ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ହଟାଇବା ପାଇଁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ମମତା

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ତୁରନ୍ତ ବଦଳାଯାଉ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟରେ ସୁଶାସନ ପାଇଁ ରାଜ୍ୟପାଳଙ୍କୁ ହଟାଯିବା ଉଚିତ ବୋଲି ସେ କହିଛନ୍ତି ।

ନାରଦ ସ୍କାମ୍‌ରେ ସୋମବାର ସିବିଆଇ ରାଜ୍ୟର ଦୁଇ ମନ୍ତ୍ରୀଙ୍କ ସମେତ ଚାରି ତୃଣମୂଳ କଂଗ୍ରେସ ନେତାଙ୍କୁ ଗିରଫ କରିବା ପରେ ରାଜ୍ୟ ରାଜନୀତିରେ ପୁଣି ଝଡ଼ ସୃଷ୍ଟି ହୋଇଛି । ଏହି ମାମଲାକୁ ନେଇ ରାଜ୍ୟପାଳ ଜଗଦୀପ ଧନଖର ଏବଂ ମମତାଙ୍କ ମଧ୍ୟରେ ତିକ୍ତତା ଆହୁରି ବଢ଼ିଛି ।

ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ବିପୁଳ ବିଜୟ ପରେ ରାଜ୍ୟପାଳ ଧନଖର ବିଭିନ୍ନ ପ୍ରସଙ୍ଗ ନେଇ ମମତା ସରକାରଙ୍କୁ ସମାଲୋଚନା କରିଆସିଛନ୍ତି । ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ହିଂସା ପାଇଁ ମଧ୍ୟ ଧନଖର ମମତା ଓ ତାଙ୍କ ଦଳର ନେତାଙ୍କୁ ଦାୟୀ କରିଥିଲେ ।

ମଙ୍ଗଳବାର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଚିଠିରେ ମମତା ଅଭିଯୋଗ କରିଛନ୍ତି ଯେ, ରାଜ୍ୟପାଳ ଧନଖର ନିର୍ବାଚନ ପରବର୍ତ୍ତୀ ହିଂସାକୁ ଅତିରଞ୍ଜିତ କରିବାକୁ ଚାହୁଁଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ୍ ନାହିଁ ବୋଲି ଏକ ଧାରଣା ସୃଷ୍ଟି କରିବାକୁ ଧନଖର ଉଦ୍ୟମ କରୁଛନ୍ତି । ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ହିଂସା ବେଳେ ଆଇନ ଶୃଙ୍ଖଳା ଦାୟିତ୍ୱ ଆମ ହାତରେ ନଥିଲା ବୋଲି ମମତା କହିଛନ୍ତି । ସ୍ଥିତି ଏବେ ନିୟନ୍ତ୍ରଣରେ ଅଛି ଏବଂ ରାଜ୍ୟ ସରକାର ଏବେ କୋଭିଡ୍ ପରିଚାଳନା ଉପରେ ଧ୍ୟାନ ଦେଉଛନ୍ତି ବୋଲି ମମତା ଚିଠିରେ କହିଛନ୍ତି ।

ରାଜ୍ୟପାଳ ଧନଖର ଶପଥ ଗ୍ରହଣ ଉତ୍ସବରେ ନିର୍ବାଚନ ପରବର୍ତ୍ତୀ ହିଂସା ପ୍ରସଙ୍ଗ ଉଠାଇ ସବୁ ସୀମା ଟପିଥିଲେ ବୋଲି ମମତା ଅଭିଯୋଗ କରିଛନ୍ତି ।

Comments are closed.