ଭାରତରେ ଖସୁଛି ଟିକାକରଣ ଗ୍ରାଫ୍, କ୍ରମାଗତ ଷଷ୍ଠ ଦିନ ଧରି ଦିଆଯାଇଛି ୨୦ ଲକ୍ଷରୁ କମ୍ ଡୋଜ୍

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଟୀକାକରଣ ଏବେ ପ୍ରମୁଖ ଅସ୍ତ୍ର ସାଜିଛି। କିନ୍ତୁ ଟିକା ଅଭାବ ଯୋଗୁଁ ଭାରତର ଅନେକ ଜିଲ୍ଲାରେ ଟିକାକରଣ ଅଭିଯାନ ବାଧାପ୍ରାପ୍ତ ହୋଇଛି । ଟିକାକରଣ ଗ୍ରାଫ୍ ବଢ଼ିବା ପରିବର୍ତ୍ତେ ଖସିବାରେ ଲାଗିଛି । କ୍ରମାଗତ ଷଷ୍ଠ ଦିନ ପାଇଁ ବୁଧବାର ୨୦ ଲକ୍ଷରୁ କମ୍ ଟିକା ଦିଆଯାଇଥିଲା। ୧୫ ଲକ୍ଷରୁ ଉର୍ଦ୍ଧ୍ଵ ଟିକାଦାନ ସହ ଏହି ସପ୍ତାହ ଆରମ୍ଭ ହୋଇଥିଲା | ସୋମବାର ପ୍ରାୟ ୧୩ ଲକ୍ଷ ଡୋଜ ଦିଆଯାଇଥିବା ବେଳେ ମଙ୍ଗଳବାର ଦିନ ପ୍ରାୟ ୧୨ ଲକ୍ଷ ଡୋଜ୍ ପ୍ରଦାନ କରାଯାଇଥିଲା । ଏବଂ ବୁଧବାର ଦିନ ଏହି ସଂଖ୍ୟା ୧୧.୬୬ ଲକ୍ଷ ଡୋଜକୁ ଖସି ଆସିଛି।

କୋ-ଓ୍ବିନ ପୋର୍ଟାଲ ଅନୁଯାୟୀ ବୁଧବାର ଦେଶର ୭୫୪ଟି ଜିଲ୍ଲା ମଧ୍ୟରୁ ୯୨ଟିରେ ଗୋଟିଏ ବି ଟିକା ଦିଆଯାଇ ନାହିଁ। ଦେଶରେ କେବଳ ୬ଟି ରାଜ୍ୟରେ ଏକ କୋଟିରୁ ଅଧିକ ଟିକା ଦିଆଯାଉଛି। ଏହି ରାଜ୍ୟଗୁଡ଼ିକ ହେଉଛି ଗୁଜୁରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ। ମହାରାଷ୍ଟ୍ରରେ ଦୁଇ କୋଟିରୁ ଅଧିକ ଡୋଜ ଦିଆଯାଇଛି।

ତେବେ ଆସନ୍ତା ଦୁଇ ମାସ ମଧ୍ୟରେ ଦେଶରେ ଟିକା ସଙ୍କଟ ଶେଷ ହେବ ବୋଲି ଆଶା କରାଯାଉଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତକୁ ୨୬୭ କୋଟି ଟିକା ଡୋଜ୍ ଲକ୍ଷ୍ୟ ହାସଲ ହେବ। ଦେଶର ସବୁ ବୟସ୍କ ବର୍ଗର ଲୋକଙ୍କୁ ଟିକା ଦିଆଯିବ ବୋଲି ସେ କହିଛନ୍ତି। ଜୁଲାଇ ସୁଦ୍ଧା ୫୧ କୋଟି ଡୋଜ ଏବଂ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ୨୧୬ ନିୟୁତ ଡୋଜ ଉପଲବ୍ଧ ହେବ।

ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ଯେ ଟିକା ପ୍ରସ୍ତୁତ କରୁଥିବା କମ୍ପାନୀଗୁଡିକ ଭାରତରେ ଉତ୍ପାଦନ ଆରମ୍ଭ କରିବାକୁ ଥିବାରୁ ଆସନ୍ତା ଦୁଇ ମାସ ମଧ୍ୟରେ ବହୁ ପରିମାଣରେ ଟିକା ଉପଲବ୍ଧ ହେବ। ଏହା ବ୍ୟତୀତ ଟିକା ମଧ୍ୟ ବାହାରୁ ଆସିବ। ତେବେ ବିଶ୍ୱ ତଥା ଜାତୀୟ ସ୍ତରରେ ଟିକା ଅଭାବ ସବୁବେଳେ ରହିବ ବୋଲି ଡକ୍ଟର ଗୁଲେରିଆ କହିଛନ୍ତି।

Comments are closed.