ପରିବର୍ତ୍ତିତ ଓ ପ୍ରଭାବୀ ଓଡ଼ିଶାର ନେତା ନବୀନ, ଯୋଗାଇଦେଲେ ସଞ୍ଜିବନୀ

ଲେଖକ : ପ୍ରତିଭା ନେପାକ

୧୯୯୯ ମହାବାତ୍ୟାର ଯନ୍ତ୍ରଣା ଯେଉଁମାନେ ଭୋଗିଥିବେ, ସେମାନେ କେବେ ବି ସେ ଦୁଃଖକଷ୍ଟକୁ ଭୁଲି ପାରିବେନି। ଚାରିଆଡ଼େ ଧ୍ବଂସର ତାଣ୍ଡବଲୀଳା ଖେଳି ଯାଇଥିଲା। ଯୁଆଡ଼େ ଦେଖ ମୃତଶରୀର, ସେ ମଣିଷ ହୁଅନ୍ତୁ କି ପଶୁ ପକ୍ଷୀ। ଉଜୁଡ଼ି ଯାଇଥିଲା ମୁଣ୍ଡ ଉପରର ଛାତ। ସେତେବେଳେ ବିପନ୍ନ ଯନ୍ତ୍ରଣା ଜର୍ଜରିତ ଓଡ଼ିଶାବାସୀଙ୍କୁ ଖାଦ୍ୟ, ପାନୀୟ, କପଡ଼ା ଯୋଗାଇଦେବା ଥିଲା ଏକ ବଡ଼ ଚ୍ୟାଲେଞ୍ଜ। ସେତେବେଳେ ରାଜ୍ୟର ସ୍ଥିତି ଏବେ ସବଳ ନଥିଲା ଯେ ନିଜ ସମ୍ବଳରେ ଓଡ଼ିଶାବାସୀଙ୍କୁ ଉପଯୁକ୍ତ ଥଇଥାନ କରିହୁଅନ୍ତା । ବାତ୍ୟା ଯାଉ ଯାଉ ଭୋକିଲା ପେଟକୁ ଖାଦ୍ୟ ଓ ପାନୀୟ ଦେବା ସହ ସଡ଼କ, ବିଦ୍ୟୁତ୍, ଯୋଗାଯୋଗ ବ୍ୟବସ୍ଥା ସ୍ୱାଭାବିକ କରିବାକୁ ଓଡ଼ିଶା କେନ୍ଦ୍ର ସରକାର ସମେତ ଅନ୍ୟ ରାଜ୍ୟକୁ ନିବେଦନ କରିଥିଲା। କେନ୍ଦ୍ର ସରକାର ଲୋକଙ୍କୁ ବିମାନ ଯୋଗେ ଖାଦ୍ୟ ପୁଡ଼ିଆ, ପୋଷାକ ଆକାଶରୁ ଡ୍ରପ୍ କରିଥିଲେ। ତଳେ ଥିବା ଲୋକେ ଦୁଇ ହାତ ମେଲାଇ ସାଉଁଟି ନେଇଥିଲେ ଯାହା ବି କିଛି ମିଳୁଥିଲା। ଅନ୍ୟ ରାଜ୍ୟ ସରକାର ଓଡ଼ିଶାକୁ ଆର୍ଥିକ ଦୃଷ୍ଟିରୁ ଅପେକ୍ଷାକୃତ ଦୁର୍ବଳ ମନେ କରି ଯତକିଞ୍ଚିତ୍ ସହାୟତା କରିଥିଲେ । ନିଜ ଅଣ୍ଟା ସଳଖି ନିଜ ଗୋଡ଼ରେ ଠିଆ ହେବାକୁ ଅନେକ ଦିନ ଲାଗି ଯାଇଥିଲା ଓଡ଼ିଶାବାସୀଙ୍କୁ ।

