ଅସ୍ତ୍ରବିରତି ଉଲ୍ଲଂଘନ: ପାକିସ୍ତାନ ହାଇକମିଶନକୁ ଭାରତର ସମନ

ନୂଆଦିଲ୍ଳୀ – ପାକିସ୍ତାନ ତରଫରୁ ଅସ୍ତ୍ରବିରତି ଉଲ୍ଲଂଘନ ନେଇ ଭାରତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ପାକିସ୍ତାନ ହାଇକମିଶନଙ୍କୁ ସମନ କରିବା ସହ ଅସ୍ତ୍ରବିରତି ଉଲ୍ଳଂଘନକୁ କଡ଼ା ନିନ୍ଦା କରିଛି ଭାରତ । ଏହଛଡ଼ା ପାକିସ୍ତାନ ତରଫରୁ ଅନୁପ୍ରବେଶ ଉଦ୍ୟମକୁ ଭାରତ ସମାଲୋଚନା କରିଛି ।

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନରେ ସାଧାରଣ ନାଗରିକଙ୍କ ମୃତ୍ୟୁ ପ୍ରସଙ୍ଗ ବି ଭାରତ ଉଠାଇଛି । ଭାରତରେ ପାର୍ବଣ ଋତୁ ଚାଲିଥିବା ବେଳେ ପାକିସ୍ତାନ ଅସ୍ତ୍ର ବିରତି ଉଲ୍ଲଂଘନ କରି ଅଶାନ୍ତିର ବାତାବରଣ ସୃଷ୍ଟି କରୁଛି ଏବଂ ଭାରତର ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରୁଛି ବୋଲି ଭାରତ କହିଛି । ଶୁକ୍ରବାର ପାକିସ୍ତାନ ପଟୁ ଏଲଓସି ନିକଟବର୍ତ୍ତୀ ଉରୀ, ଗୁରେଜ ସେକ୍ଟରରେ ଅସ୍ତ୍ର ବିରତି ଉଲ୍ଲଂଘନ କରାଯାଇ ପ୍ରବଳ ଗୁଳିମାଡ଼ କରାଯାଇଥିଲା । ଏଥିରେ ଭାରତର ତିନି ଯବାନ ଶହୀଦ ହୋଇଥିବା ବେଳେ ୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଭାରତୀୟ ସେନା ତରଫରୁ ମଧ୍ୟ ପାକିସ୍ତାନକୁ ଦୃଢ଼ ଜବାବ ଦିଆଯାଇଥିଲା । ଭାରତୀୟ ସେନାର ପାଲଟା ଆକ୍ରମଣରେ ପାକିସ୍ତାନର ୮ ସୈନ୍ୟ ନିହତ ହୋଇଥିଲେ । ଭାରତର ଆକ୍ରମଣରେ ପାକିସ୍ତାନର ବହୁ ଲଞ୍ଚ୍ ପ୍ୟାଡ୍‌, ଆର୍ମି ବଙ୍କର ଧ୍ୱଂସ୍ତ ହୋଇଥିଲା ।

Comments are closed.