କରୋନା ଭାଇରସ୍ ବାୟୁରେ ୧୦ ମିଟର ଯାଏଁ ବ୍ୟାପିଥାଏ

ନୂଆଦିଲ୍ଲୀ: କରୋନା ଭାଇରସ୍ ନେଇ କେନ୍ଦ୍ର ତରଫରୁ ନୂଆ ସତର୍କ ସୂଚନା ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ପ୍ରଧାନ ବୈଜ୍ଞାନିକ ପରାମର୍ଶଦାତା କେ.ବିଜୟ ରାଘବନଙ୍କ ପକ୍ଷରୁ ଜାରି ହୋଇଥିବା ସତର୍କ ସୂଚନାରେ କୁହାଯାଇଛି ଯେ, କରୋନା ଭାଇରସ୍ ବାୟୁରେ ୧୦ ମିଟର ପର୍ଯ୍ୟନ୍ତ ବ୍ୟାପିପାରେ । ଅର୍ଥାତ୍ ଜଣେ କରୋନା ରୋଗୀର ୧୦ ମିଟର ସୀମାରେ ଥିବା ଲୋକ ବି ସଂକ୍ରମିତ ହେବା ବିପଦ ରହିଥାଏ । ଏଥିପାଇଁ ଘର, ଅଫିସ୍ ଏବଂ ଅନ୍ୟ ସର୍ବସାଧାରଣ ସ୍ଥାନରେ ଭେଣ୍ଟିଲେସନ୍ ବା ବାୟୁ ଚଳପ୍ରଚଳ ସୁବିଧା ରହିବା ଉଚିତ ବୋଲି କେନ୍ଦ୍ରର ନୂଆ ସତର୍କ ସୂଚନାରେ କୁହାଯାଇଛି ।

କୌଣସି କରୋନା ସଂକ୍ରମିତ ବ୍ୟକ୍ତି କାଶିଲେ ବା ଛିଙ୍କିଲେ ତାଙ୍କ ପାଟି/ନାକରୁ ବାହାରୁଥିବା ଡ୍ରପଲେଟ୍‌, ଏରୋସୋଲ ସଂକ୍ରମଣର ମୁଖ୍ୟ କାରଣ ହୋଇଥାଏ । ଡ୍ରପଲେଟ୍ ଦୁଇ ମିଟର ପର୍ଯ୍ୟନ୍ତ ଚେୟାର, ଟେବୁଲ ଓ ଚଟାଣରେ ପଡ଼ି ରହିଥାଏ । ଅନ୍ୟପକ୍ଷେ ଏରୋସୋଲ ୧୦ ମିଟର ପର୍ଯ୍ୟନ୍ତ ବାୟୁରେ ବ୍ୟାପିପାରେ ବୋଲି କେନ୍ଦ୍ର ସରକାରଙ୍କ ପ୍ରଧାନ ବୈଜ୍ଞାନିକ ପରାମର୍ଶଦାତା କେ.ବିଜୟ ରାଘବନ କହିଛନ୍ତି । ଏଥିପାଇଁ କରୋନା ନିୟମର କଡ଼ାକଡ଼ି ଅନୁପାଳନ ହେବା ଉଚିତ ବୋଲି ସେ କହିଛନ୍ତି । ମାସ୍କ, ସାନିଟାଇଜେସନ, ସାମାଜିକ ଦୂରତା ବଜାୟ ରଖିବା ପାଇଁ ନୂଆ ସତର୍କ ସୂଚନାରେ ପରାମର୍ଶ ଦିଆଯାଇଛି । ଏହାଛଡ଼ା ଘରେ, ଅଫିସ୍ ଏବଂ ଅନ୍ୟାନ୍ୟ ସାଧାରଣ ସ୍ଥାନରେ ଭେଣ୍ଟିଲେସନ୍ ସୁବିଧା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି ।

Comments are closed.