ସତର୍କତାର ସହ ଚାଲିଛି ରଥ ଯାତ୍ରା ପ୍ରସ୍ତୁତି

ସେ ବିଶ୍ଵନିୟନ୍ତା, ସେ ଜଗତର ନାଥ। କୌଣସି ମହାମାରୀ ଅଟକାଇ ପାରିବନି ତାଙ୍କ ମହାର୍ଘ୍ୟ କାର୍ଯ୍ୟ। କୋଟି କୋଟି ହିନ୍ଦୁଙ୍କ ଆରାଧ୍ୟ ଦେବତା ସେ, ଲକ୍ଷ ଲକ୍ଷ ଓଡ଼ିଆ ଯାହାକୁ ଭୋର ହେବା ମାତ୍ରକେ ଭକ୍ତିର ସହ ସ୍ମରଣ କରି ହାତ ଯୋଡ଼ନ୍ତି ତାଙ୍କର ବାର୍ଷିକ ଓ ପାରମ୍ପରିକ ଯାତ୍ରାକୁ ପୁଣି ଅଟକାଇ ଦେବ ମହାମାରୀ ଆଶଙ୍କା। ନାଁ, ସମ୍ଭବ ନୁହେଁ। ତେବେ ହଁ, ସଂକ୍ରମଣ ଭୟକୁ ଏଡାଇବା ପାଇଁ ସମସ୍ତ ସତର୍କତାର ସହ ଆରମ୍ଭ ହୋଇଛି ରଥ ଯାତ୍ରା ପ୍ରସ୍ତୁତି ପର୍ବ। ରାଜ୍ୟରେ ଯେତେବେଳେ ଦ୍ବିତୀୟ ଲହରୀ କରୋନା ନିଜ କାୟା ବିସ୍ତାର କରି ଚାଲିଛି, ତାହାକୁ ପ୍ରତିହତ କରିବା ପାଇଁ ସମସ୍ତ ପ୍ରତିକାର ପଦକ୍ଷେପ ସହ ପବିତ୍ର ଅକ୍ଷୟ ତୃତୀୟା ତିଥିରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ। ମହାପ୍ରଭୁଙ୍କ ସେବାରେ ଜୁଟି ଯାଇଛନ୍ତି କାଠ କାରିଗର। ଚାଲିଛି କାଳିଆ, ବଳିଆ ଠାକୁର ଆଉ ତାଙ୍କ ଏକମାତ୍ର ଭଉଣୀଙ୍କ ଯାତ୍ରା ପାଇଁ ୩ଟି ରଥ ନିର୍ମାଣ। ରଥ ଖଳାରେ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ନିର୍ମାଣରେ ଏବେ ବ୍ୟସ୍ତ ମହାରଣା। ଚାଲିଛି ମାପଚୁପ, କଟୁଛି କାଠ, ଆକାରରେ କିଏ ଚକ ତିଆରି କରୁଛି ତ କିଏ ଅଖ। ଜୁଲାଇ ୧୨ରୁ ଆରମ୍ଭ ହେବାକୁ ଥିବା ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ପ୍ରାୟ ଦୁଇ ମାସ ଆଗରୁ ବଡ଼ଦାଣ୍ଡର ରଥଖଳାରେ କାମ ଆଗେଇ ଚାଲିଛି।

