ରୋହିତଙ୍କ ଅଷ୍ଟ୍ରେଲିଆ ଗସ୍ତ ଆଶା ବଢିଲା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ସିନିୟର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତରେ ଯିବେ ନା ନାହିଁ ସେନେଇ ଲାଗି ରହିଥିବା ସସପେନ୍ସ ଦୂର ହେବାରେ ଲାଗିଛି । ଆଇପିଏଲ ପ୍ଲେ ଅଫରେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ପଡିଆକୁ ଓହ୍ଲାଇବା ପରେ ଏହି ଷ୍ଟାର ବ୍ୟାଟ୍ସମ୍ୟାନ ଅଷ୍ଟ୍ରେଲିଆ ଗସ୍ତରେ ଯିବା ନେଇ ଆଶା ବଢିଛି ।

ଭାରତୀୟ ଦଳର ଅନ୍ୟ ସଦସ୍ୟଙ୍କ ସହ ରୋହିତ ମଧ୍ୟ ନଭେମ୍ବର ୧୧ରେ ଅଷ୍ଟ୍ରେଲିଆ ଯାତ୍ରା କରିବା ସମ୍ଭାବନା ରହିଛି ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି । ଏନେଇ ଶୀଘ୍ର ନିଷ୍ପତ୍ତି ନିଆଯିବ । ରୋହିତ ଭାରତୀୟ ଦଳ ସହ ରହି ଫିଜିଓ ନୀତିନ ପଟେଲ ଓ ଟ୍ରେନର ନିକ୍ ୱେବଙ୍କ ତତ୍ତ୍ୱାବଧାନରେ ନିଜ ଫିଟନେସକୁ ଆହୁରି ସୁଧାରିବା ଦିଗରେ ଧ୍ୟାନ ଦେବେ । ଏଥିରେ କିଛି ଅସୁବିଧା ନାହିଁ ବୋଲି ସେ କହିଛନ୍ତି ।

ଆବଶ୍ୟକ ସ୍ଥଳେ ନଭେମ୍ବର ୨୭ରୁ ଆରମ୍ଭ ହେଉଥିବା ଦିନିକିଆ ସିରିଜରୁ ତାଙ୍କୁ ବିଶ୍ରାମ ମଧ୍ୟ ଦିଆଯିବ ଏବଂ ସେ ଟି୨୦ ସିରିଜରେ ଖେଳିପାରିବେ । ଟେଷ୍ଟ ସିରିଜ୍ ଆରମ୍ଭ ହେଲାବେଳକୁ ରୋହିତ ଏହି ଫର୍ମାଟର ଆବଶ୍ୟକତା ମୁତାବକ ପୂରା ଫିଟ୍ ହୋଇଯାଇଥିବେ ବୋଲି ବିସିସିଆଇର ଉକ୍ତ ଅଧିକାରୀ ଜଣକ କହିଛନ୍ତି । ହାମଷ୍ଟ୍ରିଂ ସମସ୍ୟାରେ ପୀଡିତ ଥିବା ରୋହିତ ନିକଟରେ ନିଜକୁ ଫିଟ୍ ବୋଲି କହିଥିଲେ ।

ଆଘାତ ସମସ୍ୟା ଯୋଗୁଁ ରୋହିତଙ୍କୁ ପ୍ରଥମେ ଅଷ୍ଟ୍ରେଲିଆ ବିପକ୍ଷ ତିନୋଟି ଯାକ ସିରିଜରୁ ବାଦ୍ ଦିଆଯାଇଥିଲା । ତେବେ ଯେଉଁଦିନ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳ ଘୋଷଣା ହେଲା, ସେ ଦିନ ସେ ମୁ୍ମ୍ବାଇ ଇଣ୍ଡିଆନ୍ସ ପାଇଁ ନେଟ୍ସରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା । ଫଳରେ ତାଙ୍କୁ ବାଦ୍ ଦେବା ନେଇ ବିସିସିଆଇ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠିଥିଲା । ତେବେ ମୁମ୍ବାଇ ଇଣ୍ଡିଆନ୍ସର ଶେଷ ଲିଗ୍ ମ୍ୟାଚ ଓ ପରେ ପ୍ରଥମ କ୍ୱାଲିଫାୟରରେ ରୋହିତ ଖେଳିଥିଲେ । ତାଙ୍କ ଆଘାତ ସମସ୍ୟା ନେଇ ସ୍ପଷ୍ଟ ଘୋଷଣା କରିନଥିବାରୁ ବିସିସିଆଇକୁ ସମାଲୋଚନାର ଶିକାର ହେବାକୁ ପଡିଥିଲା ।

Comments are closed.