ହେଲେ ଆଜି ସମୟ ଓ ସ୍ଥିତି ଏମିତି ବଦଳିଛି ଯେ ସହାୟତା ପାଇଁ ଛୋଟରୁ ବଡ଼ ରାଜ୍ୟ ପର୍ଯ୍ୟନ୍ତ ସମସ୍ତେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଡ଼କୁ ଚାହିଁ ରହିଛନ୍ତି। ଦେଶରେ କେଉଁଠି ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ହେଲେ ମୁକାବିଲା କିମ୍ବା ପୁନରୁଦ୍ଧାର ନିମନ୍ତେ ଆଗେଇ ଆସୁଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ। ଅନ୍ୟ ରାଜ୍ୟ ମଧ୍ୟ ଓଡ଼ିଶାରୁ ତତ୍କାଳ ସହାୟତା ପାଇଁ ଆଶାର ନଜରରେ ଚାହିଁ ରହୁଛନ୍ତି। କେରଳ ବନ୍ୟା ହେଉ କି ଆନ୍ଧ୍ର ଅଥବା ପଶ୍ଚିମବଙ୍ଗ ମହାବାତ୍ୟା, ଆର୍ଥିକ ସହଯୋଗ ହେଉ ବା ବିପର୍ଯ୍ୟୟ ପ୍ରଶମନ ସକାଶେ ମାନବ ସମ୍ବଳ କିମ୍ବା ବୈଷୟିକ କୌଶଳ, ଯନ୍ତ୍ରପାତି ସହାୟତା ଯୋଗାଣ ହେଉ, ଓଡ଼ିଶା ଏବେ ଅନ୍ୟମାନଙ୍କ ପାଇଁ ଆଶାର କେନ୍ଦ୍ରବିନ୍ଦୁ ସାଜିଛି । ସେହି ଆଶାନୁରୂପକ ବିଭିନ୍ନ ରାଜ୍ୟବାସୀଙ୍କ ବିପଦ ସମୟରେ ସହାୟତାର ହାତ ବଢ଼ାଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଉ ଏବେ କରୋନା ମହାମାରୀ କାଳରେ ପୁଣି ଥରେ ଦେଖିବାକୁ ମିଳିଛି ପରିବର୍ତ୍ତିତ, ପ୍ରଭାବୀ, ସଶକ୍ତ ଓ ଆତ୍ମନିର୍ଭରଶୀଳ ଓଡ଼ିଶାର ସମ୍ବେଦନଶୀଳତାର ନଜୀର । ରାଷ୍ଟ୍ର ପ୍ରତି ନିଜ ଦାୟିତ୍ବ ତଥା କର୍ତ୍ତବ୍ୟ ଯେ ସବୁବେଳେ ନବୀନ ପଟ୍ଟନାୟକଙ୍କ ପ୍ରାଥମିକତା ତାହା ଅଙ୍ଗେ ନିଭାଇଛନ୍ତି ଦିଲ୍ଲୀ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ମଧ୍ୟପ୍ରଦେଶ ଆଦି ରାଜ୍ୟବାସୀ । ଯେତେବେଳେ ଅମ୍ଲଜାନ ଅଭାବରେ କରୋନା ରୋଗୀ ଛଟପଟ ହୋଇ ମରିବାରେ ଲାଗିଲେ, କେନ୍ଦ୍ର ସରକାର ମଧ୍ୟ ଚାହିଦା ମୁତାବକ ଅକ୍ସିଜେନ୍ ଯୋଗାଣ କରିବାରେ ସକ୍ଷମ ହୋଇପାରିଲାନି, ସେତେବେଳେ ସ୍ଥିତିର ଗମ୍ଭୀରତାକୁ ବୁଝି ନିଜେ ଆଗେଇ ଆସିଥିଲେ ନବୀନ ପଟ୍ଟନାୟକ। ଦିଲ୍ଲୀ ଓ ମୁମ୍ବାଇ ଭଳି କରୋନା ହଟସ୍ପଟ୍ ଅଞ୍ଚଳକୁ ଲୋକଙ୍କ ଜୀବନ ରକ୍ଷା ଲାଗି ତୁରନ୍ତ ଯୋଗାଇଦେଲେ ଅମ୍ଲଜାନ। ଆଉ ତା ପରେ ତ ସତେ ଯେମିତି ସହାୟତାର ହାତ ବଢ଼ାଇବାକୁ ଓଡ଼ିଶା ସରକାରଙ୍କ ନିକଟକୁ ନିବେଦନର ସୁଅ ଛୁଟିଲା। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀମାନେ ନବୀନ ବାବୁଙ୍କୁ ଫୋନ୍ କରି ଅମ୍ଲଜାନ ଯୋଗାଇ ନିଜ ରାଜ୍ୟବାସୀଙ୍କ ଜୀବନ ରକ୍ଷା କରିବାକୁ ବ୍ୟାକୁଳତା ପ୍ରକାଶ କରିଥିଲେ । ବିଭିନ୍ନ ଦୃଷ୍ଟିରୁ ବିକଶିତ ଓ ଅଗ୍ରଣୀ ରାଜ୍ୟ ହୋଇଥିଲେ ହେଁ ସେମାନେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆଶାର ନଜରରେ ଚାହିଁଲେ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନବୀନ ପଟ୍ଟନାୟକଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଥିଲେ। କାହାକୁ ନିରାଶ ନକରି ବିଶାଳକାୟ ଟ୍ୟାଙ୍କର୍ ଓ ବଡ଼ ବିମାନ ଜରିଆରେ ୨୪ ଘଣ୍ଟାରେ ୨୫୦ ଟନ୍ ମେଡିକାଲ ଅକ୍ସିଜେନ୍ ଯୋଗାଇଦେଲେ ସେ। ରାଉରକେଲା, ଯାଜପୁର, ଅନୁଗୁଳ, ଭୁବନେଶ୍ଵରରୁ ବିଭିନ୍ନ ରାଜ୍ୟକୁ ଯୋଗାଇ ଦିଆଗଲା ଅକ୍ସିଜେନ୍। ଅନ୍ୟ ରାଜ୍ୟକୁ ସଞ୍ଜିବନୀ ଯୋଗାଇ ଦେଇ ନବୀନ ପଟ୍ଟନାୟକ ଏବେ ପାଲଟି ଯାଇଛନ୍ତି ରାଷ୍ଟ୍ରନାୟକ।

