୧୨୦ ଘଂଟାର ପରିଶ୍ରମ ପରେ ହାଇଦର ଧରାପଡିଛି, ଫେରାର ଘଟଣାର ବିଧିବଦ୍ଧ ତଦନ୍ତ ହେବା ନେଇ ସିପିଙ୍କ ସୂଚନା

ଭୁବନେଶ୍ୱର- ଏସସିବିରୁ ଫେରାର ହେବାର ୫ ଦିନ ପରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ତେଲେଙ୍ଗାନାରୁ ଧରାପଡିବା ପରେ ସମଗ୍ର ଘଟଣା ନେଇ ବିସ୍ତୃତ ସୂଚନା ଦେଇଛ କମିଶନରେଟ ପୋଲିସ । ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, ୧୨୦ ଘଂଟାର ପରିଶ୍ରମ ପରେ ଗ୍ୟାଙ୍ଗଷ୍ଟର ହାଇଦରକୁ ଗିରଫ କରାଯାଇଛି । ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଆନ୍ଧ୍ର, ତେଲେଙ୍ଗାନାକୁ ଟିମ୍ ପଠାଯାଇଥିଲା । ହାଇଦର ତେଲେଙ୍ଗାନା ଯାଇଥିବା ଜଣାପଡିଥିଲା । ୧୦ ତାରିଖ ସଂଧ୍ୟାରେ ହାଇଦର ଫେରାର ହୋଇଥିବା ଖବର ମିଳିଥିଲା । ସେ ରାଜ୍ୟ ବାହାରକୁ ଚାଲିଯାଇଥିବା ନେଇ ସୁରାକ ମିଳିଥିଲା ବୋଲି ପୋଲିସ କମିସନର କହିଛନ୍ତି । ହାଇଦରର ସହଯୋଗୀଙ୍କୁ ଜେରା କରିବା ପରେ ସୂଚନା ମିଳିଥିଲା । ୧୧ ତାରିଖରେ ସେ ତେଲେଙ୍ଗାନାରେ ଥିବା ପୋଲିସକୁ ଖବର ମିଳିଥିଲା । ସିସିଟିଭ ଓ ଟେକନିକାଲ ସର୍ଭେଲାନ୍ସରୁ ତଥ୍ୟ ମିଳିଥିଲା । କାରରେ ସେ କଟକରୁ ଫେରାର ହୋଇଥିବା ଜଣାପଡିଥିଲା । ୨ଟି ପୋଲିସ ଟିମ୍ ତେଲେଙ୍ଗାନା ଯାଇ ସେଠାକାର ପୋଲିସ ସହଯୋଗରେ ହାଇଦରକୁ ଧରିଥିଲେ । ସେ ବାଇକରେ ଯିବା ବେଳେ ଧରାପଡିଥିଲା । ବାଦାମବାଡି ଥାନା ଇନ୍‌ସପେକ୍ଟର ହାଇଦରକୁ ଚିହ୍ନି ତାକୁ ଅଟକାଇଥିଲେ ବୋଲି ପୋଲିସ କମିସନର କହିଛନ୍ତି । ତେବେ, ହାଇଦର ଫେରାର ଷଡ ଯନ୍ତ୍ରର ବିଧିବଦ୍ଧ ତଦନ୍ତ ହେବ । ହାଇଦରର ୭ ଜଣ ସହଯୋଗୀଙ୍କୁ ପଚରାଉଚରା କରାଯାଉଛି । ହାଇଦରକୁ ରିମାଣ୍ଡରେ ଆଣି ଜେରା କରାଯିବ ବୋଲି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।

Comments are closed.