ନାରଦ ଷ୍ଟିଙ୍ଗ୍ ମାମଲା : ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ ଓ ଜଣେ ବିଧାୟକ ଗିରଫ

କୋଲକାତା: ନାରଦ ଷ୍ଟିଙ୍ଗ୍ ମାମଲାରେ ସିବିଆଇ ଆଜି ମମତା ସରକାରର ଦୁଇ ମନ୍ତ୍ରୀ ଓ ଜଣେ ବିଧାୟକଙ୍କୁ ଗିରଫ କରିଛି । ସିବିଆଇ ଏହି ମାମଲାରେ ମନ୍ତ୍ରୀ ଫିରହାଦ୍ ହାକିମ୍ ଓ ସୁବ୍ରତ ମୁଖାର୍ଜୀଙ୍କଙ୍କ ସହ ତୃଣମୂଳ କଂଗ୍ରେସ ବିଧାୟକ ମଦନ ମିତ୍ରାଙ୍କୁ ଗିରଫ କରିଛି । ନାରଦ ଷ୍ଟିଙ୍ଗ୍ ମାମଲାରେ ଏହି ତିନିଜଣଙ୍କ ସମେତ ପୂର୍ବତନ ମନ୍ତ୍ରୀ ଶୋଭନ ଚାଟାର୍ଜୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯିବ ବୋଲି କହିଛି ସିବିଆଇ । ନାରଦ ଷ୍ଟିଙ୍ଗ୍ ଅପରେସନରେ କିଛି ନେତା ଟଙ୍କା ନେଉଥିବା ବେଳେ ଧରାପଡିଥିଲେ ।

ସିବିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ନାରଦ ଷ୍ଟିଙ୍ଗ୍ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଏହି ଚାରି ନେତାଙ୍କୁ ସେମାବାର କୋଲକାତାର ନିଜାମ ପ୍ୟାଲେସ ସ୍ଥିତ ସିବିଆଇ କାର୍ଯ୍ୟାଳୟକୁ ନିଆଯିବ ।

ସେପଟେ ନିଜ ଦଳର ମନ୍ତ୍ରୀ ଓ ବିଧାୟକଙ୍କ ଗିରଫ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳୀୟ ନେତାଙ୍କ ସହ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ।

ନାରଦ ମାମଲାରେ ହାକିମ୍‌, ମୁଖାର୍ଜୀ, ମିତ୍ରା ଓ ଚାଟାର୍ଜୀଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ସିବିଆଇ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କ ଠାରୁ ମଞ୍ଜୁରି ଲୋଡିଥିଲା । ୨୦୧୪ରେ ଏହି କେଳେଙ୍କାରୀ ସମୟରେ ଏହି ଚାରି ନେତା ରାଜ୍ୟର ମନ୍ତ୍ରୀ ଥିଲେ । ରାଜ୍ୟପାଳ ଧନଖର ଏହି ଚାରି ଅଭିଯୁକ୍ତ ନେତାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ସିବିଆଇକୁ ମଞ୍ଜୁରି ଦେଇଥିଲେ ।

Comments are closed.