କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ଭେଣ୍ଟିଲେଟର ଗୁଡିକୁ ତୁରନ୍ତ ସ୍ଥାପନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସ୍ଥିତି ଓ ଟିକାକରଣ ଅଭିଯାନର ଅଗ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀ ଦେଶରେ କୋଭିଡ୍ ବିରୋଧରେ ଚାଲିଥିବା ଟିକାକରଣ ଅଭିଯାନ ସହ ଜଡିତ ସବୁ ଦିଗ ଉପରେ ଆଲୋଚନା କରିଥିଲେ । ଟିକାକରଣ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବା ଉପରେ ବି ମୋଦି ଗୁରୁତ୍ୱାରୋପ କରିଛନ୍ତି । ଏହାଛଡ଼ା କେନ୍ଦ୍ର ପକ୍ଷରୁ ବିଭିନ୍ନ ରାଜ୍ୟକୁ ଦିଆଯାଇଥିବା ଭେଣ୍ଟିଲେଟର ଗୁଡିକୁ ତୁରନ୍ତ ସ୍ଥାପନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଦେଶରେ ଚାଲିଥିବା ଟିକାକରଣ ପ୍ରକ୍ରିୟା ଓ ଟିକା ଉପଲବ୍ଧତା ଉପରେ ବି ଆଲୋଚନା କରିଥିଲେ । ଟିକାକରଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରିବାକୁ ମୋଦି ଅଧିକାରୀ ମାନଙ୍କୁ କହିଛନ୍ତି ।

ଏହା ପୂର୍ବରୁ ବୁଧବାର ପ୍ରଧାନମନ୍ତ୍ରୀ ଅକ୍ସିଜେନ ଓ ଔଷଧ ଯୋଗାଣ ଉପରେ ସମୀକ୍ଷା ବୈଠକ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର ସବୁ ସରକାରୀ ହସ୍ପିଟାଲରେ ମାଗଣା ଟିକାକରଣ ଚାଲିଛି । ସେ ଲୋକମାନଙ୍କୁ ପାଳି ଆସିଲେ ଟିକା ନେବାକୁ ଅନୁରୋଧ କରିଥିଲେ ।

Comments are closed.