ଉତ୍ତର ପ୍ରଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଭଗବାନ ସାହା: ଆହ୍ଲାବାଦ ହାଇକୋର୍ଟ

ଲକ୍ଷ୍ନୌ: କରୋନା ମହାସଙ୍କଟ ମଧ୍ୟରେ ଉତ୍ତର ପ୍ରଦେଶର ବିପର୍ଯ୍ୟୟ ସ୍ୱାସ୍ଥ୍ୟ ଭିତ୍ତିଭୂମି ନେଇ ଆହ୍ଲାବାଦ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି । ବିଶେଷକରି ରାଜ୍ୟର ଛୋଟ ସହର, ଗ୍ରାମାଞ୍ଚଳ ଗୁଡିକରେ ଦୟନୀୟ ସ୍ୱାସ୍ଥ୍ୟସେବା ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଉତ୍ତର ପ୍ରଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ କେବଳ ଭଗବାନ ହିଁ ସାହା ବୋଲି କୋର୍ଟ କହିଛନ୍ତି ।

ରାଜ୍ୟରେ କୋଭିଡ୍ ରୋଗୀଙ୍କ ପାଇଁ ଉନ୍ନତ ଚିକିତ୍ସା ଯୋଗାଇବାକୁ ଦାବି କରି ଏକ ପିଟିସନର ଶୁଣାଣି ବେଳେ ବିଚାରପତି ଜଷ୍ଟିସ୍ ସିଦ୍ଧାର୍ଥ ବର୍ମା ଏବଂ ଅଜିତ କୁମାର ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି । ମେରଟ୍ ସହରର ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ସନ୍ତୋଷ କୁମାର ନାମକ ଜଣେ କୋଭିଡ୍ ରୋଗୀ ନିଖୋଜ ଘଟଣାକୁ ହାଇକୋର୍ଟ ଗମ୍ଭୀରତା ସହ ନେଇଥିଲେ । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ସଚିବ ଦାୟୀ ବୋଲି ଅଦାଲତ କହିଥିଲେ । ଚାରି ମାସ ଭିତରେ ରାଜ୍ୟର ସବୁ ହସ୍ପିଟାଲ ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଧାରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ନିକଟରେ ଉତ୍ତର ପ୍ରଦେଶର ମେୱଲା ଗୋପାଳଗଡ଼ ଗାଁର ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ବେଡ୍ ନଥିବାରୁ ଗାଁର କୋଭିଡ୍ ରୋଗୀଙ୍କୁ ଗଛ ତଳେ ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଥିଲା । ଏହି ଦୃଶ୍ୟ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

Comments are closed.