କେଜ୍ରିୱାଲଙ୍କ ଟ୍ୱିଟ୍ ନେଇ ସିଙ୍ଗାପୁରର ଆପତ୍ତି, ଭାରତୀୟ ରାଷ୍ଟ୍ରଦୂତଙ୍କୁ ପଠାଇଲା ସମନ

ନୂଆଦିଲ୍ଲୀ: କରୋନାର ‘ସିଙ୍ଗାପୁର ଭାରିଆଣ୍ଟ୍‌’ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ କରିଥିବା ଟ୍ୱିଟ୍‌କୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ସିଙ୍ଗାପୁର ଭାରତୀୟ ରାଷ୍ଟ୍ରଦୂତଙ୍କୁ ସମନ କରି କେଜ୍ରିୱାଲଙ୍କ ଏହି ଟ୍ୱିଟ୍ ଉପରେ ଆପତ୍ତି ଉଠାଇଛି । କରୋନା ଭାରିଆଣ୍ଟ୍ ଉପରେ କେଜ୍ରିୱାଲଙ୍କ କିଛି ଜ୍ଞାନ ନାହିଁ ବୋଲି ଭାରତୀୟ ରାଷ୍ଟ୍ରଦୂତଙ୍କୁ କହିଛି ସିଙ୍ଗାପୁର ।

ସିଙ୍ଗାପୁର ଆପତ୍ତିଜଣାଇବା ପରେ କେଜ୍ରିୱାଲଙ୍କୁ ସମାଲୋଚନା କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । କୋଭିଡ୍‌-୧୯ ବିରୋଧରେ ଲଢ଼େଇରେ ଉଭୟ ଭାରତ ଓ ସିଙ୍ଗାପୁର ଭାଗିଦାର । କରୋନା ସଙ୍କଟରେ ସିଙ୍ଗାପୁର ଆମକୁ ସହାୟତାର ହାତ ବଢ଼ାଇଛି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ବେଶ୍ ସୁଦୃଢ଼ । କିନ୍ତୁ କିଛି ଲୋକଙ୍କ ଦାୟିତ୍ୱହୀନ ମନ୍ତବ୍ୟ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହେଉଛି । ସେମାନେ ଏହା ଜାଣିବା ଉଚିତ । କେଜ୍ରିୱାଲ ଯାହା କହୁଛନ୍ତି ତାହା ଭାରତର ସ୍ୱର ନୁହେଁ ବୋଲି ଜୟଶଙ୍କର ଟ୍ୱିଟ୍ କରି କହିଛନ୍ତି ।

ଗତକାଲି କେଜ୍ରିୱାଲ କରୋନାର ‘ସିଙ୍ଗାପୁର ଭାରିଆଣ୍ଟ୍‌’ ନେଇ ଏକ ଟ୍ୱିଟ୍ କରିଥିଲେ । ସେ କହିଥିଲେ, ସିଙ୍ଗାପୁରରେ କୋଭିଡ୍‌ର ଏକ ନୂଆ ଭାରିଆଣ୍ଟ୍ ଚିହ୍ନଟ ହୋଇଛି । ଏହା ପିଲାମାନଙ୍କ ପାଇଁ ବେଶ୍ ଘାତକ ସାବ୍ୟସ୍ତ ହେଉଥିବାରୁ ଭାରତ ସରକାର ସିଙ୍ଗାପୁରରୁ ବିମାନ ସେବା ବନ୍ଦ କରନ୍ତୁ ।

Comments are closed.