ଦୁଇ ବର୍ଷ ପରେ ମିଳିଲା ‘ନିଖୋଜ ନାବାଳକ’, ଭୁଲରେ ଗିରଫ ହୋଇଥିବା ଦୁଇ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବ ପୋଲିସ

ଭୁବନେଶ୍ୱର- ମିଥ୍ୟା ମାମଲା ରୁଜୁ ପାଇଁ ପୋଲିସକୁ ଦେବାକୁ ହେବ କ୍ଷତିପୂରଣ । ୨୦୧୬ରେ ବରଗଡ ଜିଲ୍ଲା ପାଇକମାଳା ଥାନା ଅଂଚଳରେ ନିଖୋଜ ହୋଇଯାଇଥିବା ଜଣେ ନାବାଳକକୁ ମୃତ ଦର୍ଶାଇଥିଲା ପୋଲିସ । ଏଥିପାଇଁ ୨ ଜଣଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ନିଖୋଜ ନାବାଳକ ଜୀବିତ ଥିବା ଜଣାପଡିଥିଲା । ୨୦୧୮ରେ କୋଲକାତାରୁ ଘରକୁ ଫେରିଥିଲା । ପୋଲିସ ଏହି ଘଟଣରେ ୨ ଜଣଙ୍କୁ ଭୁଲରେ ଗିରଫ କରିଥିବାରୁ ଓଡିଶା ମାନବାଧିକାର କମିଶନ ସେମାନଙ୍କୁ ଅଢେଇ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପାଇକମାଳ ଥାନାର ତତ୍କାଳୀନ ଆଇଆଇସି ପ୍ରକାଶ କୁମାର କର୍ନାଙ୍କ ଦରମାରୁ କ୍ଷତିପୂରଣ ଟଙ୍କା କାଟିବା ପାଇଁ ଓଡିଶା ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ବରଗଡ ଜିଲ୍ଲା ପାଇକମାଳ ପୋଲିସ ଥାନା ଅନ୍ତର୍ଗତ ପିପିଲିପାଲି ଗାଁରୁ ଜିତୁ ଦଣ୍ଡସେନା ନାମକ ଜଣେ ନାବାଳକ ୨୦୧୬ ମସିହା ଡିସେମ୍ବର ୭ ତାରିଖରେ ନିଖୋଜ ହୋଇଯାଇଥିଲା । ମାମଲାର ତଦନ୍ତ କରି ପୋଲିସ ବରଗଡ ସହରର ହଳୁ ଗୁର୍ଲା ଓ ରାଘବ ନାଏକଙ୍କୁ ୨୦୧୬ ଡିସେମ୍ବର ୨୪ ତାରିଖରେ ଗିରଫ କରିଥିଲା । ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା । କିନ୍ତୁ ଦୁଇ ବର୍ଷ ପରେ ନିଖୋଜ ନାବାଳକ ହଠାତ୍ ଘରକୁ ଫେରିଲା ପରେ ଗିରଫ ଦୁଇ ବ୍ୟକ୍ତି ଜେଲରୁ ମୁକୁଳିଥିଲେ । କିନ୍ତୁ ନ୍ୟାୟ ପାଇଁ ସେମାନେ ଓଡିଶା ମାନବାଧିକାର କମିଶନଙ୍କ ଦ୍ୱାରସ୍ତ ହୋଇଥିଲେ ।

Comments are closed.