ଯେତେବେଳେ ସାରା ବିଶ୍ୱ ନୂଆ କରି କରୋନା ଭଳି ମହାମାରୀର ଆଶଙ୍କାରେ ତ୍ରସ୍ତ ଥିଲା, ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷ ନେଇଥିଲେ ଏକ ସାହାସୀ ପଦକ୍ଷେପ। ଯେଉଁ ଜଗତର ନାଥଙ୍କ ଲାଗି ଓଡିଶା ବିଶ୍ୱ ପ୍ରସିଦ୍ଧ, ସେଇ ବଡ ଠାକୁରଙ୍କ ବଡ଼ ପର୍ବ ଘୋଷ ଯାତ୍ରାକୁ ନିଶ୍ଚିତ ସମ୍ପାଦନ କରିବାକୁ ଘୋଷଣା କରିଥିଲେ। କୋଟି କୋଟି ହିନ୍ଦୁଙ୍କୁ ଆଶ୍ୱସ୍ତ କରିଥିଲେ ଯେ ମହାମାରୀ ମହାପ୍ରଭୁଙ୍କ ଏଇ ବାର୍ଷିକ ଯାତ୍ରାକୁ ଅଟକାଇ ପାରିବନି। ବଡ଼ ଦାଣ୍ଡରେ ରଥ ଗଡିବ, ଠାକୁରଙ୍କ ସମସ୍ତ ରୀତିନୀତି ସମ୍ପନ୍ନ ହେବ। ସେହି ଅନୁସାରେ ରଥ ଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା। ତେବେ ବିନା ଭକ୍ତରେ, କରୋନା କଟକଣା ମଧ୍ୟରେ ଯାତ୍ରା ସରିଥିଲା। ଆଉ ଚଳିତ ବର୍ଷ ମଧ୍ୟ ସମାନ ଢଙ୍ଗରେ ସେହିପରି ଦୃଢ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯାଉଛି। ତେବେ ଏଥର ସରକାର ନେଇଛନ୍ତି କିଛି କଠୋର ନିଷ୍ପତ୍ତି। ରଥଯାତ୍ରାକୁ ନିରାପଦ ରଖିବା ସକାଶେ ଜୁନ୍‌ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରଖାଯାଇଛି। ଏପ୍ରିଲ ୨୧ରୁ ଏହି ନିଷ୍ପତ୍ତି ଲାଗୁ କରାଯାଇ ଥିଲା। ସେବକଙ୍କୁ ସଂକ୍ରମଣରୁ ସୁରକ୍ଷିତ ରଖିବା ସକାଶେ ତଥା ପରମ୍ପରାକୁ ଜାରି ରଖିବାକୁ ହେଲେ କଠୋର ନିଷ୍ପତ୍ତି ଲାଗୁ କରିବାକୁ ହେବ। କଟକଣା ମଧ୍ୟରେ ଏବେ ନରେନ୍ଦ୍ର ପୋଖରୀରେ ଜାରି ରହିଛି ମହାପ୍ରଭୁଙ୍କ ୨୧ ଦିନିଆ ଚନ୍ଦନ ଯାତ୍ରା। ତାକୁ ତାଳ ଦେଇ ମହାରଣାଙ୍କ ଦ୍ବାରା ରଥଚକଡାରେ ମଧ୍ୟ ନିର୍ମାଣ କାର୍ଯ୍ୟ ବି ଦିନକୁ ଦିନ ଆଗକୁ ବଢୁଛି।

ସେବକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଉଛନ୍ତି। ରଥ ଯାତ୍ରା ପୂର୍ବରୁ ସମସ୍ତ ସେବାୟତଙ୍କୁ ଟିକା ଦେବାକୁ ଆଦେଶ ଦେଇ ସାରିଛନ୍ତି ସେ। ଚନ୍ଦନ ଯାତ୍ରା ସହ ଜଡିତ ସେବକଙ୍କୁ ଟିକା ପ୍ରଦାନ ମଧ୍ୟ ଆରମ୍ଭ ହୋଇସାରିଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର। ଏଥିରେ ପୁରୀ ସହରବାସୀ ତଥା ସମସ୍ତ ଜଗନ୍ନାଥପ୍ରେମୀଙ୍କ ସହଯୋଗ କାମନା କରିଛନ୍ତି ସେ। ଉଲ୍ଲେଖଯୋଗ୍ୟ ଯେ- ସମସ୍ତ ସେବାୟତ ଓ ସେମାନଙ୍କ ପରିବାର, କାରିଗରଙ୍କୁ ଟିକାକରଣ ସୁନିଶ୍ଚିତ କରିବାକୁ ପ୍ରାୟ ୨୫୦୦ ଟିକା ସ୍ଵତନ୍ତ୍ର ଭାବେ ଆଣିଛି ଶ୍ରୀମନ୍ଦିର ପ୍ରଶାସନ। ପୂର୍ବ ବର୍ଷ ଭଳି ଏଥର ମଧ୍ୟ ରଥ ଚକଡାରେ କୋଭିଡ୍ କଟକଣା ମଧ୍ୟରେ ତିନି ରଥ ନିର୍ମାଣ ପର୍ବ ଅନୁକୂଳ କରାଯାଇଥିଲା। ତିନି ମୁଖ୍ୟ ବିଶ୍ୱକର୍ମା, ଭୋଇ ସର୍ଦ୍ଦାର, ଦେଉଳ ପୁରୋହିତ, ରାଜଗୁରୁ, ରଥ ଅନୁକୂଳ ବନଯାଗରେ ସର୍ବନିମ୍ନ ବ୍ରାହ୍ମଣ ସେବକ ସାମିଲ ହୋଇଥିଲେ। ଏମାନଙ୍କ କୋଭିଡ୍ ପରୀକ୍ଷା ମଧ୍ୟ କରାଯାଉଛି। ନେଗେଟିଭ୍ ରିପୋର୍ଟ ଆସିଥିବା କାରିଗର ତଥା ସେବାୟତଙ୍କୁ ରଥଯାତ୍ରା ପ୍ରସ୍ତୁତି ପ୍ରକ୍ରିୟାରେ ସାମିଲ କରାଯାଉଛି। ଭକ୍ତଙ୍କ ଦର୍ଶନ ବନ୍ଦ ଥିବାରୁ ଆୟ ପ୍ରଭାବିତ ହେଉଛି। ଏଣୁ ଗତବର୍ଷ ଭଳି ଚଳିତ ଥର ସେବାୟତଙ୍କୁ ଦୁଇ ଗୁଣା ପାଉଣା ଦିଆଯାଉଛି।