ଓଡ଼ିଶାରୁ ବିଶାଖାପାଟଣା, ହାଇଦ୍ରାବାଦ, ମୁମ୍ବାଇ, ନାଗପୁର, ପୁନେ, ଇନ୍ଦୋର, ଗାଜିଆବାଦ ଆଦି ସ୍ଥାନକୁ ଲଗାତାର ୪ ଦିନ କାଳ ଅମ୍ଲଜାନ ଯୋଗାଣର ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରିକି ଏଥିପାଇଁ ସ୍ଵତନ୍ତ୍ର ଯାନ, ଟ୍ୟାଙ୍କର, ପୁଲିସ୍ ଏସକର୍ଟ ଆଦି ବ୍ୟାପକ ବ୍ୟବସ୍ଥା କରାଯାଇଛି ଯେପରିକି ବିନା ବାଧାରେ ଓ ଶୀଘ୍ର ଉପରୋକ୍ତ ସ୍ଥାନକୁ ଅମ୍ଲଜାନ ପହଞ୍ଚିପାରିବ। ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଛି ଯେଉଁଠାରେ ବରିଷ୍ଠ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଏହାର ତଦାରଖ କରୁଛନ୍ତି। ଗୋଟିଏ ପଟେ ଓଡ଼ିଶାରେ କୋଭିଡ୍ ସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ବେଶ ନିୟନ୍ତ୍ରଣାଧୀନ ରହିଛି ତ ଆରପଟେ ରାଜ୍ୟରେ ବହୁମାତ୍ରାରେ ଅମ୍ଲଜାନ ମହଜୁଦ ଥିବା ସହ ବହୁଳ ପରିମାଣରେ ଉତ୍ପନ୍ନ ହୋଇପାରୁଛି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଓ ନିର୍ଦ୍ଦେଶରେ ଅନୁଗୁଳସ୍ଥିତ ଜେଏସ୍‌ପି ଲିମିଟେଡ୍, ଢେଙ୍କାନାଳସ୍ଥିତ ଭୂଷଣ ଲିମିଟେଡ୍, କଳିଙ୍ଗନଗରରେ ଥିବା ଟାଟା ଷ୍ଟିଲ ଏବଂ ଜେଏସ୍‌ଏଲ, ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଉଛି।

