ସମ୍ବଲପୁର: ରକ୍ତ ଦେଇ ୨ ଗୁରୁତରଙ୍କ ଜୀବନ ବଞ୍ଚାଇଲେ ଦୁଇ ପୁଲିସ କର୍ମଚାରୀ

ସମ୍ବଲପୁର : ସମ୍ବଲପୁର ପୁଲିସ ପୁଣି ଥରେ ତାର ମଣିଷପଣିଆର ନିଦର୍ଶନ ପ୍ରମାଣିତ କରିଛି । ଗୁରୁତର ଅବସ୍ଥାରେ ଚିକିସ୍ଥିତ ହେଉଥିବା ୨ ରୋଗୀଙ୍କୁ ତୁରନ୍ତ ରକ୍ତ ଦେବା ପାଇଁ ଜଣେ ମହିଳା ପୁଲିସ କର୍ମଚାରୀଙ୍କ ସମେତ ୨ କର୍ମଚାରୀ ଆଗେଇ ଆସିଛନ୍ତି । ଠିକଣା ସମୟରେ ରକ୍ତ ଦେଇ ଏହି ଦୁଇ କର୍ମଚାରୀ ୨ ଜଣଙ୍କ ଜୀବନ ବଞ୍ଚାଇ ଥିବାରୁ ପ୍ରଶଂସାର ପାତ୍ର ହୋଇଛନ୍ତି ।

ସମ୍ବଲପୁର ସହରର ସ୍ପର୍ଶ ନର୍ସିଂହୋମ୍‌ରେ ଜଣେ ମହିଳା ଚିକିତ୍ସିତ ହେଉଥିବା ବେଳେ ଆଉ ଜଣେ ପୁରୁଷ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଗତକାଲି ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଥିବା ବେଳେ ତୁରନ୍ତ ରକ୍ତର ଆବଶ୍ୟକତା ପଡ଼ିଥିଲା । ଏହାପରେ କିଛି ସେଚ୍ଛାସେବୀ ଏନେଇ ମୋ ସରକାର ଏବଂ ୫ଟି କଲ ସେଣ୍ଟରକୁ ଯୋଗାଯୋଗ କରିଥିଲେ । ଏହା ଜାଣିବା ପରେ ମହିଳା କନେଷ୍ଟବଳ ସୁଜାତା ଦେହୁରୀ ଏବଂ କନେଷ୍ଟବଳ କେଶବ ବାଗ ତୁରନ୍ତ ରକ୍ତ ଦେବାକୁ ଆଗେଇ ଆସିଥିଲେ ।

ସମ୍ବଲପୁର ସ୍ଥିତ ରକ୍ତଭଣ୍ଡାରରେ ରକ୍ତ ଦେବା ପରେ ଉଭୟ ଗୁରୁତରଙ୍କ ଅବସ୍ଥାରେ ଉନ୍ନତି ଆସିଥିବା ଜଣାପଡିଛି । ତେବେ , ଉଭୟ କର୍ମଚାରୀଙ୍କ ଏଭଳି ମହତପଣିଆକୁ ଏସ୍‌ପିଙ୍କ ସମେତ ସବୁ ମହଲରେ ପ୍ରଶଂସା କରାଯାଇଛି ।

Comments are closed.