ବିହାର ନିର୍ବାଚନ: କାହିଁକି ଭୁଲ୍ ହେଲା ଏକଜିଟ୍ ପୋଲ ଆକଳନ

ନୂଆଦିଲ୍ଲୀ – ବିହାର ବିଧାନସଭା ନିର୍ବାଚନରେ ପୁଣିଥରେ ବାଜି ମାରିନେଇଛି ଏନଡିଏ । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନରେ ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ମହାମେଣ୍ଟ ଓ ଏନଡିଏ ଭିତରେ କଡ଼ା ଟକ୍କର ହୋଇଥିଲା । ଶେଷରେ ସବୁ ଏକଜିଟ୍ ପୋଲ ପୂର୍ବାନୁମାନକୁ ଭୁଲ୍ ସାବ୍ୟସ୍ତ କରି ଏନଡିଏ ବିଜୟଧ୍ୱଜା ଉଡ଼ାଇଛି । ୧୨୫ ଆସନ ଜିତି ଏନଡିଏ ସ୍ପଷ୍ଟ ବହୁମତ ସହ ରାଜ୍ୟରେ ପୁଣିଥରେ ସରକାର ଗଢିବାକୁ ଯାଉଛି । ମହାମେଣ୍ଟ ୧୧୦ ଆସନରେ ସୀମିତ ରହିଯାଇଛି । ତିନି ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୭ରେ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ଏକଜିଟ୍ ପୋଲ୍ ରେ ଏଥର ନୀତିଶ ସରକାରର ପତନ ଘଟିବ ବୋଲି ପୂର୍ବାନୁମାନ କରାଯାଇଥିଲା । ହେଲେ ଏକଜିଟ୍ ପୋଲ୍ ଆକଳନ ଭୁଲ୍ ସାବ୍ୟସ୍ତ ହୋଇଛି । ରାଜନୀତିକ ସମୀକ୍ଷକଙ୍କ ମତରେ ଏକଜିଟ୍ ପୋଲ୍ ଭୁଲ୍ ସାବ୍ୟସ୍ତ ହେବା ପଛରେ ଏକାଧିକ କାରଣ ରହିଛି । ପ୍ରଥମତଃ – ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଏନଡିଏ ସପକ୍ଷରେ ଅଧିକ ଭୋଟ୍ ପଡିଥିଲା । ଏହି ଦିଗକୁ ଏକଜିଟ୍ ପୋଲ୍ ରେ ଅଣଦେଖା କରାଯାଇଥିଲା । ଏକଜିଟ୍ ପୋଲ୍ ଭୁଲ ହେବା ପଛରେ ଆଉ ଏକ କାରଣ ହେଲା – ମହିଳା ଭୋଟର । ମହିଳା ଭୋଟରଙ୍କ ସଂଖ୍ୟା କମ୍ ବୋଲି ଏକଜିଟ୍ ପୋଲରେ ଧରି ନିଆଯାଇଥିଲା । କିନ୍ତୁ ଏଥର ବିହାର ନିର୍ବାଚନରେ ମହିଳା ମତଦାତାଙ୍କ ସଂଖ୍ୟା ଅଧିକ ଥିଲା । ଏବଂ ସଂଖ୍ୟାଧିକ ମହିଳା ଭୋଟର ଏନଡିଏକୁ ଭୋଟ୍ ଦେଇଥିଲେ । ଏକଜିଟ୍ ପୋଲରେ ଏହି ‘ମହିଳା ଫ୍ୟାକ୍ଟର’ ଉପରେ ବି ଧ୍ୟାନ ଦିଆଯାଇନଥିଲା ।

‘ସାଇଲେଣ୍ଟ୍ ଭୋଟର’ ଫ୍ୟାକ୍ଟର ମଧ୍ୟ ଏକଜିଟ୍ ପୋଲରେ ବିଚାରକୁ ନିଆଯାଇ ନଥିଲା । ପ୍ରତି ନିର୍ବାଚନରେ କିଛି ‘ସାଇଲେଣ୍ଟ୍ ଭୋଟର’ ଥାଆନ୍ତି ଯେଉଁମାନଙ୍କ ଭୂମିକା ଜଣେ ପ୍ରାର୍ଥୀ ବା ଦଳର ବିଜୟ-ପରାଜୟରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥାଏ । ‘ସାଇଲେଣ୍ଟ ଭୋଟର’ ସେମାନଙ୍କୁ କୁହଯାଏ, ଯେଉଁମାନେ ନିର୍ବାଚନରେ କାହାକୁ ଭୋଟ୍ ଦେବେ ପୂର୍ବରୁ ସ୍ଥିର କରିଥାଆନ୍ତି, କିନ୍ତୁ ଏହି କଥା ସେମାନେ କାହାକୁ ପ୍ରକାଶ କରନ୍ତି ନାହିଁ । ବିହାର ନିର୍ବାଚନରେ ମଧ୍ୟ ବହୁସଂଖ୍ୟାରେ ‘ସାଇଲେଣ୍ଟ ଭୋଟର’ ଥିଲେ । କିନ୍ତୁ ଏକଜିଟ୍ ପୋଲରେ ସେମାନଙ୍କୁ ହାଲକାରେ ନିଆଯାଇଥିଲା । ଏକଜିଟ୍ ପୋଲରେ ସାମ୍ପଲ୍ ସାଇଜ୍ ଛୋଟ ହେବା କାରଣରୁ ମଧ୍ୟ ଅନେକଥର ଏଭଳି ବାହୁଡ଼ା ମତର ଆକଳନ ଭୁଲ ସାବ୍ୟସ୍ତ ହୋଇଥାଏ । ଉଦାହରଣ ସ୍ୱରୂପ, ଏକ ନିର୍ବାଚନରେ ଲକ୍ଷାଧିକ ଭୋଟର ମତଦାନ କରିଥିବା ବେଳେ ଏକଜିଟ୍ ପୋଲ୍ ସୀମିତ ଲୋକଙ୍କ ମତାମତ ଉପରେ ଆଧାରିତ ହୋଇଥାଏ ।

Comments are closed.