ଚାଷୀଙ୍କଠାରୁ ଧାନ କିଣିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି, ଏ ବର୍ଷ ବି ଅଗ୍ରୀମ ଟୋକନ ବ୍ୟବସ୍ଥା, ନୂଆ ଏମଏସପିରେ ଚାଷୀଙ୍କଠାରୁ କିଣାଯିବ ଧାନ

ଭୁବନେଶ୍ୱର – ଚାଷୀଙ୍କଠାରୁ ଧାନ କିଣିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏ ବର୍ଷ ବି ଅଗ୍ରୀମ ଟୋକନ ବ୍ୟବସ୍ଥାରେ ସରକାର ଧାନ କିଣିବେ । ଧାନକିଣା ତାରିଖର ୭ ଦିନ ଆଗରୁ ଚାଷୀଙ୍କୁ ଟୋକନ ଦିଆଯିବ । ପଂଜୀକୃତ ମୋବାଇଲ୍ ନମ୍ବରରେ ଧାନବିକ୍ରିର ସଂପୂର୍ଣ୍ଣ ବିବରଣୀ ଉପଲବ୍ଧ ହେବ । ଏଥର ନୂଆ ସର୍ବନିମ୍ନ ସହାୟକ ମୂଲ୍ୟ-ଏମଏସପିରେ ଚାଷୀଙ୍କଠାରୁ ଧାନ କିଣିବାକୁ ନିଷ୍ପତି ହୋଇଛି । ଏଫଏକ୍ୟୁ ଧାନର କୁଇଂଟାଲ୍ ପିଛା ଏମଏସପି ୧ ହଜାର ୮୬୮ ଟଙ୍କା, ଏ ଗ୍ରେଡ ଧାନର ଏମଏସପି ୧ ହଜାର ୮୮୮ ଟଙ୍କା ରଖା ଯାଇଛି । ଜଳସେଚିତ ଜମିରୁ ଏକର ପିଛା ୧୯ କୁଇଂଟାଲ ଧାନ ଓ ଅଣଜଳସେଚିତ ଜମିରୁ ଏକର ପିଛା ୧୨ କୁଇଂଟାଲ ଧାନ କିଣାଯିବ ।

ପ୍ରକୃତ ଚାଷୀଙ୍କ ପାଇଁ ମନ୍ତ୍ରୀ ଧାନକିଣା ପରିମାଣ ବଢାଇପାରିବେ । ଟୋକନ ପାଇ ନ ଥିବା ଚାଷୀ ନିଃଶୁଳ୍କ ନମ୍ବର ୧୯୬୭କୁ ଜଣାଇପାରିବେ ବୋଲି ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ବିଶ୍ୱଜିତ ଦାସ ସୂଚନା ଦେଇଛନ୍ତି । ଏ ବର୍ଷ ଧାନବିକ୍ରି ପାଇଁ ୧୫ ଲକ୍ଷ ଚାଷୀ ପଂଜୀକୃତ ହୋଇଛନ୍ତି ।

Comments are closed.