ରେଢାଖୋଲ ବିଧାୟକଙ୍କ ଅଭିନବ ପଦକ୍ଷେପ: ପ୍ରତି ପଞ୍ଚାୟତର ଆଶାକର୍ମୀଙ୍କୁ ବାଣ୍ଟିଲେ ଅକ୍ସିମିଟର୍

ସମ୍ବଲପୁର : ବର୍ଭମାନ କରୋନାର ଦ୍ବିତୀୟ ଲହରରେ ଏହାର ସଂକ୍ରମଣର ତୀବ୍ରତା ଯେତିକି ଅଧିକ ରହିଛି , ଶରୀର ଉପରେ ବି ଏହାର ଭୟଙ୍କର ପ୍ରଭାବ ରହିଛି । ଏହି ମାରାତ୍ମକ ଷ୍ଟ୍ରେନ୍ ତୁରନ୍ତ ଫୁସଫୁସକୁ ସଂକ୍ରମିତ କରୁଥିବାରୁ ରୋଗୀ ଅଚାନକ ଗୁରୁତର ହୋଇ ଯାଉଛନ୍ତି । ତେବେ , ଗ୍ରାମାଞ୍ଚଳରେ ଭିତ୍ତିଭୂମି ସେତେଟା ସୁଦୃଢ ହୋଇନଥିବାରୁ କରୋନା ଆକ୍ରାନ୍ତ ତଥା ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କୁ ଠାବ କରିବାକୁ ରେଢାଖୋଲ ବିଧାୟକ ତଥା ସରକାରୀ ଦଳ ଉପମୁଖ୍ୟ ସଚେତକ ଇଂ ରୋହିତ ପୂଜାରୀ ଅଭିନବ ପଦକ୍ଷେପ ନେଇଛନ୍ତି । ଆଜି ସେ ତାଙ୍କ ନିର୍ବାଚନ ମଣ୍ଡଳୀର ୨ଟି ବ୍ଲକର ସମସ୍ତ ପଞ୍ଚାୟତକୁ ୩ଟି ଲେଖାଏଁ ଅକ୍ସିମିଟର ବଣ୍ଟନ କରିଛନ୍ତି । ଆଶାକର୍ମୀଙ୍କୁ ଏହା ପ୍ରଦାନ କରାଯାଇଥିବା ବେଳେ ସେମାନେ ସମସ୍ତ ହୋମ ଆଇସୋଲିସରେ ଥିବା ଆକ୍ରାନ୍ତ ତଥା ସନ୍ଦିଗ୍ଧଙ୍କ ଅକ୍ସିଜେନ୍ ସ୍ତର ମାପି ଆବଶ୍ୟକ ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଦ୍ୱାରା ବହୁ ରୋଗୀ ମୃତ୍ୟୁମୁଖରୁ ବର୍ତ୍ତିଯିବେ ବୋଲି ଆଶା କରାଯାଉଛି ।

ରେଢାଖୋଲ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ମାନେଶ୍ବର , ଯୁଯୁମୁରା ଏବଂ ରେଢାଖୋଲ ତିନୋଟି ବ୍ଲକରେ ଅନେକ ଦୁର୍ଗମ ତଥା ପାହାଡି ଓ ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳ ରହିଛି । ଏହି ଅଞ୍ଚଳରେ ଆବଶ୍ୟକ ସାସ୍ଥ୍ୟ ଭିତ୍ତିଭୂମି ପହଞ୍ଚାଇବା କଷ୍ଟସାଧ୍ୟ ବ୍ୟାପାର ଅଟେ । ଏଭଳି ସ୍ଥିତିରେ ସବୁ ସାସ୍ଥ୍ୟକର୍ମୀ ଏବଂ କରୋନା ମୁକାବିଲାରେ ସାମିଲ ପ୍ରତିଟି ବ୍ୟକ୍ତିବିଶେଷଙ୍କୁ ଏହି ସମସ୍ତ ଅଞ୍ଚଳ ପ୍ରତି ସତନ୍ତ୍ର ଫୋକସ୍ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ , ବର୍ତ୍ତମାନ ଅଧିକାଂଶ ଆକ୍ରାନ୍ତ ତୁରନ୍ତ ଫୁସଫୁସ ସଂକ୍ରମଣର ଶିକାର ହୋଇଯାଇ ଗୁରୁତର ହୋଇଯାଉଛନ୍ତି । ଏହା ଫୁସଫୁସକୁ ଏତେ ଶୀଘ୍ର ଆକ୍ରମଣ କରୁଛି ଯେ , ରୋଗୀ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହେବା ବେଳକୁ ଅକ୍ସିଜେନ୍ ସ୍ତର ଖସି ଗୁରୁତର ହୋଇଯାଉଛି । ଆଉ ଚିକିତ୍ସା ଯୋଗାଇବାକୁ ସମୟ ବି ମିଳୁନି । ଫଳରେ ଅବେଳରେ ଅନେକଙ୍କ ଜୀବନ ଯାଉଛି ।

ତେଣୁ , ସାମାନ୍ୟ ଲକ୍ଷଣ ଥିବା ବ୍ୟକ୍ତି ବି ଯଦି ନିଜ ଅକ୍ସିଜେନ୍ ସ୍ତର ଜାଣିପାରିବେ ତାହେଲେ ତୁରନ୍ତ ଚିକିତ୍ସା ଯୋଗାଇବା ସମ୍ଭବ ହୋଇପାରିବ । ଏହାକୁ ଦୃଷ୍ଟିରେ ରଖି ବିଧାୟକ ତଥା ସରକାରୀ ଦଳ ଉପମୁଖ୍ୟ ସଚେତକ ପୂଜାରୀ ମାନେଶ୍ଵର ଏବଂ ଯୁଯୁମୁରା ବ୍ଲକର ପ୍ରତି ପଞ୍ଚାୟତକୁ ୩ଟି ଲେଖାଏଁ ଅକ୍ସିମିଟର୍ ଯୋଗାଇଛନ୍ତି । ଆଶା କର୍ମୀ ମାନେ ପ୍ରତିଦିନ ଏଭଳି ସନ୍ଦିଗ୍ଧ ତଥା ଆକ୍ରାନ୍ତଙ୍କ ଅକ୍ସିଜେନ୍ ସ୍ତର ମାପିବା ସହିତ ୯୨ ତଳକୁ ଖସୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏକ ଘରୋଇ କଂପାନିର ସହାୟତାରେ ଇଂ ପୂଜାରୀ ଏହି ଅକ୍ସିମିଟର୍ ବ୍ୟବସ୍ଥା କରିଛନ୍ତି । ଏହାଦ୍ବାରା ବହୁ ଜୀବନ ରକ୍ଷା କରାଯାଇପାରିବ ବୋଲି ସେ ଆଶା କରିଛନ୍ତି । ତାଙ୍କର ଏହି ପଦକ୍ଷେପକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

Comments are closed.