବାର କରିଛନ୍ । ଇତାକେ ମାନବାର କେ ହିଁ ସମକୁଁ ପଡ଼ିବା ।

ସୋନପୁର ଜିଲ୍ଲା ଚେରୁପାଲିର ବୁଦ୍ଧିଜୀବୀ ଗୌରଚନ୍ଦ୍ର ମିଶ୍ରଙ୍କ ମତରେ ଗଲା ବଛର୍ କେ ଯେନତା କରୋନା କେ ହରାଲାଁ , ଇହାଦେ ଭିଲ୍ ହେନତା ହରାମା । ହେଲେ ସରକାର ଯେନ୍ ନିୟମ ଲାଗୁ କରିଛନ୍ତି , ସେଟା ଆମର ନୁକୋ ଲାଗି ହିଁ କରିଛନ୍ । ଇ ନାଇଟ୍ କର୍ଫ୍ୟୁ ଆର ଶନିବାର ରବିବାର ସଡାଉନ୍ ବହୁତ ଜରୁରୀ ଥିଲା । ସରକାର ବାହାଦୁର କେ ତାକର ଇ ପଦକ୍ଷେପ ଲାଗି ଧନ୍ୟବାଦ୍ ଆଏ ।

ଗତବର୍ଷ କରୋନାରେ ନିଜ ପିତା ତଥା ଫୁଲବାଣୀର ବିଶିଷ୍ଟ ବ୍ୟବସାୟୀ ପି.ରାମଚନ୍ଦ୍ର ସେନାପତିଙ୍କୁ ହରାଇଥିଲେ ତାଙ୍କ ପୁଅ ସୁଧାଂଶୁ ମୋହନ ସେନାପତି । ସେ କହିଛନ୍ତି ଯେ- ମହାମାରୀ ସହ ଲଢେଇରେ ମୋ ପିତା ହାରି ଯାଇଥିଲେ । ଏହି ଘଟଣା ପରିବାର ପାଇଁ ଏକ ଦୁଃସ୍ବପ୍ନ ଥିଲା । ଏହାପରେ କରୋନା ପ୍ରତି ଆମର ଦୃଷ୍ଟିଭଙ୍ଗୀ ବଦଳି ଯାଇଛି । ରାଜ୍ୟ ସରକାର କରୋନାକୁ ହରାଇବା ଲାଗି ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ନିଷ୍କତ୍ତି ସ୍ବାଗତଯୋଗ୍ୟ । ଠିକଣା ସମୟରେ ଯଥାର୍ଥ କାର୍ଯ୍ୟାନୁଷ୍ଠାନ କରୋନାକୁ ହରାଇବାରେ ସହାୟକ ହେବ । ପ୍ରତ୍ୟେକ ବ୍ୟକ୍ତି ସମସ୍ତ କୋଭିଡ୍ କଟକଣାକୁ କଡାକଡି ମାନନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ସେ ।

ଭୁବନେଶ୍ୱରର ଏକ ଘରୋଇ ସଂସ୍ଥାରେ କାର୍ଯ୍ୟରତ ବଳିଆ ପଣ୍ଡା କହନ୍ତି ପୁଣି ଥରେ ଖୋର୍ଦ୍ଧା ଜିଲ୍ଲା ତଥା ରାଜଧାନୀ ନଗର କରୋନା ସଂକ୍ରମଣ ତାଲିକାରେ ଉପରେ ରହୁଛି । ମହାମାରୀ ପ୍ରଭାବ ଉପରମୁହାଁ ହେଉଥିବାରୁ ତାହାକୁ ନିୟନ୍ତ୍ରଣ ପାଇଁ ସରକାର କିଛି କଠୋର କିନ୍ତୁ ବାସ୍ତବବାଦୀ ପଦକ୍ଷେପ ନେଉଛନ୍ତି । ଲୋକେ ଏହାକୁ ବୁଝନ୍ତୁ ଯେ ଏହା ସେମାନଙ୍କ ହିତ ପାଇଁ । ଜନସାଧାରଣ ନସୁଧୁରିଲେ କଟକଣା ଅଧିକ କଡ଼ାକଡ଼ି ହେବ । ମହାମାରୀକୁ ହରାଇବାକୁ ହେଲେ ଏନ୍‌ଫୋର୍ସମେଣ୍ଟ ଅପେକ୍ଷା ଲୋକେ ସ୍ଵତଃସଜାଗ ହୋଇ ସତର୍କ ରହିବାକୁ ହେବ । ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍ ବା କଟକଣା ଏ ଦିଗରେ ମାର୍ଗଦର୍ଶକ ସାଜିବ ।

କଟକର ଯୁବ ଉଦ୍ୟୋଗୀ ରବିନାରାୟଣ ବେହେରା କୁହନ୍ତି- ରାଜ୍ୟ ସରକାରଙ୍କ ପଦକ୍ଷେପ ଉତ୍ତମ ଅଟେ । କାରଣ ଯଦି ଏବେ ଠାରୁ କରୋନାକୁ ହରାଇବାକୁ ଏଭଳି କିଛି ପଦକ୍ଷେପ ନିଆ ନଯାଏ , ତେବେ ଅବସ୍ଥା ହୁଏତ ନେଡି ଗୁଡି କହୁଣୀକୁ ବୋହିବା ଭଳି ହୋଇଯିବ । ପୁଣି ଥରେ ଲକଡାଉନ୍ , ସଟଡାଉନର ସମ୍ମୁଖୀନ ହେବାକୁ ପଡିପାରେ । ରାଜ୍ୟ ସରକାର ତାହା ଅପେକ୍ଷା ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି ରାଜ୍ୟବାସୀଙ୍କୁ ମହାମାରୀରୁ ରକ୍ଷା କରିବାକୁ ସତତ ପ୍ରୟାସ କରୁଛନ୍ତି । ଏହାକୁ ସମସ୍ତେ ସ୍ୱାଗତ କରିବା ସାଙ୍ଗକୁ ନିୟମ ପାଳିବା ଉଚିତ ।

Comments are closed.