ଓଡ଼ିଶା ସମେତ ଆଠ ଗରିବ ରାଜ୍ୟ ଉପରେ ମାଗଣା ଟିକାର ବୋଝ, ସ୍ବାସ୍ଥ୍ୟ ବଜେଟର ୩୦% ହେବ ଖର୍ଚ୍ଚ

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହରୀର ସାମ୍ନା କରୁଥିବା ଭାରତୀୟ ଜନସାଧାରଣଙ୍କ ପାଇଁ ଟିକା ଏବେ ସବୁଠାରୁ ବଡ ସାହାରା ସାଜିଛି । ଦେଶର କୋଡ଼ିଏ ରାଜ୍ୟ ନିଜ ଲୋକଙ୍କ ପାଇଁ ମାଗଣା ଟିକା ଦେବାକୁ ଘୋଷଣା କରିଛନ୍ତି। ଏହି ରାଜ୍ୟଗୁଡିକ ମଧ୍ୟରେ ଆଠଟି ରାଜ୍ୟ ଏପରି ଅଛନ୍ତି ଯେଉଁମାନେ ସାମାଜିକ ଏବଂ ଆର୍ଥିକ ଦୃଷ୍ଟିରୁ ବେଶ୍ ପଛୁଆ | ଇଣ୍ଡିଆ ସ୍ପେଣ୍ଡରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଟିକା ପାଇଁ ଏହି ୮ ରାଜ୍ୟଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ବଜେଟର ୩୦ ପ୍ରତିିଶତ ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିପାରେ।

ଏହି ଆଠଟି ‘ଗରିବ’ ରାଜ୍ୟ ହେଉଛନ୍ତି ବିହାର, ଛତିଶଗଡ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ଓଡିଶା, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶ । ଏହି ୮ ରାଜ୍ୟ ମଧ୍ୟ ୧୮ରୁ ୪୪ ବର୍ଷ ବୟସର ଲୋକଙ୍କୁ ମାଗଣା ଟିକା ଦେଉଛନ୍ତି। ଏହି ରାଜ୍ୟଗୁଡିକ କୋଭିଶଲ୍ଡ ଟିକା ପାଇଁ ସ୍ୱାସ୍ଥ୍ୟ ବଜେଟର ୨୩% ଏବଂ କୋଭାକ୍ସିନ୍ ଟିକା ପାଇଁ ୩୦% ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିପାରେ | ଦେଶରେ ସମ୍ପ୍ରତି ଏହି ଦୁଇ ଟିକା ବ୍ୟବହାର କରାଯାଉଛି।

ଗୋଟିଏ ପଟେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଟିକା ଉତ୍ପାଦନକାରୀଙ୍କଠାରୁ ସେ ସିଧାସଳଖ ପ୍ରତି ଡୋଜ୍ ୧୫୦ ଟଙ୍କାରେ ଟିକା କିଣିବେ। ଅନ୍ୟପକ୍ଷେ ରାଜ୍ୟଗୁଡିକ କୋଭିଶିଲ୍ଡ ଟିକା ପ୍ରତି ଡୋଜ୍ ପିଛା ୩୦୦ ଟଙ୍କା ଏବଂ କୋଭାକ୍ସିନ୍ ପ୍ରତି ଡୋଜ୍ ୪୦୦ ଟଙ୍କାରେ ପାଇବେ।

ଏପ୍ରିଲ ୩୦ ପର୍ଯ୍ୟନ୍ତ ଦେଶରେ ଫ୍ରଣ୍ଟ ଲାଇନ କର୍ମଚାରୀ ଏବଂ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ଟିକା ଦିଆଯାଇଥିଲା। ଏହା ପରେ କେନ୍ଦ୍ର ସରକାର ସମସ୍ତ ବୟସ ବର୍ଗ ଲୋକଙ୍କ ପାଇଁ ଟୀକାକରଣକୁ ଅନୁମତି ଦେଇଥିଲେ । ନୂତନ ଟିକା ନୀତି ଅନୁଯାୟୀ କେନ୍ଦ୍ର ସରକାର ଅଧା ଟିକା କିଣିବାକୁ ଥିବାବେଳେ ଟିକା ଉତ୍ପାଦନକାରୀ କମ୍ପାନୀ ଆଉ ୫୦% ଟିକା ସିଧାସଳଖ ରାଜ୍ୟ ତଥା ଘରୋଇ ହସ୍ପିଟାଲ ଗୁଡ଼ିକୁ ବିକ୍ରି କରିପାରିବେ।

ଏହି ଆଠଟି ରାଜ୍ୟ ମଧ୍ୟରୁ କେବଳ ଓଡିଶା ୨୦୨୦-୨୧ ପାଇଁ ଆର୍ଥିକ ନିଅଣ୍ଟକୁ ସଂଶୋଧନ କରିଛି। ମହାମାରୀର ଏହି ଯୁଗରେ ରାଜ୍ୟଗୁଡ଼ିକର ଲାଭ ହ୍ରାସ ପାଉଛି ଏବଂ ସାମାଜିକ ସୁରକ୍ଷା ପାଇଁ ଖର୍ଚ୍ଚ ବୃଦ୍ଧି ପାଇଛି ।

Comments are closed.