ମହାବାତ୍ୟା ଭଳି ବିପର୍ଯ୍ୟୟ ପରେ ନିଜ ଗୋଡ଼ରେ ସିଧା ଠିଆ ହେବାକୁ ଅନେକ ବର୍ଷ ଲାଗି ଯାଇଥିଲା। ହେଲେ ନବୀନ ପଟ୍ଟନାୟକଙ୍କ ଗତ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ଵ ଶାସନକାଳରେ ଓଡ଼ିଶା ପାଲଟିଛି ଆତ୍ମନିର୍ଭରଶୀଳ ରାଜ୍ୟ। ସେ ବିଦ୍ୟୁତ୍‌ ଯୋଗାଣ ହେଉ କି ବାତ୍ୟାର ପ୍ରଶମନ ପାଇଁ ଜ୍ଞାନକୌଶଳ ଓ ମାନବସମ୍ବଳ ସହାୟତା ଅଥବା ମହାମାରୀ ମୁକାବିଲା ବେଳେ ଅମ୍ଲଜାନ ଯୋଗାଣ, ଦେଶରେ ଏବେ ରୋଲ୍ ମଡେଲ୍ ପାଲଟିଛି ଓଡ଼ିଶା । ଏମିତିରେ ତି ଆଗରୁ ନାରୀ ସଶକ୍ତୀକରଣ, କୃଷି କ୍ଷେତ୍ର ସମେତ ପ୍ରଥମ ପର୍ଯ୍ୟାୟ କରୋନା ମୁକାବିଲା ବେଳେ ସାରା ଦେଶରେ ଅନନ୍ୟ ସଫଳତା ହାସଲ କରି ଓଡ଼ିଶା ସାଉଁଟିଛି ଅନେକ ପ୍ରଶଂସା ଓ ପୁରସ୍କାର। ଆଉ ଏବେ ପୁଣି ଅନ୍ୟ ରାଜ୍ୟକୁ ସହାୟତାର ହାତ ବଢ଼ାଇ ଓଡ଼ିଶା ଯେ ଆଉ ପଛୁଆ ନୁହେଁ ବରଂ ନିଜେ ଶକ୍ତ ରହି ଅନ୍ୟକୁ ସହଯୋଗ କରିବାରେ ଆଗୁଆ ରାଜ୍ୟ ବୋଲି ପୁଣି ଥରେ ପ୍ରତିପାଦିତ କରିପାରିଛି। ନିଜ ରାଜ୍ୟ ପାଇଁ ଆବଶ୍ୟକ ଅମ୍ଲଜାନ ଗଚ୍ଛିତ ରଖି ଅନ୍ୟ ରାଜ୍ୟବାସୀଙ୍କ ଜୀବନ ରକ୍ଷା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ଦୂରଦୃଷ୍ଟି ସମ୍ପନ୍ନ ବଦାନ୍ୟତା ସାରା ଦେଶରେ ପରିବର୍ତ୍ତିତ, ପ୍ରଭାବୀ ଓଡ଼ିଶାର ଛବିକୁ ମଜବୁତ୍ କରିଛି। ସେଥିପାଇଁ ତ ଦିଲ୍ଲୀ, ମହାରାଷ୍ଟ୍ର, ବିହାର ଭଳି ୬ଟି ଅପେକ୍ଷାକୃତ ବଡ ଓ ବିକଶିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଭଳି ସହାୟତା ପାଇଁ ନବୀନ ବାବୁଙ୍କୁ କୃତଜ୍ଞତା ଜଣାଇଛନ୍ତି। ଓଡ଼ିଶାର ନେତୃତ୍ବକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଆଉ ପଛରେ ରହିବା, ଅନ୍ୟର ସହାୟତାକୁ ଚାହିଁବା ବେଳ ନାହିଁ, ବରଂ ଦେଶରେ ଏବେ ଓଡ଼ିଶା ମଧ୍ୟ ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ନେବାର ସମୟ ଉପନୀତ ବୋଲି ଏହା ପ୍ରମାଣିତ କରୁଛି ।

ଲେଖକ ତଥା ଇତିହାସ ଗବେଷକ

Comments are closed.