ଇସ୍ତଫା ଦେଲେ ନୀତିଶ, ୧୫ରେ ଏନଡିଏ ବୈଠକ, ନୂଆ ସରକାର ଗଠନ ନେଇ ହେବ ଘୋଷଣା

ନୂଆଦିଲ୍ଲୀ – ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାର ଇସ୍ତଫା ଦେଇଛନ୍ତି । ନୀତିଶ ଆଜି ସନ୍ଧ୍ୟାରେ ବିହାର ରାଜ୍ୟପାଳ ଫାଗୁ ଚୌହ୍ୱାନଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ସେ ବିଧାନସଭା ଭଙ୍ଗ ପାଇଁ ବି ସୁପାରିସ କରିଛନ୍ତି । ବିହାର ନିର୍ବାଚନରେ ନୀତିଶଙ୍କ ନେତୃତ୍ୱାଧୀନ ଏନଡିଏ, ତେଜସ୍ୱୀ ଯାଦବଙ୍କ ମହାମେଣ୍ଟକୁ ହରାଇ ସ୍ପଷ୍ଟ ବହୁମତ ହାସଲ କରିଥିଲା ।

ନୀତିଶଙ୍କ ଇସ୍ତଫା ସହ ବିହାରରେ ନୂଆ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ରାଜ୍ୟପାଳ ନୀତିଶଙ୍କ ଇସ୍ତଫା ଗ୍ରହଣ କରିଛନ୍ତି । ଏନଡିଏର ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବାକୁ ରାଜ୍ୟପାଳ ନୀତିଶଙ୍କୁ କହିଛନ୍ତି ।

ଦୀପାବଳି ପରେ ଅର୍ଥାତ ନଭେମ୍ବର ୧୫ରେ ନୀତିଶଙ୍କ ଘରେ ଏନଡିଏର ନବନିର୍ବାଚିତ ବିଧାୟକଙ୍କ ବୈଠକ ବସିବ । ଏହି ବୈଠକରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ନିଷ୍ପତ୍ତି ନିଆଯିବ । ନୀତିଶଙ୍କ ନେତୃତ୍ୱରେ ଏନଡିଏ ବିହାର ନିର୍ବାଚନ ଲଢିଥିଲା ଏବଂ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପନ କରିଥିଲା ।

ନିର୍ବାଚନରେ ନିଜ ସହଯୋଗୀ ଦଳ ଜେଡି (ୟୁ)କୁ ବିଜେପି ବହୁପଛରେ ପକାଇଥିଲା । ବିଜେପିକୁ ୭୪ଟି ଆସନ ମିଳିଥିଲା ବେଳେ ନୀତିଶଙ୍କ ଜେଡି (ୟୁ)କୁ କେବଳ ୪୩ ଆସନ ମିଳିଥିଲା । ବିଜେପି ସଂଖ୍ୟାଗରିଷ୍ଠ ଦଳ ହୋଇଥିବା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ରାଜ୍ୟ ବିଜେପିର ଅନେକ ବରିଷ୍ଠ ନେତା ନୀତିଶ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ସଙ୍କେତ ଦେଇଥିଲେ । ତେଣୁ ନୀତିଶଙ୍କୁ ହିଁ ଏନଡିଏ ନିଜ ନେତା ଭାବେ ଘୋଷଣା କରିବା ସମ୍ଭାବନା ରହିିଛି ।

Comments are closed.