କୋଭିଡ୍ ସ୍ଥିତି ନେଇ ମୁହଁ ଖୋଲିଲା ସଂଘ, ଉଭୟ ସରକାର ଓ ଜନସାଧାରଣଙ୍କୁ ଦାୟୀ କଲା

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସ୍ଥିତି ନେଇ ମୁହଁ ଖୋଲିଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍‌ଏସ୍‌) । ବିସ୍ଫୋରକ କୋଭିଡ୍ ସଂକ୍ରମଣ ପାଇଁ ଆରଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ ଉଭୟ ସରକାର ଓ ଲୋକଙ୍କୁ ଦାୟୀ କରିଛନ୍ତି ।

ପଜିଟିଭିଟି ଅନଲିମିଟେଡ୍ ଶୀର୍ଷକ କାର୍ଯ୍ୟକ୍ରମରେ ଭାଗବତ କହିଛନ୍ତି ଯେ, କୋଭିଡ୍‌ର ପ୍ରଥମ ଲହରୀ ପରେ ସରକାର, ପ୍ରଶାସନ ଏବଂ ଜନସାଧାରଣଙ୍କ ଅସାବଧାନତା ଯୋଗୁଁ ଆଜି ଆମେ ଏଭଳି ସ୍ଥିତିର ସମ୍ମୁଖୀନ ହୋଇଛୁ । ପ୍ରଥମ ଲହରୀ ପରେ ସ୍ଥିତି ନିୟନ୍ତ୍ରଣରେ ଥିବାବେଳେ ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶକୁ ଅଣଦେଖା କରାଯାଇଥିଲା ।

ଭାରତରେ କୋଭିଡ୍‌ର ତୃତୀୟ ଲହରୀ ନେଇ ଆଶଙ୍କା କରାଯାଉଥିବା ବେଳେ ଭାଗବତ କହିଛନ୍ତି ଯେ, ଏହି କଠିନ ସମୟରେ ଏକାଠି ହୋଇ ଆମେ ନିଜକୁ ପ୍ରସ୍ତୁତ ହେବା ଉଚିତ । ଏହି ମହାମାରୀ ମାନବଜାତି ପାଇଁ ଏକ ଚାଲେଞ୍ଜ । ଏହାର ମୁକାବିଲାରେ ଭାରତ ଉଦାହରଣ ସୃଷ୍ଟି କରିବା ଉଚିତ ବୋଲି ଭାଗବତ କହିଛନ୍ତି ।

ଭାରତରେ ଆଜି ପୁଣି ୩,୨୬,୦୯୮ ମାମଲା ରେକର୍ଡ କରାଯାଇଛି । ଦିନକରେ ଏହି ଘାତକ ରୋଗରେ ଆଉ ୩୮୯୦ ଜଣଙ୍କ ମୃତ୍ୟୁ ହୋଇଛି । ଭାରତରେ ଏବେ ମୋଟ କୋଭିଡ୍ ମାମଲା ୨ କୋଟି ୪୩ ଲକ୍ଷ ୭୨ ହଜାର ୯୦୭କୁ ବୃଦ୍ଧି ପାଇଛି । ଏହି ରୋଗରେ ଏଯାବତ ୨ ଲକ୍ଷ ୬୬ ହଜାର ୨୦୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ କୋଟି ୪ ଲକ୍ଷ ୩୨ ହଜାର ୮୯୮ ସୁସ୍ଥ ହୋଇଛନ୍ତି । ଭାରତରେ ସକ୍ରିୟ ମାମଲାରେ ସାମାନ୍ୟ ହ୍ରାସ ଘଟିଛି । ଏବେ ମୋଟ ସକ୍ରିୟ ମାମଲା ୩୭ ଲକ୍ଷରୁ ଖସି ୩୬ ଲକ୍ଷ ୭୩ ହଜାର ୮୦୨ ରହିଛି ।

Comments are closed.