କରୋନା ରୋଗୀଙ୍କ ଚିକିତ୍ସାରୁ ପ୍ଲାଜମା ଥେରାପି ବାଦ୍

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ପ୍ଲାଜମା ଥେରାପି ଉପରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଏବଂ ଏମ୍ସ ଏକ ବଡ଼ ନିଷ୍ପତ୍ତି ନେଇଛି | କରୋନା ଚିକିତ୍ସାରୁ ପ୍ଲାଜମା ଥେରାପିକୁ ହଟାଇ ଦିଆଯାଇଛି । କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ଆଇସିଏମ୍ଆର୍ ପକ୍ଷରୁ ଜାରି ନୂଆ ଗାଇଡଲାଇନରେ ପ୍ଲାଜମା ଥେରାପିକୁ ବାଦ୍ ଦିଆଯାଇଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଓ କୋଭିଡ -୧୯ ଉପରେ ନ୍ୟାସନାଲ ଟାସ୍କ ଫୋର୍ସ ବୈଠକରେ ସମସ୍ତ ସଦସ୍ୟ କରୋନା ଚିକିତ୍ସା ପଦ୍ଧତିରୁ ପ୍ଲାଜମା ଥେରାପି ହଟାଇବା ସପକ୍ଷରେ ମତ ଦେଇଥିଲେ । ସେମାନେ କହିଛନ୍ତି ଯେ କରୋନା ଥେରାପି ପ୍ରଭାବଶାଳୀ ନୁହେଁ ଏବଂ ଅନେକ କ୍ଷେତ୍ରରେ ଏହା ଭୁଲ ଭାବେ ବ୍ୟବହୃତ ହେଉଛି |

ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନ ଅନୁଯାୟୀ, ପ୍ରାରମ୍ଭିକ ମଧ୍ୟମ ଲକ୍ଷଣ ପର୍ଯ୍ୟାୟରେ ଅର୍ଥାତ୍ ଲକ୍ଷଣ ଆରମ୍ଭ ହେବାର ସାତ ଦିନ ମଧ୍ୟରେ ପ୍ଲାଜମା ଥେରାପିର ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା।

କିଛି ଡାକ୍ତର ଏବଂ ବୈଜ୍ଞାନିକ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ବିଜୟରାଘବନଙ୍କୁ ଚିଠି ଲେଖି ଏହାକୁ କୋଭିଡ ରୋଗୀଙ୍କ ଚିକିତ୍ସା ପଦ୍ଧତିରୁ ହଟାଇବାକୁ ଦାବି କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ଲାଜମା ଥେରାପିର ଅଯୌକ୍ତିକ ଏବଂ ଅଣ-ବୈଜ୍ଞାନିକ ଉପଯୋଗ କରାଯାଉଛି ବୋଲି ଅଭିଯୋଗ ହୋଇଥିଲା ।

Comments are closed.