ନେତାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଭର୍ତ୍ସନା, ରାଜନୈତିକ ଫାଇଦା ପାଇଁ କୋଭିଡ୍ ଔଷଧ ଗଚ୍ଛିତ ରଖନାହିଁ

ନୂଆଦିଲ୍ଲୀ: କୋଭିଡ୍ ଚିକିତ୍ସାରେ ବ୍ୟବହାର ହେଉଥିବା ଔଷଧ ଗଚ୍ଛିତ ରଖିଥିବା ନେତାଙ୍କୁ ଦିଲ୍ଲୀ ହାଇକୋର୍ଟ ଭର୍ତ୍ସନା କରିଛନ୍ତି । ଏହି ଔଷଧ ଗୁଡିକର ଅଭାବ ଦେଖାଦେଇଥିବା ବେଳେ ନେତାମାନେ ନିଜ ରାଜନୈତିକ ଫାଇଦା ପାଇଁ ଏଭଳି ଔଷଧ ନିଜ ପାଖରେ ଜମା ନ କରି ଫେରାଇ ଦିଅନ୍ତୁ ବୋଲି ହାଇକୋର୍ଟ କହିଛନ୍ତି ।
ଏହି ଔଷଧ ଗୁଡିକ ଲୋକଙ୍କ ପାଇଁ ଉଦ୍ଦିଷ୍ଟ, ନେତାଙ୍କ ରାଜନୈତିକ ଫାଇଦା ପାଇଁ ନୁହେଁ । ଆମେ ଆଶା କରୁଛୁ ଯେ, ଯେଉଁ ନେତାମାନେ ଏଭଳି ଔଷଧ ନିଜ ପାଖରେ ମହଜୁଦ୍ ରଖିଛନ୍ତି ସେମାନେ ତାହା ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ (ଡିଜିଏଚ୍‌ଏସ୍‌)କୁ ଫେରାଇ ଦେବେ । ଯାହା ଫଳରେ ଏହି ଔଷଧ ସରକାରୀ ହସ୍ପିଟାଲରେ ଚିକିତ୍ସିତ କୋଭିଡ୍ ରୋଗୀଙ୍କ ପାଇଁ ବ୍ୟବହାର କରାଯାଇ ପାରିବ ବୋଲି ଜଷ୍ଟିସ୍ ବିପିନ ସାଂଘୀ ଏବଂ ଜଷ୍ଟିସ୍ ଯଶମୀତ ସିଂହଙ୍କ ଖଣ୍ଡପୀଠ କହିଛନ୍ତି ।
ଦିଲ୍ଲୀର କିଛି ନେତା ରେମଡେସିଭିର ଏବଂ ଅନ୍ୟ ଗୁୁରୁତ୍ୱପୂର୍ଣ୍ଣ କୋଭିଡ୍ ଔଷଧ ଜମା ରଖିଥିବା ଏବଂ ଲୋକଙ୍କୁ ବାଣ୍ଟୁଥିବା ଅଭିଯୋଗର ତଦନ୍ତ ନେଇ ଦିଲ୍ଲୀ ପୋଲିସ୍‌ର ଷ୍ଟାଟସ୍ ରିପୋର୍ଟରେ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

କୋଭିଡ୍ ଔଷଧକୁ ନେତାମାନେ ନିଜ ପାଖରେ ମହଜୁଦ୍ ରଖିଥିବା ବେଳେ ଲୋକଙ୍କୁ ଏହି ଔଷଧ ସହଜରେ ମିଳୁନାହିଁ । ଏହି ମାମଲାରେ ଅଭିଯୁକ୍ତ ନେତାଙ୍କ ନାମରେ ଏଫ୍‌ଆଇଆର ରୁଜୁ କରିବା ଦାବିରେ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା ।

Comments are closed.