‘କୋଭାକ୍ସିନ’ ଟିକା ନେଇଥିବା ବ୍ୟକ୍ତି ବିଦେଶ ଯାତ୍ରା କରିପାରିବେ ନାହିଁ , କାହିଁକି ଜାଣନ୍ତୁ

ନୂଆଦିିଲ୍ଲୀ: କୋଭିଡ୍‌-୧୯ ମହାମାରୀ ଯୋଗୁଁ ଅନେକ ଦେଶ ବିମାନ ଯାତ୍ରା ପାଇଁ କଡ଼ା ନିୟମ ଜାରି କରିଛନ୍ତି । କିଛି ଦେଶ କେବଳ ଟିକା ନେଇଥିବା ବିମାନ ଯାତ୍ରୀଙ୍କୁ ଅନୁମତି ଦେଇଛନ୍ତି । ତେବେ ଭାରତ ବାୟୋଟେକ୍‌ର ‘କୋଭାକ୍ସିନ’ ଟିକା ନେଇଥିବା ଭାରତୀୟ ଯାତ୍ରୀ କିଛି ମାସ ପାଇଁ ବିଦେଶ ଗସ୍ତରୁ ବଞ୍ଚିତ ହୋଇପାରନ୍ତି । ଏହାର କାରଣ ହେଉଛି ‘କୋଭାକ୍ସିନ’କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)ର ସ୍ୱୀକୃତି ମିଳିନାହିଁ ।

ବହୁ ଦେଶ ନିଜ ଔଷଧ ନିୟାମକଙ୍କ ଦ୍ୱାରା ଅନୁମୋଦିତ କିମ୍ବା ଡବ୍ଲୁଏଚ୍‌ଓ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଟିକା ନେଇଥିବା ବିମାନ ଯାତ୍ରୀଙ୍କୁ ହିଁ ସ୍ୱାଗତ କରୁଛନ୍ତି । ସେହିପରି ଭାରତର ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ‘କୋଭିଶିଲ୍ଡ’ ସହ ‘ଫାଇଜର’, ‘ମଡେର୍ଣ୍ଣା’, ‘ସିନୋଫାର୍ମ’ ଭଳି କୋଭିଡ୍ ଟିକାକୁ ଡବ୍ଲୁଏଚ୍‌ଓର ଜରୁରୀ ବ୍ୟବହାର ତାଲିକାରେ ସାମିଲ କରାଯାଇଛି । କିନ୍ତୁ ଏ ପର୍ଯ୍ୟନ୍ତ ଏହି ତାଲିକାରେ ‘କୋଭାକ୍ସିନ’କୁ ସ୍ଥାନ ମିଳିନାହିଁ । ‘କୋଭାକ୍ସିନ’କୁ ସ୍ୱୀକୃତି ଦେବା ପୂର୍ବରୁ ଡବ୍ଲୁଏଚ୍‌ଓ ଏହି ଟିକା ସମ୍ପର୍କରେ ଭାରତ ବାୟୋଟେକ୍ ଠାରୁ ଅଧିକ ତଥ୍ୟ ମାଗିଛି । ଭାରତ ବାୟୋଟେକ୍ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବା ପରେ ଡବ୍ଲୁଏଚ୍‌ଓ ‘କୋଭାକ୍ସିନ’ ଟିକାର ପ୍ରଭାବ ଆକଳନ କରି ଏହି ଟିକାକୁ ସ୍ୱୀକୃତି ଦେବ । ଏହି ପ୍ରକ୍ରିୟା ଶେଷ ହେବା ବେଳକୁ ଆହୁରି କିଛି ମାସ ଲାଗିପାରେ ।

ପ୍ରବାସୀ ବିଶେଷଜ୍ଞ ବିକ୍ରମ ଶ୍ରଫ୍ କହିଛନ୍ତି, ଯଦି କୌଣସି ଟିକା ଡବ୍ଲୁଏଚ୍‌ଓର ଅନୁମୋଦିତ ତାଲିକାରେ ନାହିଁ କିମ୍ବା ଅନ୍ୟ ଦେଶରେ ତାହାକୁ ମଞ୍ଜୁରି ଦିଆଯାଇ ନାହିଁ,ତେବେ ସେହି ଟିକା ନେଇଥିଲେ ମଧ୍ୟ ସମ୍ପୃକ୍ତ ଯାତ୍ରୀଙ୍କୁ ‘ନନ୍‌-ଭାକ୍ସିନେଟେଡ୍‌’ ବା ଟିକା ଗ୍ରହଣ କରିନଥିବା ବ୍ୟକ୍ତି ଭାବେ ବିବେଚନା କରାଯିବ ।

Comments are closed.