ପୂର୍ବରୁ ନୟାଗଡ଼ ଜଙ୍ଗଲରୁ ଆବଶ୍ୟକ ମାତ୍ରାରେ ବିଶାଳକାୟ କାଠ ଗଣ୍ଡି ପୁରୀ ଅଣାଯାଇ ଥିଲା । ଆଉ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିଲା ରଥ ନିର୍ମାଣ। ପ୍ରତ୍ୟହ ସେବାୟତ ଓ କାରିଗରଙ୍କ ଥର୍ମାଲ୍ ସ୍କ୍ରିନିଂ କରାଯାଉଛି। ବାରମ୍ବାର ଆରଟିପିସିଆର ଟେଷ୍ଟ କରାଯିବାକୁ ନିଷ୍ପତ୍ତି ହୋଇଛି। ସର୍ବସାଧାରଣଙ୍କୁ ରଥ ଖଳାରୁ ଦୂରେଇ ରଖିବା ତଥା କାରିଗରଙ୍କୁ ରୌଦ୍ରତାପରୁ ମୁକ୍ତି ପ୍ରଦାନ ନିମନ୍ତେ ଉପର ଛାମୁଣ୍ଡିଆ ସାଙ୍ଗକୁ ପାର୍ଶ୍ଵରେ ବାଉଁଶ ଓ କପଡାରେ ଅସ୍ଥାୟୀ ପାଚେରୀ କରାଯାଇଛି। ତାହାରି ମଧ୍ୟରେ ଠାକୁରଙ୍କ ସେବାରେ ନିମଗ୍ନ ରହୁଛନ୍ତି ମହାରଣା କାରିଗର। ନିହାଣ ଓ ପିଟଣର ଠକ୍ ଠକ୍ ଶବ୍ଦ, କୁରାଢି ଏବଂ କାଠ ଚିରା ବିଭିନ୍ନ ଯନ୍ତ୍ରର ଶବ୍ଦରେ ଚଳଚଞ୍ଚଳ ହୋଇ ଉଠୁଛି ରଥ ଚକଡା। ସମସ୍ତଙ୍କ ମୁହଁରେ ମାସ୍କ, ପାଖରେ ସାନିଟାଇଜର୍। ତାରି ଭିତରେ ରଥ ନିର୍ମାଣରେ ତତ୍ପର କାରିଗର। ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ କରିବାକୁ ହେବ ନନ୍ଦିଘୋଷର ୧୬, ତାଳଧ୍ବଜର ୧୪ ଓ ଦର୍ପଦଳନର ୧୨ ଚକ। ତିନି ରଥ ପାଇଁ ଲାଗିବ ଯଥାକ୍ରମେ ୮୩୨, ୭୬୩ ଓ ୫୯୩ ଖଣ୍ଡ କାଠ। ମୁଖ୍ୟ ରଥ ନିର୍ମାଣ ପରେ ପାର୍ଶ୍ଵ ଦେବାଦେବୀ ଓ ଘୋଡ଼ା, ସାରଥି, ଶୁଆ ଆଦି ନିର୍ମାଣ କାମ ହେବ। ପୁଣି କପଡା କାମ, ରଙ୍ଗ କାମ କରାଯିବ। ଏଣୁ ଥକିଯିବାର କିମ୍ବା କାମରୁ ବିରତି ନେବାର ପ୍ରଶ୍ନ ଉଠୁନି। ବଡ ଠାକୁରଙ୍କ କାମ ସଅଳ ସାରିବାର ଅଛି, ଏଣୁ ଠାକୁରଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରି ଭୋରରୁ କାମ ଆରମ୍ଭ କରନ୍ତି ଯେ ସଞ୍ଜ ନଇଁଲେ ଶେଷ ହୁଏ ପ୍ରତିଦିନର ନିର୍ମାଣ କାର୍ଯ୍ୟ। ସବୁ ମହାପ୍ରଭୁଙ୍କ ଇଚ୍ଛା, ତାଙ୍କ ଆଶୀର୍ବାଦରେ ବିନା ବାଧାବିଘ୍ନରେ ଚାଲିଛି ନିର୍ମାଣ କାମ। ଏବେ ସମସ୍ତଙ୍କ ଅପେକ୍ଷା ଆଷାଢ଼ ଶୁକ୍ଲ ପକ୍ଷ ଦ୍ଵିତୀୟାର ପବିତ୍ର ତିଥିକୁ, ଯେଉଁଦିନ ପାପନାଶନ ଯାତ୍ରାରେ ବଡ଼ ଠାକୁର ନିଜ ରଥରେ ଗୁଣ୍ଡିଚା ମନ୍ଦିର ଓ ମାଉସୀ ମା’ ମନ୍ଦିରକୁ ଯାତ୍ରା କରିବେ। ତାହାକୁ ଦର୍ଶନ କରି କୃତକୃତ୍ୟ ହେବେ କୋଟି କୋଟି ଭକ୍ତ।

 

Comments are closed.