ଏଲୋପାଥି ଚିକିତ୍ସା ଉପରେ ରାମଦେବଙ୍କ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିଲେ ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଏଲୋପାଥି ଚିକିତ୍ସା ଉପରେ ଯୋଗଗୁରୁ ରାମଦେବଙ୍କ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ସେ ତାଙ୍କର ଏହି ମନ୍ତବ୍ୟ ପ୍ରତ୍ୟାହାର କରନ୍ତୁ ବୋଲି ହର୍ଷ ବର୍ଦ୍ଧନ ରାମଦେବଙ୍କୁ ଅନୁରୋଧ କରିଛନ୍ତି ।

ଏଲୋପାଥି ଚିକିତ୍ସା ପ୍ରଭାବହୀନ । ରେମଡେସିଭିର, ଫାଭିଫ୍ଲ ଏବଂ ଅନ୍ୟ ଏଲୋପାଥି ଔଷଧ କରୋନା ରୋଗୀଙ୍କ ଚିକିତ୍ସାରେ ଫେଲ୍ ମାରିଛି । ଏଲୋପାଥି ଔଷଧ ଯୋଗୁଁ ଲକ୍ଷ ଲକ୍ଷ ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି ରାମଦେବ କହିଥିଲେ ।

ଏଲୋପାଥି ଚିକିତ୍ସା ବିରୋଧରେ ରାମଦେବଙ୍କ ମନ୍ତବ୍ୟ ନେଇ ଭାରତୀୟ ମେଡିକାଲ ଆସୋସିଏସନ୍ (ଆଇଏମ୍‌ଏ) ଆପତ୍ତି ଉଠାଇଥିଲା । ରାମଦେବଙ୍କ ବିରୋଧରେ ଏଫ୍‌ଆଇଆର୍ ରୁଜୁ କରିବା ପାଇଁ ମଧ୍ୟ ଦାବି କରିଥିଲା ଆଇଏମ୍‌ଏ ।

ରାମଦେବଙ୍କ ମନ୍ତବ୍ୟ ନେଇ ବିବାଦ ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ରାମେଦବଙ୍କ ନିକଟକୁ ଚିଠି ଲେଖିଛନ୍ତି । ଏଲୋପାଥି ବିରୋଧରେ ନିଜ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ ହର୍ଷ ବର୍ଦ୍ଧନ କହିଛନ୍ତି । ରାମଦେବଙ୍କ ମନ୍ତବ୍ୟ କରୋନା ଯୋଦ୍ଧାଙ୍କୁ ଅପମାନ ଏବଂ ଦେଶବାସୀଙ୍କ ଭାବନାକୁ ଆଘାତ ଦେଇଛି । ଏଭଳି ମନ୍ତବ୍ୟ କରୋନା ସ୍ୱାସ୍ଥ୍ୟକର୍ମୀଙ୍କୁ ନିରୁତ୍ସାହିତ କରିପାରେ ଏବଂ କୋଭିଡ୍‌-୧୯ ବିରୋଧରେ ଆମ ଲଢ଼େଇକୁ ଦୁର୍ବଳ କରିବ ବୋଲି ହର୍ଷ ବର୍ଦ୍ଧନ କହିଛନ୍ତି ।

ଏଲୋପାଥି ଔଷଧ କୋଟି କୋଟି ରୋଗୀଙ୍କ ଜୀବନ ବଞ୍ଚାଇଛି । ଏହି ଚିକିତ୍ସା ପଦ୍ଧତି ଲୋକଙ୍କ ମୃତ୍ୟୁର କାରଣ ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ହର୍ଷ ବର୍ଦ୍ଧନ କହିଛନ୍ତି ।

Comments are closed.