ଯୁବକଙ୍କୁ ଚାପୁଡ଼ା ମାରିଥିବା କଲେକ୍ଟରଙ୍କୁ ହଟାଇଲେ ଛତିଶଗଡ ମୁଖ୍ୟମନ୍ତ୍ରୀ

ରାୟପୁର: ଜଣେ ଯୁବକଙ୍କୁ ଚାପୁଡ଼ା ମାରିବାରୁ ଛତିଶଗଡର ସୁରଗୁଜା ଡିଭିଜନର ସୁରଜପୁର ଜିଲ୍ଲାର କଲେକ୍ଟର ରଣବୀର ଶର୍ମାଙ୍କୁ ପଦରୁ ହଟାଯାଇଛି । ଲକଡାଉନ୍ ସମୟରେ ଔଷଧ କିଣିବା ପାଇଁ ଆସିଥିବା ଜଣେ ଯୁବକଙ୍କୁ ସେ ଚାପୁଡ଼ା ମାରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ୍ ତାଙ୍କୁ ପଦରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ସ୍ଥାନରେ ଆଇଏଏସ୍ ଗୌରବ କୁମାର ସିଂଙ୍କୁ ସୁରଜପୁର ଜିଲ୍ଲାର ନୂଆ କଲେକ୍ଟର ଭାବେ ନିଯୁକ୍ତି ଦିଆଯାଇଛି ।

ସିଏମ ବାଘେଲ୍ ଟ୍ୱିଟ୍ କରି କହିଛନ୍ତି, ସୋସିଆଲ ମିଡିଆ ଜରିଆରେ ସୁରଜପୁର କଲେକ୍ଟର ରଣବୀର ଶର୍ମାଙ୍କ ଜଣେ ଯୁବକଙ୍କ ଅସଦାଚରଣ ମାମଲା ମୋ ନଜରକୁ ଆସିଛି। ଏହା ଅତ୍ୟନ୍ତ ଦୁଃଖଦାୟକ ଏବଂ ନିନ୍ଦନୀୟ। ଛତିଶଗଡରେ ଏଭଳି କାର୍ଯ୍ୟକୁ ଆଦୌ ବରଦାସ୍ତ କରାଯିବ ନାହିଁ। କଲେକ୍ଟର ରଣବୀର ଶର୍ମାଙ୍କୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଶନିବାର ଅପରାହ୍ନରେ ଲକଡାଉନ୍ ସମୟରେ ଜଣେ ଯୁବକ ପ୍ରେସକ୍ରିପସନ୍ ସହ ଔଷଧ କିଣିବାକୁ ଯାଇଥିଲେ। ସେତେବେଳେ ଅନ୍ୟ ଅଧିକାରୀଙ୍କ ସହ କଲେକ୍ଟର ରଣବୀର ଶର୍ମା ଲକଡାଉନ୍ ସ୍ଥିତି ଯାଞ୍ଚ୍ କରୁଥିଲେ। ଏହି ସମୟ ମଧ୍ୟରେ ସେ ରାସ୍ତାରେ ଲୋକଙ୍କ ଗତିବିଧି ଦେଖି ରାଗି ଯାଇଥିଲେ | ତାଙ୍କ ନଜର ସେହି ଯୁବକଙ୍କ ଉପରେ ପଡିଯାଇଥିଲା। ତାଙ୍କ ସହ ଥିବା ସୁରକ୍ଷା କର୍ମୀଙ୍କୁ କହି କଲେକ୍ଟର ରଣବୀର ଶର୍ମା ଯୁବକଙ୍କୁ ଅଟକାଇବା ପରେ ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ । ଯୁବକ ଜଣକ ଔଷଧ ପ୍ରେସକ୍ରିପସନ୍ ଦେଖାଇଥିଲେ ମଧ୍ୟ କଲେକ୍ଟର ତାଙ୍କ କଥା ଶୁଣିନଥିଲେ ଏବଂ ଯୁବକଙ୍କ ମୋବାଇଲକୁ ଛଡ଼ାଇ ନେଇ ଯାଇଥିଲେ।

Comments are closed.