ସୁଶୀଲ କୁମାର ପଞ୍ଜାବରୁ ଗିରଫ

ନୂଆଦିଲ୍ଲୀ: ଛତ୍ରାସଲ ଷ୍ଟାଡିୟମ ଗଣ୍ଡଗୋଳ ମାମଲାରେ ଡବଲ ଅଲିମ୍ପିକ୍ ପଦକ ବିଜେତା ରେସଲର ସୁଶୀଲ କୁମାର ଶେଷରେ ଗିରଫ ହୋଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ସୁଶୀଲଙ୍କୁ ପଞ୍ଜାବରୁ ଗିରଫ କରାଯାଇଛି । ଛତ୍ରସାଲ ଷ୍ଟାଡିୟମରେ ଘଟିଥିବା ଗଣ୍ଡଗୋଳରେ ଯୁବ ରେସଲର ସାଗର ରାଣାଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରଠୁ ସୁଶୀଲ ଫେରାର ଥିଲେ । ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଥିଲା ପୋଲିସ । ପଞ୍ଜାବ ପୋଲିସ୍ ସୁଶୀଲଙ୍କୁ ଗିରଫ କରିଛି । ତାଙ୍କୁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରାଯିବ । ସୁଶୀଲଙ୍କ ସହ ତାଙ୍କ ମୁଖ୍ୟ ସହଯୋଗୀ ଅଜୟଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସୁଶୀଲ ଭାରତର ଏକମାତ୍ର ଆଥଲେଟ୍ ଯିଏକି ଦୁଇଥର ଅଲିମ୍ପିକ୍ ପଦକ ଜିତିଛନ୍ତି । ସେ ୨୦୦୮ ବେଜିଂ ଅଲିମ୍ପିକ୍ସରେ ବ୍ରୋଞ୍ଜ ଏବଂ ୨୦୧୨ରେ ରୌପ୍ୟ ପଦକ ଜିତିଥିଲେ ।

ପୂର୍ବରୁ ଦିଲ୍ଲୀର ଏକ କୋର୍ଟ ସୁଶୀଲଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଦେଇଥିଲେ । ତାଙ୍କ ସମ୍ପର୍କରେ ସୂଚନା ପାଇଁ ଦିଲ୍ଲୀ ପୋଲିସ୍ ପୁରସ୍କାର ପକ୍ଷରୁ ନଗଦ ପୁରସ୍କାର ଘୋଷଣା କରାଯାଇଥିଲା । ସୁଶୀଲଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ମଧ୍ୟ ଜାରି କରିଥିଲା ।

Comments are closed.